ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଲାଲ ଟହ ଟହ କଙ୍କଡ଼ା ଝୋଳ ସାଙ୍ଗକୁ ବାମ୍ବୋ ଚିକେନ୍ ଆଉ ନାରିୟଲ ଚିକେନ୍। ତା’ ସାଙ୍ଗକୁ ପାଟି ମିଠା କରିବାକୁ ରସଗୋଲା ସାଙ୍ଗଙ୍କୁ କ୍ଷିର ପୋଡ଼ପିଠା। ଏପରି ଭଳିକି ଭଳି ଖାଣ୍ଟି ଓଡ଼ିଆ ଖାଦ୍ୟ ପାଇଁ ଅର୍ଡର ଆସିଲା ମାୟାନଗରୀ ମୁମ୍ବାଇରୁ। ଅର୍ଡର କରିଥିଲେ ଖୋଦ ଆକ୍ସନ ଷ୍ଟାର ଅଜୟ ଦେବଗନ ଓ ପତ୍ନୀ କାଜଲ। ଆଉ ତାହାକୁ ବିମାନରେ ପଠାଇଛନ୍ତି ରୋଜିସ୍ କିଚେନ୍ ମାଲିକ ସରୋଜା ଚୌଧୁରୀ।
ରୋଜିସ୍ କିଚେନ୍ ସ୍ୱତ୍ତାଧିକାରୀ ସରୋଜା ଚୌଧୁରୀଙ୍କ କହିବା ଅନୁଯାୟୀ, ବଲିଉଡ୍ ସେଲିବ୍ରିଟିଙ୍କୁ କଙ୍କଡ଼ା ଓ ଚିଙ୍ଗୁଡ଼ି ଯୋଗାଉଥିବା ଡ. ଭିନିଥ୍ଙ୍କ ଜରିଆରେ ତାଙ୍କର ସ୍ୱତନ୍ତ୍ର କ୍ଷୀର ପୋଡ଼ ପିଠା ଥରେ ଚାଖିଥିଲେ ଅଜୟ ଓ କାଜଲ । ଏହାପରଠୁ କ୍ଷିର ପୋଡ଼ ପିଠା ଉପରେ ଫିଦା ହୋଇଗଲେ ଅଜୟ। ଏହାପରେ ତାଙ୍କ ରୋଷେଇ କଥା ଶୁଣି ପରେ କଙ୍କଡ଼ା ଓ ଚିଙ୍ଗୁଡ଼ିକୁ ଓଡ଼ିଆ ଷ୍ଟାଇଲରେ ରୋଷେଇ କରି ପଠାଇବାକୁ ଅର୍ଡର ବି ଦେଲେ । ଖାଲି ନନଭେଜ୍ ଡିସ୍ ନୁହେଁ, ରସଗୋଲା, ଛେନାପୋଡ଼ ଭଳି ଓଡ଼ିଶାର ପାରମ୍ପରିକ ମିଠା ବି ପଠାଯାଇଛି ଏହି ସେଲିବ୍ରିଟି କପଲଙ୍କ ନିକଟକୁ ।
ଗତକାଲି ଏପରି ଅର୍ଡ ଆସିବା ପରେ ପ୍ୟାକିଙ୍ଗ୍ ହୋଇ ସନ୍ଧ୍ୟା ୭ଟା ୧୫ରେ ଭୁବନେଶ୍ୱର ବିମାନବନ୍ଦରରୁ ମୁମ୍ବାଇ ପଠାଗଲା। ରାତିରେ ଅଜୟ ଦେବଗନ ଓ କାଜଲଙ୍କ ଡାଇନିଂ ଟେବୁଲରେ ତାହା ପରଷା ଯାଇଥିବା ଜଣାଯାଇଛି। । ଜଣାଶୁଣା ସି ଫୁଡ୍ ବ୍ୟବସାୟୀ ଡ. ଭିନିଥ୍ ଜରିଆରେ ରୋଜିସ୍ କିଚେନ୍କୁ ଏ ଅର୍ଡର ମିଳିଥିଲା।
