ପୁରୀ (ଓଡ଼ିଶା ରିପୋର୍ଟର): ଜଗା ଦର୍ଶନରୁ ହଟିବ ଆଉ ଏକ ବାଧା। ଲାଗିଥିବା ବ୍ୟାରିକେଡ୍କୁ ଆସନ୍ତାକାଲି ଠାରୁ ଉଠାଇ ଦିଆଯିବ। ପୁରୀ ଏସ୍ପି କନୱର ବିଶାଲ ସିଂହ ଦେଇଛନ୍ତି ଏହି ସୂଚନା।
ଏସ୍ପିଙ୍କ ସୂଚନା ଅନୁଯାୟୀ, ଶୃଙ୍ଖଳିତ ଦର୍ଶନ ପାଇଁ ଜଗନ୍ନାଥବଲ୍ଲଭ ଠାରୁ ମରିଚିକୋଟ ପର୍ଯ୍ୟନ୍ତ ଯେଉଁ ବ୍ୟାରିକେଡ୍ କରାଯାଇଥିଲା, ତାକୁ ହଟାଇ ଦିଆଯିବ। ଦର୍ଶନ ବ୍ୟବସ୍ଥାକୁ ଅଧିକ ସହଜ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରଦ୍ଧାଳୁମାନଙ୍କ ଠାରୁ ନିଆଯାଇଥିବା ମତାମତ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।
ଏହା ସହିତ ପୁରୀ ଏସ୍ପି ଭକ୍ତ ଓ ସାଧାରଣ ଲୋକଙ୍କୁ ଦର୍ଶନ ବ୍ୟବସ୍ଥା ନେଇ ଅଧିକରୁ ଅଧିକ ଫିଡ୍ବ୍ୟାକ୍ ବା ମତାମତ ଦେବାକୁ ଅନୁରୋଧ କରିଛନ୍ତି। ସେହିସବୁ ମତାମତକୁ ନେଇ ଭିଡ଼କୁ ନିୟନ୍ତ୍ରଣ କରି ଶ୍ରୀଜିଉଙ୍କ ଦର୍ଶନ ପାଇଁ କିଭଳି ଆହୁରି ସୁନ୍ଦର ବ୍ୟବସ୍ଥା କରି଼ହେବ, ସେ ଉପରେ ବିଚାର କରାଯିବ ବୋଲି ଏସ୍ପି କହିଛନ୍ତି।
କରୋନା ଯୋଗୁ ୧୦ ମାସ ବନ୍ଦ ରହିବା ପରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ହୋଇଛି। ଜାନୁଆରୀ ୨୧ ତାରିଖରୁ ଲୋକେ ବିନା କୋଭିଡ୍ ରିପୋର୍ଟରେ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି। ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ପ୍ରୋଟୋକଲ୍ ମାନି ମାର୍କେଟ୍ ଛକରୁ ବ୍ୟାରିକେଡ୍ରେ ପ୍ରବେଶ କରି ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଉଛନ୍ତି। ଦର୍ଶନ ପରେ ସେମାନେ ଉତ୍ତର ଦ୍ୱାର ଦେଇ ବାହାରୁଛନ୍ତି।
ଭକ୍ତ ମାନଙ୍କୁ ହାତ ସାନିଟାଇଜ୍ କରି ମନ୍ଦିରକୁ ପ୍ରବେଶ କରିବାକୁ କୁହାଯାଇଥିବା ବେଳେ ସାମାଜିକ ଦୂରତା ରକ୍ଷା କରିବା, ଦେବାଦେବୀଙ୍କୁ ସ୍ପର୍ଶ ନକରିବା, ପାନ ଓ ଗୁଟଖା ଛେପ ନପକାଇବାକୁ କୁହାଯାଇଛି। ତା’ସହିତ ଶ୍ରୀମନ୍ଦିର ଭିତରେ କିମ୍ବା ବାହାରେ ମହାପ୍ରସାଦ ସେବନ ନକରିବା ଭଳି ସମସ୍ତ ଏସଓପି ପାଳନ କରିବାକୁ କୁହାଯାଇଛି। ତର୍ମାଲ୍ ସ୍କ୍ରିନିଂ ବେଳେ ଶରୀରର ତାପମାତ୍ର ୧୦୦ ଉପରକୁ ରହିଲେ ଭକ୍ତଙ୍କୁ ମନ୍ଦିର ଭିତରକୁ ନଛାଡ଼ିବାକୁ ବ୍ୟବସ୍ଥା ହୋଇଛି। ସେହିପରି କରୋନାକୁ ଦୃଷ୍ଟିରେ ରଖି ମନ୍ଦିରକୁ ସାନିଟାଇଜ୍ କରିବା ପାଇଁ ରବିବାର ଶ୍ରୀଜିଉଙ୍କ ଦର୍ଶନକୁ ବନ୍ଦ କରାଯିବ। ଏହି କ୍ରମରେ ଆଜି ସାଧାରଣ ଦର୍ଶନ ବନ୍ଦ ରହିଛି।
The post ଜଗା ଦର୍ଶନରୁ ହଟିଲା ଆଉ ଏକ ବାଧା appeared first on Odisha Reporter.
from Odisha Reporter https://ift.tt/3ppYTdi
No comments:
Post a Comment