ନୂଆଦିଲ୍ଲୀ: ଉପବାସରେ ଚାଷୀ। ଆଜି ଅନ୍ନ ଗ୍ରହଣ କରିବେନି ଅନ୍ନଦାତା । କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଅନଶନରେ ବସିଛନ୍ତି ଚାଷୀ। ଚାଷୀ ଆନ୍ଦୋଳନ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ପ୍ରଶାସନର ନାଲିଆଖି ଏବଂ ପୁଲିସର ଜୁଲମ ସତ୍ତ୍ୱେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଏହାରି ଭିତରେ ଆଜି ଆନ୍ଦୋଳନକାରୀ ଚାଷୀମାନେ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥି ଅବସରରେ ସଦ୍ଭାବନା ଦିବସ ପାଳନ କରିବା ସହ ଉପବାସ କରିଛନ୍ତି। ସମସ୍ତ ଆନ୍ଦୋଳନକାରୀ କୃଷକମାନେ ସକାଳ ୯ରୁ ସନ୍ଧ୍ୟା ୫ଟା ଯାଏଁ ଅନ୍ନ ଗ୍ରହଣ କରିବେ ନାହିଁ। କୃଷକମାନଙ୍କ ଏହି ଅନଶନରେ ସାମିଲ ହେବା ପାଇଁ ସେ ଦେଶବାସୀଙ୍କୁ ଅପିଲ କରିଛନ୍ତି।
ସୁରକ୍ଷା ଦୃଷ୍ଟିରୁ ଗାଜିପୁର ସୀମା ସମେତ ଆଖପାଖ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ଗାଜିପୁର ବର୍ଡର ଖାଲି କରିବାକୁ ପ୍ରଶାସନ ଦେଇଥିବା ନୋଟିସକୁ ନେଇ କିଷାନ ଆନ୍ଦୋଳନ କମିଟି ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। କମିଟି କହିଛି, ସରକାର ଏକଛତ୍ରବାଦ ଶାସକ ଭଳି ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଏହି ନୋଟିସ ଜାରି କରିଛନ୍ତି। ତେବେ ସମୟ ଆସିଲେ ଏହାର ଠିକ୍ ଉତ୍ତର ଦେବୁ ବୋଲି କମିଟି କହିଛି।
ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ବେଳେ ଲାଲକିଲ୍ଲାରେ କୃଷକମାନେ ହିଂସାକାଣ୍ଡ ଘଟାଇଥିଲେ । ଏହାପରେ କୃଷକ ଆନ୍ଦୋଳନ ଦୁର୍ବଳ ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ଅନେକ ସଙ୍ଗଠନ ଆନ୍ଦୋଳନରୁ ଓହରି ଯାଇଥିଲେ । କିନ୍ତୁ ରାକେଶ ଟିକୈତଙ୍କ ଭାଷଣ ପରେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି।
ଏହାମଧ୍ୟରେ ଶୁକ୍ରବାର ମୁଜାଫରନଗରରେ କୃଷକମାନେ ମହାପଞ୍ଚୟତ ଆୟୋଜନ କରିଥିଲେ । ଏଥିରେ ମୁଜାଫରନଗର ଓ ପଶ୍ଚିମ ୟୁପିର ଅନ୍ୟ ଜିଲ୍ଲାରେ ଶନିବାର ଦିଲ୍ଲୀ ଆଡେ ରାଲି ବାହାରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ମହାପଞ୍ଚାୟତରେ ଆରଏଲଡି ନେତା ଜୟନ୍ତ ଚୌଧରୀ ଓ ଆପ୍ ନେତା ସଞ୍ଜୟ ସିଂ ଉପସ୍ଥିତ ଥିଲେ ।
ସେପଟେ ହିଂସା ଘଟାଇଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ବର୍ତ୍ତମାନ ଯାଏଁ ୪୪ ଜଣକୁ ଗିରଫ କରିଛି। ଏଥିରେ ଦିଲ୍ଲୀ-ହରିୟାଣା ସିଙ୍ଘୁ ସୀମାରେ ଆନ୍ଦୋଳନ ବେଳେ ଶୁକ୍ରବାର ଦିନ ଜଣେ ପୁଲିସ କର୍ମୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ବ୍ୟକ୍ତି ମଧ୍ୟ ସାମିଲ ଥିବା ପୁଲିସ ସୂଚନା ଦେଇଛି।
ସୂଚନାଯୋଗ୍ୟ, କେନ୍ଦ୍ରର ତିନି ନୂଆ କୃଷି ଆଇନକୁ ବିରୋଧ କରି ଦୁଇ ମାସରୁ ଅଧିକ ଦିନ ହେବ କୃଷକମାନେ ଦିଲ୍ଲୀର ବିଭିନ୍ନ ସୀମରେ ବିରୋଧ ପ୍ରଦର୍ଶନ କରିବା ସହ ଆନ୍ଦୋଳନ ଜାରି ରଖିଛନ୍ତି।
The post ଆଜି ଅନ୍ନ ଗ୍ରହଣ କରିବେନି ଅନ୍ନଦାତା appeared first on Odisha Reporter.
from Odisha Reporter https://ift.tt/3iZk0AQ
No comments:
Post a Comment