ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶାରେ ହେଉଛି ଆନ୍ଧ୍ର ଭୋଟ। କୋଟିଆର ୩ ଗାଁରେ ପଞ୍ଚାୟତ ନିର୍ବାଚନକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ସହ ମାମଲା ସୁପ୍ରିମକୋର୍ଟରେ ବିଚରାଧୀନ ରହିଛି। ଏପରି ସ୍ଥିତିରେ ବିଜୟାନଗରମ ଜିଲ୍ଲା ପ୍ରଶାସନ ପକ୍ଷରୁ କିନ୍ତୁ ଆଜି ଓଡ଼ିଶାର କୋରାପୁଟ ଜିଲ୍ଲାର ପଟୁସିନେରି ପଞ୍ଚାୟତରେ ମତଦାନ କରାଯାଉଛି। କେବଳ କୋରାପୁଟ ଜିଲ୍ଲା ନୁହେଁ, ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାର କେତେକ ପଞ୍ଚାୟତରେ ମଧ୍ୟ ଆଜି ହେଉଛି ଆନ୍ଧ୍ର ନିର୍ବାଚନ।
କୋରାପୁଟ ଜିଲ୍ଲାରେ ଥିବା ପଟୁସିନେରିର ୭ଟି ଗାଁକୁ ନେଇ ଆନ୍ଧ୍ର ପ୍ରଦେଶ ଆଉ ଏକ ପଞ୍ଚାୟତ ଗଠନ କରିଛି । ଏଥିରେ ରହିଛି ଓଡ଼ିଶାର ୫ଟି ଗାଁ ଓ ଆନ୍ଧ୍ରର ୨ଟି । ଓଡ଼ିଶାର ଗାଁଗୁଡ଼ିକ ହେଲା ମାଡ଼କାର, ଡଳିଆମ୍ବ, ବର୍ଣ୍ଣାପଡୁ, ପାଟୁସିନେରି ଓ କୋନାଦରା । ଆନ୍ଧ୍ରର ଦୁଇଟି ଗାଁ ହେଲା ଚିକାପାରୁ ଓ ବାଲେଙ୍ଗା ବେଲେସା । ସେହିପରି ତଳଗଂଜେଇ ପଦରର ନାଁ ବଦଳେଇ ଗଂଜେଇ ବାଦ୍ରା ନାଁରେ ନିର୍ବାଚନ କରାଉଛି ଆନ୍ଧ୍ର।
କୋରାପୁଟ ଜିଲ୍ଲାର ପଟୁସିନେରି ପଞ୍ଚାୟତକୁ ବିଜୟାନଗରମ ଜିଲ୍ଲା ପ୍ରଶାସନ ପଟୁଚେନୁରୁ ବୋଲି ଦର୍ଶାଇ ନିର୍ବାଚନ କରୁଛି । ଏହି ଗାଁରେ ୧୦୨୫ ଜଣ ଭୋଟର ଭୋଟ୍ ଦେବା ଲାଗି ବିଜୟାନଗରମ ଜିଲ୍ଲା ପ୍ରଶାସନ ବୁଥ୍ ବ୍ୟବସ୍ଥା କରିଛି ।
ଆଜି ସକାଳ ସାଢ଼େ ୬ଟାରୁ ଏହି ସବୁ ଗାଁରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୩ଟାରେ ସରିବ । ଆନ୍ଧ୍ର ସରକାରଙ୍କ ପକ୍ଷରୁ ମତଦାନ ଚାଲିଥିବା ବେଳେ ଏହି ଭୋଟ୍ ଗ୍ରହଣ ବନ୍ଦ ରଖିବା ଲାଗି କୋରାପୁଟ ଜିଲ୍ଲାପାଳ ଅବଦୁଲ ଅଖତର ବିଜୟାନଗରମ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଏଥିସହ ନିର୍ବାଚନରୁ ବିରତ ରହିବା ଲାଗି ଜିଲ୍ଲାପାଳ ଅନୁରୋଧ କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରିନି।
ସେହିପରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗରେ ମଧ୍ୟ ଆନ୍ଧ୍ର ଆଜି ପଞ୍ଚାୟତ ନିର୍ବାଚନ କରାଉଛି । ଲୋକେ ଅଭିଯୋଗ କରିଛନ୍ତି, ଯଦିଓ ଏହି ଗାଁ ଓଡ଼ିଶାର, ତେବେ ଓଡ଼ିଶା ସରକାରଙ୍କ ସୁବିଧା ସୁଯୋଗ ପହଞ୍ଚୁ ନଥିବାରୁ ସେମାନେ ଆନ୍ଧ୍ର ଆଡ଼କୁ ଢଳୁଛନ୍ତି । କାରଣ ଆନ୍ଧ୍ର ସରକାର ସେମାନଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ଏଠାକାର ଲୋକଙ୍କ ପାଖରେ ଉଭୟ ଆନ୍ଧ୍ର ଏବଂ ଓଡ଼ିଶାର ରାସନ କାର୍ଡ, ଆଧାର, ଭୋଟର କାର୍ଡ ରହିଛି ।
