ସୋର(ଶଶିକାନ୍ତ ବେହେରା): “୨ ବର୍ଷ ହେଲା ବାହା ହୋଇଛି। ୮ ମାସ ଶାଶୁ ଘରେ ରହିଛି। ୩ ମାସର ଗର୍ଭବତୀ ଥିଲି, ଶ୍ୱଶୁର କହିଲେ ବାପ ଘରକୁ ପଳା। ମୁଁ ବାପଘରକୁ ଯାଇଥିଲି। ଆସିଲା ବେଳକୁ ଶାଶୁ, ଶ୍ୱଶୁର ଘରେ ପଶାଇ ଦେଉ ନାହାନ୍ତି। ଠେଲିକି କହୁଛନ୍ତି, ପୁଅ ଆସିଲେ ତୁ ଆସିବୁ, ଏଠିକି କ’ଣ ପାଇଁ ଆସିଛୁ।” ମାତ୍ର ୨ ବର୍ଷର ଦାମ୍ପତ୍ୟ ଜୀବନରେ ଏପରି ଝଡ଼ଝଞ୍ଜାର ସମ୍ମୁଖିନ ହୋଇଥିବା କୋହଭରା କଣ୍ଠରେ କହିଛନ୍ତି କୁନିଲତା ପରିଡା ନାମ୍ନୀ ମହିଳା । କୋଳରେ ୪ ମାସର ଛୁଆ ଥିଲେ ବି ଶାଶୁ ଘର ଏରୁଣ୍ଡି ଡେଇଁବାକୁ ଅନୁମତି ନ ମିଳିବାରୁ ଥଣ୍ଡା କାକରରେ ରାତିରେ ଶାଶୁ ଘର ବାହାରେ ଛୁଆକୁ ଧରି ପଡ଼ିରହିଥିଲେ ମହିଳାଜଣକ। ଏପରି ସ୍ପର୍ଶକାତର ଘଟଣା ଗତ କାଲି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ପଦନପଡା ଗ୍ରାମରେ ଦେଖିବାକୁ ମିଳିଛି।
୨ ବର୍ଷ ତଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଦଧିବାମନପୁର ଗ୍ରାମର ବୁଧିରାମ ପରିଡାଙ୍କ ଝିଅ କୁନିଲତା ପରିଡାଙ୍କୁ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ପଦନପଡା ଗ୍ରାମର ମନ୍ମଥ ମାଝୀଙ୍କ ପୁଅ ସୁଦର୍ଶନଙ୍କ ବୈଦୀକ ରୀତିରେ ବିବାହ କରିଥିଲେ। ବିବାହର ୮ ମାସ ପର୍ଯ୍ୟନ୍ତ କୁନିଲତା ଶ୍ୱଶୁର ଘରେ ରହିଥିଲେ। ଏହି ସମୟରେ ସେ ଗର୍ଭବତୀ ହେବାରୁ ତାଙ୍କୁ ଶ୍ୱଶୁରଘର ଲୋକ ବାପଘରକୁ ପଠାଇ ଦେଇଥିଲେ। ସ୍ଥିତି ଏପରି ହେଲା ଯେ, ସମ୍ପର୍କରେ ଦେଖାଦେଲା ଫାଟ।
ଇତି ମଧ୍ୟରେ ସୁଦର୍ଶନ କାମ କରିବାକୁ ବାହାରକୁ ଚାଲି ଯାଇଥିବାରୁ ଉଭୟ ପକ୍ଷ ମଧ୍ୟରେ କୌଣସି ମିମାଂସା ହୋଇପାରି ନ ଥିଲା। ଗତ ସନ୍ଧ୍ୟରେ କୁନି ନିଜ ଛୁଆକୁ ଧରି ବାପଘର ଦଧିବାମନପୁରରୁ ଆସି ପଦନପଡାସ୍ଥିତ ଶ୍ୱଶୁର ଘରେ ପହଞ୍ଚିଥିଲେ। କିନ୍ତୁ ଶାଶୁ ଶ୍ୱଶୁର ତାଙ୍କୁ ଘର ପୂରାଇଦେଲେ ନାହିଁ । ସୁଦର୍ଶନ ଆସିଲେ ତୁ ଘରକୁ ଆସିବୁ ବୋଲି ଶାଶୁ ଶ୍ୱଶୁର ରୋକଠୋକ ଜଣାଇ ଦେଇଥିଲେ। ଛୋଟ ଛୁଆ ଧରି ଥଣ୍ଡା କାକରରେ କୁଆଡ଼େ ଯିବେ ବୋଲି କହି କୁନି ନେହୁରା ହେଲେ ମଧ୍ୟ ସେମାନଙ୍କ ହୃଦୟ ତରଳି ନ ଥିଲା।
ଏହାପରେ ସବୁ ଆଡ଼ୁ ନିରାଶ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ କୁନିଲତା ପ୍ରବଳ ଥଣ୍ଡାରେ ୪ମାସର ଶିଶୁକନ୍ୟା ଏବଂ ନିଜ ମା’ଙ୍କୁ ଧରି ଶ୍ୱଶୁର ଘର ସମ୍ମୁଖ ରାସ୍ତା କଡରେ ନ୍ୟାୟ ପାଇଁ ବସି ରହିଲେ ।
ବିଳମ୍ବିତ ରାତି ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ କୌଣସି ସମାଧାନ ହୋଇ ପାରି ନ ଥିଲା। ଏହାପରେ କୁନି ଓ ତାଙ୍କ ଛୁଆକୁ ଉକ୍ତ ଗାଁର ଜଣଙ୍କ ଘରେ ପୁଲିସ୍ ରଖିବା ବନ୍ଦୋବସ୍ତ କରିଥିବା ବେଳେ ଆଜି ଉଭୟ ପକ୍ଷ ମଧ୍ୟରେ ଥାନାରେ ବୈଠକ ହେବ ବୋଲି ଜଣାଯାଇଛି।
The post ଶାଶୁ ଘରେ ପଶାଇ ଦେଲେନି; ୪ ମାସର ଛୁଆ ଧରି ଥଣ୍ଡା କାକରରେ ପଡ଼ି ରହିଲେ ମହିଳା appeared first on Odisha Reporter.
from Odisha Reporter https://ift.tt/3thqVKD
No comments:
Post a Comment