ରାଉରକେଲା (ପବନ ତିୱାରୀ): ଟ୍ରେନ୍ ଧକ୍କାରେ ଦୁଇଟି ହାତୀଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ବିଶ୍ରାର ଜରେଇକେଲା ନିକଟ ମହିପାଣିରେ ଗତକାଲି ରାତିରେ ଏହି ଘଟଣା ଘଟିଛି।
୨ଟି ହାତୀ ଟ୍ରେନ୍ ଲାଇନ ପାର ହେଉଥିବାବେଳେ ଏକ ମାଲବାହୀ ଟ୍ରେନ୍ ସେମାନଙ୍କୁ ଧକ୍କା ଦେଇଥିଲା। ଟ୍ରେନ୍ ଲାଇନ୍ରେ ୨ ହାତୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ପଡ଼ି ରହିଛି। ଗୋଟିଏ ହାତୀକୁ ଧକ୍କା ଦେବା ପରେ ତାକୁ କିଛି ବାଟ ଟାଣି ନେଇଥିଲା ମାଲବାହୀ ଟ୍ରେନ୍। ଖବର ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୁଇ ତିନି ଦିନ ହେଲାଣି ପ୍ରାୟ ୧୫ଟି ହାତୀ ଥିବା ଏକ ପଲ ଏହି ଅଞ୍ଚଳରେ ବୁଲୁଛନ୍ତି। ଏ ହାତୀ ଦୁଇଟି ଦଳରୁ ଅଲଗା ହୋଇଯାଇଥିଲେ। ଏବଂ ଗତକାଲି ବିଳମ୍ବିତ ରାତିରେ ରେଳ ଧାରଣା ପାର ହେଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।
ଘଟଣାସ୍ଥଳରେ ପହଞ୍ଚିଥିବା ଜଣେ ବନ ବିଭାଗ କର୍ମଚାରୀ କହିଛନ୍ତି ଯେ ଏହି ଅଞ୍ଚଳରେ ହାତୀ ଟ୍ରାକିଂ ଚାଲିଥିବା ନେଇ ରେଳବାଇକୁ ଅବଗତ କରାଯାଇଥିଲା। ତଥାପି ଟ୍ରେନ୍ଟି ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ଆସୁଥିଲା। ତା’ସହିତ ଲମ୍ବା ହର୍ଣ୍ଣ ମଧ୍ୟ ଦେଇ ନଥିଲା।
ଖବର ଲେଖାଯିବା ସୁଦ୍ଧା ରେଳବାଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନଥିଲା। ଉଭୟ ରେଳ ଓ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବେ ବୋଲି ଜଣାପଡ଼ିଛି।
ଏଭଳି ଘଟଣା ରାଜ୍ୟରେ ପ୍ରାୟ ପ୍ରତ୍ୟେକ ବର୍ଷ ଦେଖିବାକୁ ମିଳିଛି। ଗତବର୍ଷ ଡିସେମ୍ବର ମାସରେ ସମ୍ବଲପୁର ଜିଲ୍ଲାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା। ଏକ ଯାତ୍ରୀବାହୀ ଟ୍ରେନ୍ ଧକ୍କାରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ସମ୍ବଲପୁରର ହାତୀବାରି ଓ ମାନେଶ୍ୱର ଷ୍ଟେସନ୍ ମଧ୍ୟସ୍ଥ ଭବାନୀପାଲିରେ ଏହି ଘଟଣା ଘଟିଥିଲା। ପୁରୀ-ସୁରତ ଏକ୍ସପ୍ରେସ ଟ୍ରେନ୍ ଦନ୍ତାକୁ ଧକ୍କା ଦେବା ପରେ ଲାଇନଚ୍ୟୁତ ହୋଇଥିଲା। ହାତୀକୁ ଧକ୍କା ଦେବା ପରେ ଟ୍ରେନ୍ର ସମ୍ମୁଖ ଇଞ୍ଜିନ୍ର ୬ଟି ଚକ ଲାଇନ୍ଚ୍ୟୁତ ହୋଇଯାଇଥିଲା। ତେବେ ଏଥିଯୋଗୁ କୌଣସି ଯାତ୍ରୀଙ୍କର କୌଣସି କ୍ଷତି ହୋଇ ନଥିଲା।
The post ଦୁଇ ହାତୀଙ୍କ ଜୀବନ ନେଲା ଟ୍ରେନ୍ appeared first on Odisha Reporter.
from Odisha Reporter https://ift.tt/3to6hZl
No comments:
Post a Comment