ସେହିପରି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ସୀମାନ୍ତବର୍ତ୍ତୀ ତୁମ୍ବା ପଞ୍ଚାୟତର କୁଲାଡ଼ି ଗାଁରେ ବି ଆଜି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ହେଉଛି। ଏପରିକି କୁଲାଡ଼ି ଗାଁର ଜଣେ ମହିଳା ପ୍ରାର୍ଥୀ ବି ହୋଇଥିବା ସୂଚନା ମିଳିଛି। କୁଲାଡ଼ି ଗାଁର ଲୋକଙ୍କ ପାଖରେ ଉଭୟ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ତରଫରୁ ଆଧାର କାର୍ଡ ଅଛି।
ଅଭିଯୋଗ ହେଉଛି, ଏହି ସୀମାନ୍ତବର୍ତ୍ତୀ ଗାଁରେ ପଞ୍ଚାୟତ ନିର୍ବାଚନ କରାଇବାକୁ ଆନ୍ଧ୍ର ନିଜର ଭୋଟରଙ୍କୁ ବ୍ୟବହାର କରିବାର ମସୁଧା ଚଳାଇଛି । କେବଳ କୋରାପୁଟ କି ଗଂଜାମ ନୁହେଁ, ଗଜପତି ଜିଲ୍ଲାର କେତେକ ସୀମାନ୍ତବର୍ତ୍ତୀ ଗାଁରେ ମଧ୍ୟ ଆଜି ପଞ୍ଚାୟତ ନିର୍ବାଚନ କରାଉଛି ଆନ୍ଧ୍ର ।
ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ଗୁଡ଼ିଖୁଡ଼ି, ମାଧିଆଖୋଲ, ଅମରିଙ୍ଗି, ଆଖଡ଼ା ଓ ବୁରୁଷିଙ୍ଗିରେ ଆଜି ନିର୍ବାଚନ ହେଉଛି ଓଡ଼ିଶାର ୨ ଜଣ ମହିଳା ପ୍ରାର୍ଥୀ ମଧ୍ୟ ହୋଇଥିଲେ । ପ୍ରଶାସନ ବୁଝାସୁଝା କରିବା ପରେ ସେମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି ଏହି ଅଞ୍ଚଳର ଲୋକଙ୍କ ସହିତ ଆଲୋଚନା କରିଛନ୍ତି ଓଡ଼ିଶା ପୋଲିସ ପ୍ରଶାସନିକ ଅଧିକାରୀ। ପାରଳାଖେମୁଣ୍ଡି ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଅଞ୍ଚଳରେ ୪ ଦିନ ହେଲାଣି ଡେରା ପକାଇଛନ୍ତି।
ସୂଚନାଯୋଗ୍ୟ, କୋଟିଆର ୩ ଗାଁରେ ପଞ୍ଚାୟତ ନିର୍ବାଚନ କରି ଅଦାଲତ ଅବମାନନା କରିଥିବା ଅଭିଯୋଗରେ ଓଡ଼ିଶା ପକ୍ଷରୁ ଦାଏର ମାମଲାର ଶୁଣାଣି ଗତକାଲି ସୁପ୍ରିମକୋର୍ଟ କରିଥିଲେ । ଉକ୍ତ ମାମଲାରେ ଆନ୍ଧ୍ରକୁ ନୋଟିସ୍ କରି ଜବାବ ଦାଖଲ ଲାଗି ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ ତାରିଖକୁ ଧାର୍ଯ୍ୟ କରାଯାଇଛି।
The post ଓଡ଼ିଶା ସୀମାନ୍ତ ଗାଁରେ ଆନ୍ଧ୍ର କରୁଛି ନିର୍ବାଚନ, ସକାଳୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ appeared first on Odisha Reporter.
from Odisha Reporter https://ift.tt/3rTpwZh
No comments:
Post a Comment