ମ୍ୟାନ୍‌-ଇଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 3, 2021

ମ୍ୟାନ୍‌-ଇଟର

ପ୍ରୀତିପ୍ରଜ୍ଞା ପ୍ରଧାନ

-ଟାଇଗର ଖାଲି ଫରେଷ୍ଟରେ ଥାଏ ନା ଘରକୁ ବି ଆସେ ମାମା?
-ବୋକୀଟା କି? ଟାଇଗର କ’ଣ ଘରେ ରହି ପାରିବ? ତା’ ଘର ତ ଜଙ୍ଗଲରେ ନା ବେଟା!
-ତା’ ହେଲେ ଆମେ ସେଦିନ କେମିତି ଜୁ’ରେ ଟାଇଗରକୁ ଦେଖିଲେ?
-ଉଁ! ହଁରେ ମାମା; ମଣିଷ ଅଳ୍ପ କିଛି ଟାଇଗରଙ୍କୁ ଆଣି ଜୁ’ରେ ବି ରଖେ। ତୁ ଦେଖିନୁ, କେମିତି ଜୁ’ଟା ବି ଫରେଷ୍ଟ‌୍‍ ଭଳି ଲାଗୁଥିଲା?
-ହେଲେ ମାମା; ମୁଁ ତ ଆମ ଘରେ ବି ଟାଇଗର ଦେଖିଛି। ଗୋଟେ ବିଗ‌୍‍ ଟାଇଗର।

କ’ଣ କହୁଛି ମିକି! ଆଶ୍ଚର୍ଯ୍ୟ ହୋଇ ତା’ ଆଡ଼କୁ ମୁଣ୍ଡ ଟେକି ଚାହିଁଲେ ନିହାରୀକା। ଆଜି ପୁଣି କ’ଣ ଗୋଟେ ଢୁକିଲାଣି ତା’ କୁନି ମୁଣ୍ଡରେ। ହୋଇପାରେ କ’ଣ ଗୋଟେ କାର୍ଟୁନ‌୍‍ ଫାଟୁର୍ନ‌୍‍ ଦେଖିଦେଇଥିବ ଟିଭିରେ। ମିକି… ତାଙ୍କ ତିନି ବର୍ଷର ଝିଅ। ଏଇ ନୂଆ ନୂଆ ପ୍ଲେ ସ୍କୁଲ‌୍‍ ଯାଉଛି। ହେଲେ କଥା କହେ ବଡ଼ ମଣିଷଙ୍କ ଭଳି। ତା’ କିଚିରିମିଚିରିରେ ଘର ଭରିଯାଏ। ଦିନକୁ ହଜାରେ ପ୍ରଶ୍ନ ପଚାରେ ମିକି। ଆଉ ସେ ସନ୍ତୁଷ୍ଟ ହେବା ଯାଏ ଖୋଜି ଖୋଜି ତା’ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପଡେ଼ ନିହାରୀକାଙ୍କୁ। ନ ହେଲେ ଗୋଡ଼ କଚାଡ଼ି ଅଝଟ ହୁଏ ସେ।
ତାଙ୍କୁ କିଛି ସମୟ ଚୁପ‌୍‍ ପଡ଼ିଯିବା ଦେଖି ଏଥର ମିକି ପୁଣି ପଚାରିଲା-

– ଆଚ୍ଛା କୁହତ ମାମା; ଟାଇଗରକୁ କେହି କ’ଣ କିଲ‌୍‍ କରିପାରିବନି?

ଏତେ ଛୋଟ ଛୁଆଟାକୁ ସେ କେମିତି ବୁଝେଇବେ ଟାଇଗର ପୋଚିଂ ସମସ୍ୟା କଥା, ଧୀରେ ଧୀରେ କେମିତି ବାଘଙ୍କ ସଂଖ୍ୟା କମି ଯାଉଛି, ସେ କଥା ପୁଣି ଟାଇଗର କନ‌୍‍ଜରଭେସନ‌୍‍ କଥା। ତେଣୁ ତାକୁ ବୁଝେଇବାକୁ କହିଲେ-
– ନାଇଁ ବେଟା; ଜଙ୍ଗଲରେ କେହି ଟାଇଗରକୁ ମାରିପାରିବେନି।
– ହେଲେ ଟାଇଗର ଯଦି ଦୁଷ୍ଟ ହୁଏ?
-ସେ ତ ତା’ର ଜଙ୍ଗଲରେ ଦୁଷ୍ଟ ହେବ। ତୋ’ର ସେଥିରେ କ’ଣ ଅଛି? ତୁ ଏବେ କୁନିଟେ ଅଛୁ। ବଡ଼ ହେଲେ ବହୁତ କଥା ବୁଝି ପାରିବୁ।

