ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୁଁ ବିଜେପିକୁ କିଛି କହିବାକୁ ଚାହେଁନି। ସେ ମୋ କଥାରେ କିଛି କରିଦେବେ ତାହା ନୁହେଁ। ବିଜେପି ଯାହା କରିବା କଥା କରିବ, ଆମେ ଯାହା କରିବା କଥା କରିବୁ।”
କଟକ ଜିଲ୍ଲା ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡରେ ଶାସକ ବିଜେଡି ଉପରକୁ ଅଙ୍ଗୁଳି ଉଠିଛି। ଏନେଇ ମାହାଙ୍ଗା ଥାନାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଅଭିଯୋଗ ହେବା ପରେ ମୁହଁ ଖୋଲି ଏପରି କହିଛନ୍ତି ଖୋଦ ଆଇନ ମନ୍ତ୍ରୀ ।
ଏନେଇ ମନ୍ତ୍ରୀ କହିଛନ୍ତି, “ମାହାଙ୍ଗାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଆମ ନାଁରେ ଏତଲା ହୋଇଛି, ତଦନ୍ତ ହେଲେ ସତ ଜଣାପଡ଼ିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ କିଛି ଘଟଣା ଘଟିଲେ ଦୋଷୀ ଗିରଫ ହୋଇ ଦଣ୍ଡ ପାଇବା ଲକ୍ଷ୍ୟ ହେଉ । ମୋ ତରଫରୁ ବ୍ୟକ୍ତିଗତ ଭାବେ ଉଦ୍ୟମ ରହିବ, ଦୋଷୀ କିପରି ତୁରନ୍ତ ଗିରଫ ହେଉ। କଠୋରରୁ କଠୋର ଦଣ୍ଡ ପାଉ।”
ଏହାବ୍ୟତୀତ ମନ୍ତ୍ରୀ କହିଛନ୍ତି, “ ବିରୋଧୀ ଦଳ ଏହି ଘଟଣାକୁ ରାଜନୈତିକ ରୂପ ଦେବାକୁ ଚାହୁଁଥିବାରୁ ସେମାନେ ଏହା ଚାହୁଁଛନ୍ତି ନା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।” ସେପଟେ ଅଭିଯୁକ୍ତଙ୍କୁ ଗିରଫ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆଜିଠୁ କଟକ ଜିଲ୍ଲାର ସବୁ ବ୍ଲକ୍ରେ ବିକ୍ଷୋଭ ପ୍ରଦର୍ଶନ ସହ ମାହାଙ୍ଗାରେ ରାସ୍ତାକୁ ଓହ୍ଲାଇଛି ବିଜେପି ।
ସେପଟେ ଗତକାଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଘଟଣାରେ ସମ୍ପୃକ୍ତି ଅଭିଯୋଗ ଆଣି ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଥିଲେ । ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଏଫଆଇଆରରେ ଆସିବା ପରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରିବାକୁ ଦାବି ହୋଇଛି ।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା। ଏହି ହତ୍ୟାକାଣ୍ଡରେ କୁଳମଣିଙ୍କ ପରିବାର ଲୋକେ ଆଇନ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ଅଭିଯୋଗ ଆଣିଥିବାରୁ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ସେ ଦାବି କରିଛନ୍ତି।
କୁଳମଣି ବରାଳଙ୍କ ପୁଅ ରମାକାନ୍ତ କହିଛନ୍ତି, “ଦୁର୍ନୀତିକୁ ବିରୋଧ କରିବା ଯୋଗୁ ତାଙ୍କୁ ହତ୍ୟା କରାଯାଇଛି। ଏହା ପଛରେ ସଂପୂର୍ଣ୍ଣ ଭାବେ ଆଇନ ମନ୍ତ୍ରୀଙ୍କ ହାତ ରହିଛି। ତାଙ୍କଠାରୁ ସାହସ ପାଇ ଓ ତାଙ୍କ ନିର୍ଦ୍ଦେଶରେ ଏମିତି କାଣ୍ଡ କରାଯାଇଛି। ଦୁଇ ବର୍ଷ ତଳେ ଏଠାରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିଲା। ସେହି ମାମଲାରେ ପୁଲିସ୍ କିଛି ପଦକ୍ଷେପ ନେଲା ନାହିଁ। ତେଣୁ ସେମାନଙ୍କ ସାହାସ ବଢ଼ିଲା ଓ ଏଇ ଘଟଣା ଘଟିଲା।”
କୁଳମଣି ବରାଳଙ୍କ ସହିତ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ମଧ୍ୟ ହତ୍ୟା କରାଯାଇଛି। ଦିବ୍ୟସିଂହଙ୍କ ପୁଅ ଜିତେନ୍ଦ୍ର କହିଛନ୍ତି, “ଏହି ହତ୍ୟାକାଣ୍ଡରେ ବିଜେଡିର ହାତ ରହିଛି। କାଳେ ମୋ ବାପା କାହା ନାଁ କହିଦେବେ ସେଥିପାଇଁ ତାଙ୍କୁ ହତ୍ୟା କରାଯାଇଛି।”
ସୂଚନାଯୋଗ୍ୟ, ଏହି ହତ୍ୟା ଘଟଣାରେ ମାହାଙ୍ଗା ଥାନାରେ ୧୩ ଜଣଙ୍କ ନାଁରେ ଏତଲା ଦେଇଛନ୍ତି କୁଳମଣି ବରାଳଙ୍କ ପୁଅ ରମାକାନ୍ତି। ସେମାନଙ୍କ ମଧ୍ୟରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଯଁକୁଟି ଗାଁର ୪ଜଣ ଓ ନୃତାଙ୍ଗ ଗାଁର ୮ଜଣଙ୍କ ନାଁ ରହିଛି। ପୁଲିସ୍ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଅପରପକ୍ଷେ, ଏହି ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ କହିବାରୁ ତାଙ୍କୁ ମାରି ଦେଲେ। ଆମେ ଛାଡ଼ିବୁ ନାହିଁ। ଏହି ପ୍ରସଙ୍ଗକୁ ନେଇ ସବୁ ଗାଁକୁ ଯିବୁ। ଆବାସ ଯୋଜନାରେ କେଉଁ ଧନୀ ଓ ଗରିବ ଘର ପାଇଛନ୍ତି ତାଲିକା ମାରିବୁ। ହତ୍ୟାକାଣ୍ଡ ପଛରେ ମନ୍ତ୍ରୀ ଓ ବିଜେଡି କର୍ମୀଙ୍କ ହାତ ଥିବା ଅଭିଯୋଗ ହେଉଛି। ମନ୍ତ୍ରୀ କହିଛନ୍ତି, ଶୀଘ୍ର ଦୋଷୀଙ୍କୁ ଧରିବେ। ସତ୍ ସାହାସ ଥିଲେ ଧରନ୍ତୁ। ଏଠି ପଶ୍ଚିମବଙ୍ଗ ଭଳି କାଣ୍ଡ ଆରମ୍ଭ ହୋଇଛି।
The post ‘ବିଜେପି ଯାହା କରିବା କଥା କରୁ, ଆମେ ଯାହା କରିବା କଥା କରିବୁ’ appeared first on Odisha Reporter.
from Odisha Reporter https://ift.tt/3pMtWjr
No comments:
Post a Comment