ପୁରୀ(ଓଡ଼ିଶା ରିପୋର୍ଟର): ଭକ୍ତ ଭଗବାନ ମଧ୍ୟରେ ଥିବା କୋଭିଡ଼ ରିପୋର୍ଟ କଟକଣା ଆଜିଠୁ ଉଠିଗଲା । ଆଜିଠୁ ରତ୍ନ ବେଦୀରେ ଶ୍ରୀଜୀଉଙ୍କ ଦର୍ଶନ କରି ଆତ୍ମବିଭୋର ଭକ୍ତ। ମହାପ୍ରଭୁଙ୍କ ଦର୍ଶନ ଲାଗି ଆଉ ଆବଶ୍ୟକ ନାହିଁ କୋଭିଡ ନେଗେଟିଭ୍ ରିପୋର୍ଟ । ଦୀର୍ଘ ୯ ମାସ ଧରି କାଳିଆ ସାଆନ୍ତକୁ ଟିକେ ଦେଖିବାକୁ ଛଟପଟ ହେଉଥିବା ଭକ୍ତ ଆଜି ନିର୍ବିଘ୍ନରେ କରୁଛନ୍ତି ପ୍ରଭୁଙ୍କ ଦର୍ଶନ ।
କୋଭିଡ ନେଗେଟିଭ୍ ରିପୋର୍ଟ ଆବଶ୍ୟବ ନ ଥିଲେ ମଧ୍ୟ ସାମାଜିକ ଦୂରତା, ମାସ୍କ ଏବଂ ଏସ୍ଓପି ମାନି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି । ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଧାଡିରେ ଦର୍ଶନ ବ୍ୟବସ୍ଥା କରାଯାଇଛି ।
ସକାଳ ୬ଟାରୁ ୭ଟା ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପୁରୀବାସୀ ନିଜର ପରିଚୟ ପତ୍ର ଦେଖାଇ ସିଂହଦ୍ୱାର ଦେଇ ପ୍ରବେଶ କରି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ସକାଳ ୭ଟାରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ରାଜ୍ୟ ସମେତ ରାଜ୍ୟ ବାହାରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ ପାଇବା ଲାଗି ଛୁଟି ଆସିଛନ୍ତି।
ପ୍ରତିଦିନ ପାଖାପାଖି ୩୦ହଜାର ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଥର୍ମାଲ ସ୍କ୍ରିନିଂ ସମୟରେ ୧୦୦ଡିଗ୍ରୀ ଉପରକୁ ତାପମାତ୍ରା ଥିଲେ ମେଡିକାଲ ଯିବା ପାଇଁ ଦିଆଯିବ ପରାମର୍ଶ।
ସୂଚନାଯୋଗ୍ୟ, ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ପୁରୀ ଜିଲ୍ଲାପାଳ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଜିଲ୍ଲାପାଳଙ୍କ ସମେତ ପୁରୀ ଏସ୍ପି, ଡିଆଇଜି ସମୀକ୍ଷା କରି କିଭଳି ଦର୍ଶନକୁ ସୁବ୍ୟବସ୍ଥିତ କରାଯାଇ ପାରିବ ସେ ଉପରେ ଆଲୋଚନା କରିଥିଲେ।
ପୁଲିସ୍ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପୁରୀରେ ୨୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ୨ ଆଡିସନାଲ ଏସ୍ପି, ୭ ଡିଏସ୍ପି ଏବଂ ୨୦ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ଅଛନ୍ତି।
The post ଉଠିଲା କୋଭିଡ଼ ରିପୋର୍ଟ କଟକଣା, ଆଜିଠୁ ନିର୍ବିଘ୍ନରେ କାଳିଆ ଦର୍ଶନ appeared first on Odisha Reporter.
from Odisha Reporter https://ift.tt/3qIAnoj
No comments:
Post a Comment