ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):“ସରକାର କ’ଣ ଚାହୁଁଛନ୍ତି ଆମେ ମୁର୍ଖ ହୋଇଯାଉ। ଦୀର୍ଘ ୧୦ ମାସ ହେଲା ଘରେ ବସି ଏବେ କଲେଜକୁ ଫେରିଥିବା ବେଳେ ପୁଣି ଥରେ କହୁଛନ୍ତି ଘରକୁ ପଳା। ଘରେ କରିବୁ କ’ଣ। ଆମ ଭବିଷ୍ୟତ ପୂରା ଅନ୍ଧକାର ହୋଇଗଲା।” ଏପରି କହି ହଷ୍ଟେଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ବାଣିବିହାର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ।
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ଲମ୍ବ ଡିଆଁ ମାରି ୧୩ଶହ ପାଖାପାଖି ପହଞ୍ଚି ଯାଇଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନ ଖାଲି କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ହଷ୍ଟେଲ ବନ୍ଦ ନିର୍ଦ୍ଦେଶକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ବାଣିବିହାରର ଶତାଧିକ ଛାତ୍ରଛାତ୍ରୀ । ବାଣୀବିହାର ମୁଖ୍ୟ ଫାଟକରେ ତାଲା ପକାଇ ଶତାଧିକ ଛାତ୍ରଛାତ୍ରୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଏମସି ନିର୍ଦ୍ଦେଶରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ହଷ୍ଟେଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୧୨ ତାରିଖ ସୁଦ୍ଧା ଚତୁର୍ଥ ସେମିଷ୍ଟର ପିଲାଙ୍କୁ ହଷ୍ଟେଲ ଛାଡ଼ କରିବାକୁ ନିର୍ଦ୍ଦେଶ ରହିଛି । ସେହିପରି ୧୬ ତାରିଖ ସୁଦ୍ଧା ପ୍ରଥମ ସେମିଷ୍ଟର ପିଲାଙ୍କୁ ହଷ୍ଟେଲ ଛାଡ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କର୍ତ୍ତୃପକ୍ଷ। ହେଲେ କୌଣସି ପରିସ୍ଥିତିରେ ହଷ୍ଟେଲ ଛାଡ଼ିବାକୁ ରାଜି ହେଉ ନାହାନ୍ତି ଛାତ୍ରଛାତ୍ରୀ।
ସରକାରଙ୍କ ବିରୋଧରେ ନାରାବାଜି ଦେଇ ପିଲାମାନେ କହିଛନ୍ତି, “ ପିପିଲି, ଡେଲାଙ୍ଗରେ ଉପନିର୍ବାଚନ ବେଳେ ରାଲି ହୋଇପାରୁଛି। ସେଠାରେ କରୋନା କଟକଣା ଲାଗୁ କରାଯାଉନି। ମଦ ଦୋକାନ, ମାଛ ହାଟ, ପରିବା ଦୋକାନ ଖୋଲୁଛି, ବସ୍ରେ ଭର୍ତ୍ତି ହୋଇ ଲୋକ ଯାଉଛନ୍ତି, ନିର୍ବାଚନ ସମୟରେ ୨୦ ହଜାର ମିଶି ସମାବେଶ କରିପାରୁଛନ୍ତି ।”
ହେଲେ ଶିକ୍ଷାନୁଷ୍ଠାନକୁ କରୋନା ନାଁରେ ବନ୍ଦ କରାଯାଉଛି। ଶିକ୍ଷାନୁଷ୍ଠାନ କ’ଣ ପାଇଁ ବନ୍ଦ ହେଉଛି। ଶିକ୍ଷା ଆଗ ନା ନିର୍ବାଚନ ଆଗ ବୋଲି ପିଲାମାନେ ପ୍ରଶ୍ନ କରିଛନ୍ତି।
ଏଥିସହ କହିଛନ୍ତି, କରୋନା ନାଁ ନେଇ ସରକାର ବିଶ୍ୱବିଦ୍ୟାଳୟର ନୈତିକ ବାତାବରଣ ଖରାପ କରି ଦେଉଛନ୍ତି। ଆସନ୍ତାକାଲି ପରୀକ୍ଷା ନିମନ୍ତେ କଲେଜ କର୍ତ୍ତୃପକ୍ଷ ଗୋଟିଏ ହାତରେ ନୋଟିସ ଦେଉଛନ୍ତି, ଅନ୍ୟ ହାତରେ ହଷ୍ଟେଲ ଖାଲି କରିବାକୁ ନୋଟିସ ଦେଉଛନ୍ତି । ଏହା କି ପ୍ରକାର ନ୍ୟାୟ।
ବାଣିବିହାରରେ ଜଣେ ବି ପଜିଟିଭ ବାହାରି ନାହାନ୍ତି। ହେଲେ ହଷ୍ଟେଲ ଖାଲି କରିବାକୁ କହି ସାରିଲେଣି। ହେଲେ ଯେଉଁଠି ଲୋକ ଗହଳି ହେଉଛି ସେଠାରେ ଆଖି ବୁଜି ଦେଉଛନ୍ତି। କରୋନା ବ୍ୟାପିବ କହି ହଷ୍ଟେଲ ଖାଲି କରିବା ଅପେକ୍ଷା ଶିକ୍ଷାନୁଷ୍ଠାନରେ କିପରି କରୋନା ନ ବ୍ୟାପିବ ତାହାର ବ୍ୟବସ୍ଥା ସରକାର କରନ୍ତୁ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଖି ପିଛୁଳାକେ ବଢ଼ି ଚାଲିଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ସରକାରଙ୍କ ପକ୍ଷରୁ ସିଲ୍ କରି ପିଲାଙ୍କୁ ଘରକୁ ପଳାଇବାକୁ ନିର୍ଦ୍ଦେଶ ଦିଆଯାଉଛି। ଏହାକୁ ଦୃଢ ପ୍ରତିବାଦ କରି ପିଲାମାନେ ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଛନ୍ତି।
The post ରାଜରାସ୍ତାରେ ବାଣୀବିହାର ଛାତ୍ରଛାତ୍ରୀଙ୍କ ଗର୍ଜନ-‘ପିପିଲିରେ ରାଲି ହେଉଛି, ଆମକୁ କହୁଛନ୍ତି ହଷ୍ଟେଲ ଛାଡ଼’ appeared first on Odisha Reporter.
from Odisha Reporter https://ift.tt/2PO6FRR
No comments:
Post a Comment