ଲଣ୍ଡନ: ଭାରତରେ ଦେଖାଯାଉଥିବା କରୋନାର ନୂଆ ଭ୍ୟାରିଏଣ୍ଟକୁ ନେଇ ଏବେ ଆଶଙ୍କାରେ ରହିଛି ବ୍ରିଟେନ। ଭାରତରେ ଦବଦବା ଦେଖାଉଥିବା ଷ୍ଟ୍ରେନ ପାଇଁ ବ୍ରିଟେନ୍ର ଅନଲକ ଯୋଜନା ଗଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ଥିବା ଖୋଦ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି।
ବ୍ରିଟେନରେ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ସରକାର ସୋମବାର ଦିନ ଯୋଜନା ଅନୁସାରେ ଅନଲକ ଦିଗରେ ଆଉ କିଛି ଘୋଷଣା କରିବେ। କିନ୍ତୁ ଜୁନ୍ ୨୧ରେ ପୂରା ଦେଶକୁ ଅନଲକ କରିବାକୁ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ, ଏବେ ସେଥିରେ ବିଳମ୍ବ ହେବାର ଆଶଙ୍କା ପ୍ରକାଶ ପାଇଛି। ଏହି ବିଳମ୍ବ ପଛରେ ଭାରତରେ ଦେଖାଯାଉଥିବା ଭ୍ୟାରିଏଣ୍ଟ ଦାୟୀ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି।
ସେ କହିଛନ୍ତି, “ଆମେ ରୋଡ୍ ମ୍ୟାପ୍କୁ ବିଳମ୍ବିତ କରିବା ଦରକାର ବୋଲି ମୁଁ ବିଶ୍ୱାସ କରୁନି। କିନ୍ତୁ ବର୍ତ୍ତମାନ ଦେଖାଯାଉଥିବା ନୂଆ ଭ୍ୟାରିଏଣ୍ଟ ନିଶ୍ଚିତ ଭାବେ ଆମର ଆଗକୁ ବଢ଼ିବା ପ୍ରକ୍ରିୟା ଉପରେ ରୋକ ଲଗାଇପାରେ। ଲୋକଙ୍କ ସୁରକ୍ଷା ପାଇଁ ଯାହା ଆବଶ୍ୟକ, ଆମେ ସବୁ ପଦକ୍ଷେପ ଗ୍ରହଣ କରିବାକୁ ରାଜି।
ସ୍ଥିତିକୁ ଦେଖି ସବୁ ପ୍ରକାରର ପଦକ୍ଷେପ ନିଆଯିବ। B1.617.2 ଭ୍ୟାରିଏଣ୍ଟ ଉତ୍ତରପଶ୍ଚିମ ଇଂଲଣ୍ଡରେ କ୍ରମାଗତ ଭାବେ ସଂକ୍ରମିତ କରୁଥିବା କୁହାଯାଉଛି। ଲଣ୍ଡନରେ ମଧ୍ୟ ଏହା କିଛି ମାତ୍ରରେ ଦେଖାଯାଇଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ କିଛି କଠୋର ପଦକ୍ଷେପ ନେବାକୁ ପଡ଼ିବ।
ସେହିପରି ନୂଆ ଷ୍ଟ୍ରେନକୁ ଅଟକାଇବାକୁ ୫୦+ ବର୍ଗର ଲୋକଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣକୁ ଜୋରଦାର କରାଯିବ। ସଂକ୍ରମଣ ଆଶଙ୍କା ଥିବା ଲୋକମାନଙ୍କୁ ମଧ୍ୟ ଆଗୁଆ ଦ୍ୱିତୀୟ ଡୋଜ୍ ଦେବାର ବ୍ୟବସ୍ଥା ହେବ। ସରକାର ନୂଆ ଷ୍ଟ୍ରେନ ଅନ୍ୟ ଭ୍ୟାରିଏଣ୍ଟ ଠାରୁ ଅଧିକ ସଂକ୍ରମଣଶୀଳ କି ନାହିଁ, ତା’ର ତଥ୍ୟକୁ ଅପେକ୍ଷା କରିଛନ୍ତି। ତଥ୍ୟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଯଦି ସଂକ୍ରମଣ ଆଶଙ୍କା ଅଧିକ ଥିବ, ତା’ହେଲେ ରିଓପନ ପ୍ରକ୍ରିୟା ଅଳ୍ପ କିଛି କ୍ଷେତ୍ରରେ ଲାଗୁ କରାଯିବ।”
ଗତ ସପ୍ତାହରେ ବ୍ରିଟେନରେ ନୂଆ ଭ୍ୟାରିଏଣ୍ଟ ଯୋଗୁ ସଂକ୍ରମଣ ୫୨୦ ଥିବା ବେଳେ ହଠାତ୍ ଏହା ଚଳିତ ସପ୍ତାହରେ ୧୩୧୩ ହୋଇଯାଇଛି। ଏଥିପାଇଁ ଟେଷ୍ଟିଂ ବୃଦ୍ଧି କରାଯିବ ସହ ସ୍ଥାନୀୟ କଟକଣା ମଧ୍ୟ ଲାଗୁ କରାଯାଉଛି।
The post ଭାରତରେ ଦେଖାଯାଉଥିବା ଷ୍ଟ୍ରେନକୁ ନେଇ ଚିନ୍ତାରେ ବ୍ରିଟେନ appeared first on Odisha Reporter.
from Odisha Reporter https://ift.tt/2Qo3vVk
No comments:
Post a Comment