ଏଥର କାନ୍ଦକାନ୍ଦ ଶୁଭିଲା ମିକିର ସ୍ୱର- ହେଲେ ମାମା; ଆମ ଘରେ ଯଦି ଟାଇଗରଟା ବେଶି ଦୁଷ୍ଟ ହୁଏ ଆଉ ମୋତେ ଡରାଏ?
କ’ଣ ହୋଇଛି ମିକିର? କାହିଁକି ଏମିତି ଡରଡର ଶୁଭୁଛି ତା’ ସ୍ୱର? ମିକିକୁ କୋଳେଇ ନେଇ ଛାତିରେ ଜାକି ଧରିଲେ ନିହାରୀକା। ତା’ ମୁଣ୍ଡକୁ ଆଉଁଶି ଗେଲ କରୁକରୁ ପଚାରିଲେ- କ’ଣ ହୋଇଛି ମୋ’ ମିକି ବେଟାର ଆଜି? ଆମ ଘରେ ତୁ କେମିତି ଟାଇଗର ଦେଖିଲୁ?’
ଉତ୍ତର ଦେଉଦେଉ ବି ଡରରେ ଆଖି ବୁଜି ହୋଇଯାଉଥିଲା ମିକିର। ଧୀର ସ୍ୱରରେ କହିଲା-
– ବିକି ଅଙ୍କଲ ମାମା। ସେ ହିଁ ତ ବିଗ‌୍‍ ଟାଇଗର। ତମେ କି ପାପା ନ ଥିବା ବେଳେ ମୋତେ ବିଗ‌୍‍ ବିଗ‌୍‍ ଆଇଜ‌୍‍ କରି ଅନାନ୍ତି। ଆଉ ସେ ମୋତେ ହଗ‌୍‍ କଲେ ବି ବଡ଼ ଡର ଲାଗେ ମୋତେ। ମୋତେ ଗେହ୍ଲା କରନ୍ତି ଆଉ ପପି ଭି ଦିଅନ୍ତି ଯେ ମାମା। ହେଲେ ମୋତେ ବିଲ‌୍‍କୁଲ‌୍‍ ବି ଭଲ ଲାଗେନି। କାଇଁ ହିତେଶ ଅଙ୍କଲ କି ଶୋଭା ଆଂଟି ମୋତେ ଗେହ୍ଲା କଲେ ତ ଟିକେ ବି ଡର ଲାଗେନି। ହେଲେ ବିକି ଅଙ୍କଲ ପାଖକୁ ଯିବାକୁ ମୋତେ ଜମା ଭି ଭଲ ଲାଗେନି ମାମା। ତମେ ଆଉ ପାପା ଖାଲି କୁହ ବୋଲି ସିନା।

ଉମାକାନ୍ତ ତାଙ୍କ ବିଜ‌୍‍‌‍ନେସ‌୍‍ କାମରେ ବହୁତ ବ୍ୟସ୍ତ ରୁହନ୍ତି। ଅଧିକାଂଶ ସମୟରେ, ତେଣୁ ମିକି ପାଇଁ ତାଙ୍କ ପାଖରେ ଟାଇମ‌୍‍ ନଥାଏ। ସେଥିପାଇଁ ନିହାରୀକା ହିଁ ତା’ର ସବୁ କଥା ବୁଝନ୍ତି। ସେଇ କାରଣରୁ ଚାକିରୀ ନ କରି ଖାଲି ନିଜକୁ ଖୁସି ରଖିବାକୁ ଘରେ ହିଁ ସକାଳେ ସନ୍ଧ୍ୟାରେ ଅଳ୍ପ ଅଳ୍ପ ସମୟ ପାଇଁ ଆର୍ଟ ଆଉ କ୍ରାଫ‌୍‍ଟ ଶିଖାନ୍ତି ଛୋଟ ଛୋଟ ପିଲାଙ୍କୁ। ଆଉ ଆଜି ସେ ଠିକ‌୍‍ ବୁଝୁଛନ୍ତି, ତା’ରି ସୁଯୋଗ ନେଇ ବିକି ପ୍ରାୟ ଆସି ପହଂଚି ଯାଏ ତାଙ୍କ କ୍ଲାସ‌୍‍ ଚାଲିଥିବା ସମୟରେ। ପହଂଚୁ ପହଂଚୁ ମିକି ମିକି ଡାକି ଘର କମ୍ପାଇ ଦିଏ। ଆଉ ମିକି ଆସି ପହଂଚିଲେ କହେ, ‘ଭାଉଜ; ତମେ ଆଉ ଜମା ଟେନ‌୍‍ସନ‌୍‍ ନିଅନି। ମିକି ସହ ମୁଁ ଖେଳୁଛି। ତମେ ଆରମ୍‌ସେ କ୍ଲାସ‌୍‍ ନିଅ।’

