ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସୁଛି ବାତ୍ୟା ‘ୟାସ’। ଏହା ଏକ ଅତିଭୀଷଣ ବାତ୍ୟା ହୋଇଥିବା ବେଳେ କେଉଁଠି ଲ୍ୟାଣ୍ଡଫଲ କରିବ, ତାହା ଏଯାଏ ସ୍ପଷ୍ଟ ହୋଇନି। ତେବେ ତା’ ପୂର୍ବରୁ ରାଜ୍ୟ ସରକାର ଆରମ୍ଭ କରି ଦେଇଛନ୍ତି ସବୁ ପ୍ରକାର ପ୍ରସ୍ତୁତି। ଆଉ ଏଥିରେ ଯୋଡ଼ି ହୋଇଛି ଜଳ ସମ୍ପଦ ବିଭାଗ।
ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି, ବାତ୍ୟା ପାଇଁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି। କେହି ହେଡ୍କ୍ୱାର୍ଟର୍ସ ଛାଡ଼ି ଯାଇପାରିବେ ନାହିଁ। ପ୍ରଭାବିତ ହେବାକୁ ଥିବା ୧୦ ଜିଲ୍ଲାକୁ ସଜାଗ ରହିବା ପାଇଁ କୁହାଯାଇଛି। ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଜିଲ୍ଲା ପ୍ରଶାସନ ସହ ମିଶି କାମ କରାଯିବ। ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ସମସ୍ତେ ଯୋଗାଯୋଗରେ ଅଛନ୍ତି। ପୂର୍ବରୁ ଅନେକ ବାତ୍ୟାର ଅନୁଭୂତି ରହିଛି। ଆମେ ସେହି ଅନୁଭୂତିକୁ ପାଥେୟ କରି ସମ୍ଭାବ୍ୟ ବାତ୍ୟା ‘ୟାସ୍’ର ମୁକାବିଲା କରିବୁ।
ବାତ୍ୟାର ମୁକାବିଲା ନେଇ ଆଜି ଶକ୍ତି ବିଭାଗର ମଧ୍ୟ ବୈଠକ ବସିଥିଲା। ବୈଠକ ପରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ସମସ୍ତ କୋଭିଡ କେୟାର ସେଣ୍ଟର, କୋଭିଡ ହସ୍ପିଟାଲ ଓ ଡାକ୍ତରଖାନାକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରାଯିବ। ବିଦ୍ୟୁତ କଟିଲେ ଷ୍ଟାଣ୍ଡ ବାଏ ବ୍ୟବସ୍ଥା କରାଯାଇଛି। ବିଦ୍ୟୁତ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି। ମୁଖ୍ୟତଃ ଡିସ୍କମ କମ୍ପାନୀ ଟାଟାକୁ ଅଧିକ ସଜାଗ ରହିବାକୁ କୁହାଯାଇଛି।
ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି, ବାତ୍ୟାରେ ବିଦ୍ୟୁତ୍ ବିଭ୍ରାଟ ହେଲେ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟୁତ ପରିବହନ ବ୍ୟବସ୍ଥା ସୁରୁଖୁରୁରେ କରିବା ପାଇଁ ସ୍ୱତନ୍ତ୍ର ଟିମ୍ କରାଯାଇଛି। ବାତ୍ୟା ସମୟରେ ଗ୍ରାଉଣ୍ଡ ଲେବୁଲରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ କିଭଳି ଖାଦ୍ୟ ଓ ପାନୀୟ ଠିକ୍ ଭାବେ ମିଳିବ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି।
ସୂଚନାଯୋଗ୍ୟ, ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଥିବା ବେଳେ ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ। ଆସନ୍ତାକାଲି ଏହା ବାତ୍ୟାରେ ପରିଣତ ହେବ। ତା’ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବ ଏବଂ ୨୬ ତାରିଖ ସନ୍ଧ୍ୟା ବେଳକୁ ସ୍ଥଳ ଭାଗ ଛୁଇଁବ ବୋଲି ଆକଳନ କରାଯାଇଛି। ତେବେ କେଉଁ ଅଞ୍ଚଳରେ ସମ୍ଭାବ୍ୟ ବାତ୍ୟା ଲ୍ୟାଣ୍ଡଫଲ କରିବ, ତାହା ଅବପାତ ପରେ ଜଣାପଡ଼ିବ।
The post ଆସୁଛି ବାତ୍ୟା, ସମସ୍ତଙ୍କ ଛୁଟି ବାତିଲ appeared first on Odisha Reporter.
from Odisha Reporter https://ift.tt/3yA1q9O
No comments:
Post a Comment