ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ବର୍ଗର ବିରୋଧ ପରେ ଲାଗୁ ହେଉ ହେଉ ପ୍ରତ୍ୟାହୃତ ହେଲା ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ। ହେଲେ ଏହାକୁ ନେଇ ରାଜନୀତି ଥମିବା ନାଁ ଧରୁନି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ପୁରୀକୁ ଶ୍ରୀହୀନ କରିବାକୁ କିଏ ଚକ୍ରାନ୍ତ କରୁଛି, କିଏ ଏଭଳି ସର୍କୁଲାର ଜାରି କରିଥିଲା ତାହାର ତଦନ୍ତ ଦାବି କରିଛନ୍ତି ବିଜେପି ନେତା ବିଜୟ ମହାପାତ୍ର।
ଏନେଇ ବିଜୟ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ ଇସ୍ୟୁ ହେବାର ୩ ଦିନ ପରେ ପ୍ରତ୍ୟାହୃତ ହେଲା। ହେଲେ କାହା ସାହସରେ ଓ କାହା ଅନୁମତିରେ ଏପରି ହେଲା। ଚେୟାରମ୍ୟାନ ଜାଣି ନାହାନ୍ତି, ଅର୍ଡର ଇସ୍ୟୁ ହେଲା ମନ୍ତବ୍ୟକୁ କେହି ସହଜେ ବିଶ୍ୱାସ କରିବେନି। ପୁରୀକୁ ଶ୍ରୀହୀନ କରିବାକୁ କିଏ ଏପରି ହୀନ ଚକ୍ରାନ୍ତ କରିପାରିଲା, ତାହା ନିହାତି ଭାବେ ଜାଣିବା ଉଚିତ। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କିଏ ସର୍କୁଲାର ଜାରି କରିଥିଲା ତାହାର ତଦନ୍ତ ନିହାତି ଆବଶ୍ୟକ।
ସୂଚନାଯୋଗ୍ୟ, ବିଭିନ୍ନ ବର୍ଗରୁ ବିରୋଧ ପରେ ଶେଷରେ ଗତକାଲି ପ୍ରତ୍ୟାହୃତ ହୋଇଛି ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ। ଏହାକୁ ପ୍ରତ୍ୟାହାର କରି ନିଆଯାଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ। ସେ କହିଛନ୍ତି, ଜାତୀୟ ସ୍ମାରକ ପ୍ରାଧିକରଣ (ଏନ୍ଏମ୍ଏ) ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିସ କରାଯାଇଥିଲା।
ଏହି ବାଇ-ଲକୁ ସ୍ଥଗିତ ରଖିବା ଦାବିରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ସମସ୍ତ ବିଜେପି ସାଂସଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଭେଟିଥିଲେ ଏବଂ ସ୍ମାରକପତ୍ର ପ୍ରଦାନ କରିଥିଲେ। ଲୋକଙ୍କ ଧାର୍ମିକ ଭାବନାକୁ ଗୁରୁତ୍ୱ ଦେଇ ବାଇ-ଲକୁ ଏବେ ସ୍ଥଗିତ ରଖିବାକୁ ସେମାନେ ଦାବି କରିଥିଲେ। ସେହିପରି ଏହି ପ୍ରସଙ୍ଗରେ ଗତକାଲି ବିଜେଡି ସାଂସଦମାନେ ମଧ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁରୀ ଯାଇଥିବା ଅବସରରେ ଏହି ପ୍ରସ୍ତାବିତ ବାଇ-ଲକୁ ବିରୋଧ କରି କେହି ପ୍ରଭୁଙ୍କ କାର୍ଯ୍ୟରେ ବାଧା ଦେଇ ପାରିବେ ନାହିଁ ବୋଲି କହିଥିଲେ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ମଧ୍ୟ ଏନେଇ ସଂସ୍କୃତି ବିଭାଗର NMAକୁ ଚିଠି ଲେଖି ଅନୁରୋଧ କରିଥିଲେ। ଏପରିକି ଅସନ୍ତୁଷ୍ଟ ସେବାୟତମାନେ ସୁପ୍ରିମ୍କୋର୍ଟ ଯିବେ ବୋଲି ଚେତାବନୀ ଦେଇଥିଲେ।
The post କାହା ଅନୁମତିରେ ଜାରି ହୋଇଥିଲା ବାଇ ଲ: ବିଜୟ ମହାପାତ୍ର appeared first on Odisha Reporter.
from Odisha Reporter https://ift.tt/3rGTOyl
No comments:
Post a Comment