ତେଣିକି ସତକୁ ସତ ବିକି ଥିବା ଯାଏ ତା’ ଦାୟିତ୍ୱରେ ନିଶ୍ଚିନ୍ତରେ ମିକିକୁ ଛାଡ଼ି ସେ କ୍ଲାସ‌୍‍ କରନ୍ତି। ବିକି ଗଦାଗଦା ଖେଳନା ଆଉ ପିକ‌୍‍ଚର ବୁକ‌୍‍ କିଣି ଆଣେ ମିକି ପାଇଁ। ତାକୁ ବାଇକ‌୍‍୍‍ରେ ଆଗରେ ବସେଇ ବଜାର ବୁଲେଇ ନିଏ। ନିହାରୀକା କି ଉମାକାନ୍ତ କେହି କେବେ ସେଥିପାଇଁ ତାକୁ ଆକଟ କଲେ ଓଲଟା ଅଭିମାନ କରେ ବିକି। କହେ, ‘ଭାଉଜ, ମୋ’ର ଏ କ୍ୟୁଟ‌୍‍ ଝିଆରୀଟାକୁ ମୁଁ କ’ଣ ଟିକେ ଗେହ୍ଲା ବି କରି ପାରିବିନି!’

ସବୁଥର ତା’ ଅଭିମାନ ଆଗରେ, ମିକି ପ୍ରତି ତା’ ସ୍ନେହ ଆଗରେ ହାର‌୍‍ ମାନନ୍ତି ଉଭୟ। ହେଲେ ଏଡ଼େ ସ୍ନେହ ଛଳଛଳ ମଣିଷଟା ଭିତରେ ଏତେ ଭୟଙ୍କର ରୂପ ଲୁଚି କି ଥିଲା! ମିକିକୁ ଆଉ ଟିକେ ଛାତିରେ ଭିଡ଼ି ଧରିଲେ ସେ। ଆଉ ତା’ ମୁହଁକୁ ଆଞ୍ଜୁଳାରେ ଭରି କହିଲେ-
– ହଁ ବେଟା, ତୁ ଠିକ‌୍‍ କହୁଥିଲୁ। ଟାଇଗର ଦୁଷ୍ଟ ହେଲେ ତାକୁ କିଲ‌୍‍ କରିବା କଥା।
– ହେଲେ ମାମା; ତମେ ତ କହୁଥିଲ, ଟାଇଗରକୁ କେହି କିଲ‌୍‍ କରନ୍ତିନି ବୋଲି?

ତାକୁ ବୋଧ ଦେଇ, ବୁଝେଇ ସୁଝେଇ ତା’ ପାଇଁ ବର୍ଣ୍ଣଭିଟା ଆଣିବାକୁ ଉଠି ଯାଉଯାଉ ନିଜେ ନିଜେ କହୁଥିଲେ ନିହାରୀକା, ବେଳେବେଳେ କୌଣସି କାରଣରୁ ଟାଇଗର ମ୍ୟାନ‌୍‍-ଇଟର ପାଲଟି ଯାଏ। ଆଉ ମ୍ୟାନ‌୍‍-ଇଟରକୁ ତ ସୁଟ‌୍‍ କରିଦେବାକୁ ପଡେ଼ ନା!

ଭୁବନେଶ୍ୱର, ଫୋନ୍- ୯୨୩୮୯୯୯୭୫୮

The post ମ୍ୟାନ୍‌-ଇଟର appeared first on Odisha Reporter.



from Odisha Reporter https://ift.tt/2PQjSJI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages