ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏସ୍ସିବିରୁ ଚିକିତ୍ସାଧୀନ ଅବସ୍ଥାରେ ଚମ୍ପଟ୍ ମାରିଥିବା ଗ୍ୟାଙ୍ଗଷ୍ଟର ହାଇଦରର ପତ୍ତା ମିଳୁନି । ଗତକାଲି ସନ୍ଧ୍ୟାରୁ ନିଖୋଜ ହୋଇଥିଲେ ମଧ୍ୟ ଧରାପଡ଼ିନି ହାଇଦର। ତାକୁ ଖୋଜିବା ପାଇଁ ଏକାଧିକ ସ୍ପେଶାଲ ସ୍କ୍ୱାଡ୍ ଗଠନ କରାଯାଇ ସର୍ଚ୍ଚ ଅପରେସନ ଚାଲିଛି। କଟକ ସହର ସୀମା ସିଲ୍ କରାଯାଇଛି। ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ପୁଲିସକୁ ମଧ୍ୟ ଆଲର୍ଟ କରାଯାଇଛି। ତଥାପି ହାଇଦରକୁ ଧରିବାରେ ସକ୍ଷମ ହୋଇପାରିନି ପୁଲିସ।
ଗତକାଲି କଟକ ଡିସିପି ପ୍ରତୀକ ସିଂଙ୍କ କାର୍ଯ୍ୟାଳୟରେ ମଧ୍ୟ କମିଶନରେଟ୍ ପୁଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବଛାବଛା ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ହାର୍ଡକୋର କ୍ରିମିନାଲ ହାଇଦରକୁ ଖୁବ୍ ଶୀଘ୍ର ଠାବ କରାଯିବ ବୋଲି ଆଶା ରଖିଛନ୍ତି ପୁଲିସ କମିଶନର।
ସେପଟେ ଗ୍ୟାଙ୍ଗଷ୍ଟର ହାଇଦର ଅଲ୍ଲୀ କଟକ ବଡ଼ ମେଡିକାଲରୁ ଫେରାର ହୋଇଯିବା ପରେ ହାଇଆଲର୍ଟରେ କେନ୍ଦ୍ରାପଡ଼ା। କେନ୍ଦ୍ରାପଡ଼ା ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚାଲିଛି କଡା ଚେକିଂ। ରାଜ୍ୟ ରାଜପଥ ଓ ଜାତୀୟ ରାଜପଥର ଉଭୟ ପଟରୁ ଆସୁଥିବା ଗାଡିଗୁଡିକୁ ପୁଲିସ ଅଟକାଇ ତନତନ କରି ଯାଞ୍ଚ କରୁଛି।
ସୂଚନା ଅନୁଯାୟୀ, ୨୦୦୫ରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲ ନିକଟରେ ଗ୍ୟାଙ୍ଗଷ୍ଟର ସେକ୍ ସୁଲେମାନର ଭାଇ ସେକ୍ ଚୁନା ଓରଫ ମାଲିକ ହନନ୍କୁ ହତ୍ୟା ଘଟଣାରେ ହାଇଦର ସମେତ ଅନ୍ୟ ସାତଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ସେମାନଙ୍କୁ ୨୦୧୧ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରେ ୨୦୧୪ରେ ହାଇଦର ପାରୋଲରେ ଆସିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଖଣି ମାଲିକ ରଶ୍ମୀ ରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲାରେ ହାଇଦର୍ର ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ପୁଲିସ ତାକୁ ଗିରଫ କରିଥିଲା। ୨୦୧୫ରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ଏହି ୨ଟି ମାମଲାରେ ହାଇଦରକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ସେ ଝାରପଡା ଜେଲ୍ରେ ସଜା କାଟୁଥିଲା। ପରେ ୨୦୧୭ରେ ହାଇଦରକୁ ସମ୍ବଲପୁର ସର୍କଲ ଜେଲ୍କୁ ପଠାଇ ଦିଆଯାଇଥିଲା।
ତେବେ ସେଠାରେ କିଛି ଦିନ ପୂର୍ବରୁ ସେ ଅସୁସ୍ଥ ହୋଇଥିବାରୁ ତାକୁ ବୁର୍ଲା ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଶରୀର ଭଲ ନହେବାରୁ କଟକ ଏସ୍ସିବିକୁ ହାଇଦର ସ୍ଥାନାନ୍ତରିତ ହୋଇଥିଲା। ତେବେ ଗତକାଲି ସବୁ ସୁରକ୍ଷାକର୍ମୀଙ୍କୁ ଚକ୍ମା ଦେଇ ମେଡିକାଲରୁ ଫେରାର ହୋଇଯିବାରେ ସଫଳ ହୋଇଛି ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟାର।
The post ହାଇଦରର ମିଳୁନି ପତ୍ତା, ହାଇଆଲର୍ଟରେ ପୁଲିସ appeared first on Odisha Reporter.
from Odisha Reporter https://ift.tt/3dRP4R4
No comments:
Post a Comment