ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା। ଗତକାଲି ଟ୍ରାକ୍ଟର ରାଲିରେ ଚାଷୀଙ୍କ ହିଂସାକାଣ୍ଡ ପରେ ଦିଲ୍ଲୀ ମହାନଗର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଲାଲକିଲ୍ଲା ଓ ଜମା ମସଜିଦ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଲାଲକିଲ୍ଲା ମେଟ୍ରୋ ଷ୍ଟେସନକୁ ବନ୍ଦ କରି ଦିଆଯାଇଛି। ସେହିପରି ନିକଟତମ ଜାମା ମସଜିଦ୍ ମେଟ୍ରୋ ଷ୍ଟେସନର ପ୍ରବେଶ ପଥକୁ ବନ୍ଦ ରଖାଯାଇଛି। ଏହାସହ ଗତକାଲିର ଘଟଣାକୁ ନେଇ ଦିଲ୍ଲୀ ପୋଲିସ ୧୫ଟି ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଏହା ଭିତରୁ ଦିଲ୍ଲୀ ମହାନଗରର ପୂର୍ବାଞ୍ଚଳ ରେଞ୍ଜରେ ୫ଟି ମାମଲା ରୁଜୁ ହୋଇଛି । ସମୟ ଗଡିବା ସହିତ ଅଭିଯୋଗ ଆସିଲେ, ଆହୁରି ଏତଲା ରୁଜୁ ହେବ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଚାଷୀମାନେ ଆନ୍ଦୋଳନ କରୁଥିବା ସିଙ୍ଘୁ, ଗାଜିପୁର, ଟିକ୍ରି, ମୁକାର୍ବା ଚୌକ ଓ ନଙ୍ଗୋଲି ଅଞ୍ଚଳରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ସେପଟେ ସୁରକ୍ଷା ଦୃଷ୍ଟିରୁ ୧୫ପ୍ଲାଟୁନ୍ ସିଆର୍ପିଏଫ୍ ମୁତୟନ କରାଯାଇଛି । ଦିଲ୍ଲୀ ନିକଟରେ ଥିବା ପଞ୍ଜାବ ଓ ହରିୟାଣା ସୀମାରେ ହାଇଆଲର୍ଟ ଜାରି କରାଯାଇଛି । ଗତକାଲି ଚାଷୀଙ୍କ ହିଂସାକାଣ୍ଡରେ ୮୬ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି।
ଅନ୍ୟପଟେ ଗତକାଲିର ହିଂସାକାଣ୍ଡ, ଅଗଣତାନ୍ତ୍ରିକ, ଆଇନକୁ ଖିଲାପ କରିବା ପରେ ବିକ୍ଷୋଭକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଖୋଳତାଡ଼ ଆରମ୍ଭ ହୋଇଛି । ଦିଲ୍ଲୀ ପୋଲିସ୍ ଲାଲକିଲ୍ଲା ଅଞ୍ଚଳର ସିସିଟିଭିକୁ ଯାଞ୍ଚ କରିବା ସହ ସମସ୍ତ ଭିଡିଓକୁ ତଦନ୍ତ ପରିସରକୁ ନେଇଛି।
ଅନ୍ୟପକ୍ଷରେ ବ୍ୟାପକ ହିଂସାକାଣ୍ଡ ପରେ କୃଷକମାନେ ଟ୍ରାକ୍ଟର ରାଲି ବନ୍ଦ କରିଛନ୍ତି। ସମସ୍ତ ଚାଷୀଙ୍କୁ ଦିଲ୍ଲୀ ସୀମାରେ ପୂର୍ବରୁ ଚାଲିଥିବା ଆନ୍ଦୋଳନସ୍ଥଳକୁ ଫେରି ଆସିବାକୁ କୁହାଯାଇଛି। ଦୁଇ ତିନି ଦିନ ମଧ୍ୟରେ ପରବର୍ତ୍ତୀ କାର୍ଯ୍ୟନ୍ଥା ସ୍ଥିର କରାଯିବ ବୋଲି ଚାଷୀ ନେତା କହିଛନ୍ତି। ସେପଟେ ଆମେରିକାର ରାଜଧାନୀ ଓ୍ୱାଶିଂଟନ ଡିସିରେ ଭାରତୀୟ ଦୂତାବାସ ଆଗରେ ଖଲିସ୍ତାନୀ ସମର୍ଥକମାନେ ବିକ୍ଷୋଭ କରିଛନ୍ତି। ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଭାରତୀୟ ଦୂତାବାସ ଆଗରେ ଜୋରଦାର ବିକ୍ଷୋଭ କରିଛନ୍ତି।
The post ୧୫ ମାମଲା ରୁଜୁ, ସୁରକ୍ଷା ଘେରରେ ଦିଲ୍ଲୀ appeared first on Odisha Reporter.
from Odisha Reporter https://ift.tt/3pm2kBP
No comments:
Post a Comment