ପାଟଣା: ଶବ ସତ୍କାର ପାଇଁ ପଇସା ନଥିଲା। ତେଣୁ ଗାଁ ଲୋକେ ବ୍ୟାଙ୍କ ମ୍ୟାନେଜରଙ୍କୁ ଶବ ଦେଖାଇ ମୃତକଙ୍କ ପଇସା ଆଣିବାରେ ସଫଳ ହୋଇଛନ୍ତି। ବିହାର ପାଟଣାରେ ଏଭଳି ଅଜବ ଚିତ୍ର ସାମ୍ନାକୁ ଆସିଛି।
ମୃତକ ଜଣଙ୍କ ହେଉଛନ୍ତି ମହେଶ ଯାଦବ, ବୟସ ୫୫। ସେ ଅବିବାହିତ ଏବଂ ଏକୁଟିଆ ରହୁଥିଲେ। ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିଲା। ପଡ଼ୋଶୀ ଦୁଇ ଦିନ ହେବ ତାଙ୍କୁ ଦେଖିବାକୁ ପାଇନଥିଲେ ତେଣୁ ଗୁରୁବାର ଘର ଭିତରକୁ ଯାଇ ଦେଖିଥିଲେ ଯେ ତାଙ୍କର ମୃତ୍ୟୁ ହୋଇସାରିଛି। ଯେହେତୁ ତାଙ୍କର କେହି ନଥିଲେ ତେଣୁ ଶବ ସତ୍କାର ଗାଁ ଲୋକେ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଆଉ ଶବ ସତ୍କାର ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ପଇସା ବାବଦରେ ଆଲୋଚନା ହୋଇଥିଲା ଗାଁ ଲୋକଙ୍କ ମଧ୍ୟରେ।
ଏହାପରେ ଗାଁ ଲୋକେ ମହେଶଙ୍କ ଘରେ ପଇସା ଖୋଜାଖୋଜି କରିଥିଲେ। ତେବେ ବ୍ୟାଙ୍କ ପାସବୁକ୍ ବ୍ୟତୀତ କିଛି ମିଳିନଥିଲା। ଯେଉଁଥିରେ ୧ ଲକ୍ଷ ୧୭ ହଜାର ୨୯୮ ଟଙ୍କା ଥିବା ଜଣାପଡ଼ିଥିଲା। ହେଲେ ମହେଶଙ୍କର ମୃତ୍ୟୁ ହୋଇସାରିଥିବାରୁ ପଇସା କେମିତି ଉଠାଇବେ ଚିନ୍ତା କରି ସ୍ଥାନୀୟ ଲୋକେ ବ୍ୟାଙ୍କକୁ ଯାଇଥିଲେ ବୋଲି ସ୍ଥାନୀୟ ପୁଲିସ ଅମରେନ୍ଦର କୁମାର କହିଛନ୍ତି।
ଗାଁ ଲୋକେ ବ୍ୟାଙ୍କ ଆଗରେ ଶବ ରଖି ପଇସା ଉଠାଇବାକୁ ମ୍ୟାନେଜରଙ୍କୁ ନିବେଦନ କରିଥିଲେ। ନହେଲେ ଶବ ବ୍ୟାଙ୍କ ଆଗରେ ପଡ଼ି ରହିବ ବୋଲି କହିଥିଲେ। ତେବେ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ସ୍ଥାନୀୟ ପୁଲିସ ମାଧ୍ୟମରେ ବ୍ୟାଙ୍କ ମ୍ୟାନେଜର ମହେଶ ରଖିଥିବା ଟଙ୍କା ଦେଇଥିଲେ।
କାନାରା ବ୍ୟାଙ୍କର ମ୍ୟାନେଜର ସଞ୍ଜୀବ କୁମାର କହିଛନ୍ତି, ଏଭଳି ଅଜବ ଘଟଣା ପୂର୍ବରୁ ସେ କେବେ ଦେଖିନଥିଲେ। ଏଭଳି ଘଟଣା ତାଙ୍କ କ୍ୟାରିଅରର ପ୍ରଥମ ଘଟଣା।
ମୃତକଙ୍କ ପଡ଼ୋଶୀ ଶକୁନ୍ତଳା ଦେବୀ କହିଛନ୍ତି, ମହେଶଙ୍କର ନିଜସ୍ୱ ଜମି କି ଘର ନଥିଲା। ସେ କୌଣସି ସରକାରୀ ସହାୟତା ପାଉନଥିଲେ। ତାଙ୍କର ଦେଖାଶୁଣା କରିବାକୁ କେହି ନଥିଲେ। ମାସେରୁ ଅଧିକ ଦିନ ହେବ ସେ ଚିକିତ୍ସାଧୀନ ଥିଲେ। ତାଙ୍କୁ ରୋଷେଇ କରି ସେ ଖାଇବାକୁ ଦେବା ସହିତ ଅନ୍ୟାନ୍ୟ ସାହାଯ୍ୟ କରୁଥିଲେ।
The post ବ୍ୟାଙ୍କ ଆଗରେ ମୃତକଙ୍କୁ ରଖି ପଇସା ଉଠାଇଲେ ଗାଁ ଲୋକେ appeared first on Odisha Reporter.
from Odisha Reporter https://ift.tt/2Xl5UQn
No comments:
Post a Comment