ମୁମ୍ୱାଇ: ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ଅଭିଯୋଗ ଆଣି ନିଜକୁ ବେଶ୍ ସଚ୍ଚୋଟ ଅଫିସର ବୋଲି ପ୍ରମାଣ କରିବାକୁ ଚାହୁଁଥିବା ମୁମ୍ୱାଇର ବିବାଦୀୟ ଆଇପିଏସ ପରମବୀର ସିଂହ ଏବେ ଅଡୁଆରେ। କାରଣ ଦୁଇ ଜଣ ବ୍ୟବସାୟୀ ତାଙ୍କ ବିରୋଧରେ ଦଲାଲି ଅଭିଯୋଗ ଆଣିଛନ୍ତି। ଆଉ ସିଆଇଡି ଅଫିସ ଆସି ଦୁଇ ବ୍ୟବସାୟୀ ପରମବୀର ସିଂହ ଏବଂ ତାଙ୍କର ସହଯୋଗୀ ପୁଲିସ ଅଫିସରଙ୍କ ବିରୋଧରେ ଦଲାଲି କରିବାର ସମସ୍ତ ପ୍ରମାଣ ପତ୍ର ଦେଇଛନ୍ତି। ଏଥିପାଇଁ ଉଭୟ ଖୁସି ବ୍ୟକ୍ତ ମଧ୍ୟ କରିଛନ୍ତି।
ପରମବୀର ହେଉଛନ୍ତି ସେହି ବ୍ୟକ୍ତି ଯିଏକି ଗତବର୍ଷ ଟିଆରପିରେ ଜାଲିଆତି ହୋଇଥିବା ଅଭିଯୋଗ ରିପବ୍ଲିକ ଟିଭି ଏବଂ ଅନ୍ୟ ଦୁଇ ଚ୍ୟାନେଲ ନାଁରେ ଆଣିଥିଲେ। ଆଉ ଏହି ମାମଲାରେ ତାଙ୍କୁ ସହଯୋଗ କରିଥିଲେ ଏବେ ମୁମ୍ୱାଇ ପୁଲିସରୁ ତଡ଼ା ଖାଇଥିବା ଏପିଆଇ ସଚିନ ବାଜେ। ଯିଏକି ଏବେ ଏକ ହତ୍ୟା ମାମଲାରେ ତଲୋଜା ଜେଲରେ ଅଛନ୍ତି।
ବୁଧବାର ସିଆଇଡି ଅଫିସକୁ ଆସି କ୍ରିକେଟ୍ ବୁକି ସୋନୁ ଜାଲାନ ଏବଂ ବ୍ୟବସାୟୀ କେତନ ମନସୁଖଲାଲ ପରମବୀରଙ୍କ ସମସ୍ତ କଳାକାରନାମାର ରେକର୍ଡ ଦାଖଲ କରିଛନ୍ତି। ଅଭିଯୋଗକାରୀ ସୋନୁ ଜାଲାନ ଏବଂ କେତନ ସିଆଇଡି ଅଫିସରେ ତିନି ଘଣ୍ଟାରୁ ଅଧିକ ସମୟ ଥିଲେ।
ନିକଟରେ ସୋନୁ ମହାରାଷ୍ଟ୍ର ଡିଜିପିଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ ଯେ ପରମବୀର ସିଂହ ଏବଂ ଅନ୍ୟ କେତେକ ପୁଲିସ ଅଧିକାରୀ ତାଙ୍କଠାରୁ ୩.୪୫ କୋଟି ଟଙ୍କା ବଟି ନେଇଥିଲେ। ସେହିଭଳି କେତନ ମନସୁଖଲାଲ ଏବଂ ମୁନିରହମ୍ମଦ ପଠାନ ମଧ୍ୟ ଚିଠି ଲେଖି ଅଭିଯୋଗ କରିଥିଲେ ଯେ ପରମବୀର ତାଙ୍କ ବିରୋଧରେ ଫେକ୍ କେସ ଲଗାଇ କିଭଳି କୋଟି କୋଟି ଟଙ୍କା ଆଦାୟ କରିଥିଲେ।
ବୟାନ ରେକର୍ଡ କରିବା ପରେ ଉଭୟ ଖୁସି ବ୍ୟକ୍ତ କରିଛନ୍ତି। ପୁଲିସ ତାଙ୍କୁ ଆଉ ଥରେ ଆସିବାକୁ କହିଥିବା ସେ କହିଛନ୍ତି। ତାଙ୍କୁ ନ୍ୟାୟ ମିଳିବ ବୋଲି ଆଶା ରଖିଛନ୍ତି। ତେବେ ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଯିଏକି ପରମବୀରଙ୍କ ଅଭିଯୋଗ କ୍ରମେ ସିବିଆଇ ରାଡାରରେ ରହିଛନ୍ତି; ସେ କହିଛନ୍ତି ପରମବୀର ସିଂହଙ୍କ ବିରୋଧରେ ପ୍ରତିଦିନ ଦୁର୍ନୀତିର ନୂଆ ନୂଆ ଅଭିଯୋଗ ସାମ୍ନାକୁ ଆସୁଛି। ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ପୋଲିସ ଅଧିକାରୀ ଅନୁପ ଡାଙ୍ଗେ ଏବଂ ଭୀମରାଓ ଗାଡେ ମଧ୍ୟ ଅଭିଯୋଗ କରିଛନ୍ତି।
The post ପରମବୀର ସିଂହଙ୍କ ଦଲାଲିର ପ୍ରମାଣ ସିଆଇଡିକୁ ଦେଲେ ଦୁଇ ବ୍ୟବସାୟୀ appeared first on Odisha Reporter.
from Odisha Reporter https://ift.tt/3tHV2d9
No comments:
Post a Comment