ଜଣେ ବଲିଉଡ ସେଲିବ୍ରିଟିଙ୍କ ନିକଟକୁ ନିଜ ହାତ ରନ୍ଧା ପଠାଇ ବେଶ୍ ଖୁସି ଥିବା ସରୋଜା କହିଛନ୍ତି, ଅଜୟ ମଲାଇ କରି, କଙ୍କଡ଼ା ଆଳୁ ଝୋଳ, କଙ୍କଡ଼ା କଷା, ମାଛ ବେସର, ଦହି ମାଛ, ମାଛ ତାୱା ଫ୍ରାଏ, ରସଗୋଲା, କ୍ଷିର ପୋଡ଼ପିଠା ଅର୍ଡର କରିଥିଲେ। ଥରେ କ୍ଷିର ପୋଡ଼ପିଠା ଚାଖି ଏହାର ସ୍ୱାଦ ଭୁଲି ପାରି ନ ଥିବା ଅଜୟ ତା’ ସହ ଭଳିକି ଭଳି ଓଡ଼ିଆ ଘରର ଖାଦ୍ୟ ମଧ୍ୟ ଅର୍ଡର କରିଥିଲେ।
ଏନେଇ ରୋଜିସ୍ କିଚେନ୍ ସେଫ୍ ବାସୁଦେବ ମହାନ୍ତି କହିଛନ୍ତି ଅଜୟ ଆମ ଅଜଣାତରେ କ୍ଷିର ପୋଡ଼ପିଠା ଟେଷ୍ଟ କରି ସାରିଛନ୍ତି। ଆଗକୁ ମୁମ୍ବାଇରେ ଷ୍ଟଲ ଖୋଲିବାର ଯୋଜନା ଅଛି। ସେଲିବ୍ରିଟିଙ୍କୁ ସର୍ଭିସ ଦେବୁ।
କେବଳ ଅଜୟ କାଜଲଙ୍କୁ ସୁଆଦିଆ ମେନୁ ପଠାଇ ସରୋଜା ଚର୍ଚ୍ଚାକୁ ଆସିଛନ୍ତି ତାହା ନୁହେଁ, ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ଟ୍ୱିଷ୍ଟ କରି ଯୁବପିଢ଼ିଙ୍କ ମଧ୍ୟରେ ଆଦୃତ କରାଇବାରେ ବି ବେଶ୍ ନାଁ କମାଇଛନ୍ତି । ଏମିତିକି ତାଙ୍କ ହାତ ତିଆରି ଖାଦ୍ୟ ପାଇଁ ଅନେକ ଥର ଅର୍ଡର ଦେଇଛନ୍ତି ଗଜପତି ମହାରାଜା ଓ ରାଜ୍ୟପାଳ।
ସରୋଜା କହିଛନ୍ତି ବଲିଉଡ୍ ଷ୍ଟାରଙ୍କୁ ଓଡ଼ିଆ ଖାଦ୍ୟ ଖୁଆଇବା ପାଇଁ ଆସନ୍ତା ମାସରେ ତାଙ୍କ ଟିମ୍ ବମ୍ବେ ଯିବ । ଏଥିପାଇଁ ଜୁହୁ ବିଚ୍ ନିକଟରେ ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ଅମିତାଭଙ୍କଠୁ ସଲମାନ, ଶାହରୁଖଙ୍କୁ ସେ ଓଡ଼ଇାଙ୍କ ପ୍ରିୟ ପଖାଳ ଭାତ, ପଣସ ତରକାରୀ, କଖାରୁ ଫୁଲ ଭଜା ସମେତ ଘୋରା ମଣ୍ଡା ଓ ସରସତିଆ ପିଠାର ବି ସ୍ୱାଦ ଚଖାଇବେ।
The post ସରୋଜାଙ୍କ ହାଣ୍ଡିଶାଳରୁ ଫ୍ଲାଇଟ୍ରେ ଅଜୟଙ୍କ ଘରକୁ ଗଲା କଙ୍କଡ଼ା ଝୋଳ appeared first on Odisha Reporter.
from Odisha Reporter https://ift.tt/3cXtvzc
No comments:
Post a Comment