ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସି ବାତ୍ୟା ‘ୟାସ୍’ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଥିବା ବେଳେ ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କରିଛନ୍ତି। ସମୀକ୍ଷା ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ସମୀକ୍ଷା ବୈଠକରେ ଓଡ଼ିଶା ବାତ୍ୟାର ଦୀର୍ଘସୂତ୍ରୀ ସମାଧାନ ଚାହିଁଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କଲେ। ବିଶେଷ କରି ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ୍ ବ୍ୟବସ୍ଥା ଦାବି କରାଗଲା। ଏଥିପାଇଁ ଉନ୍ନତ ଟେକ୍ନୋଲୋଜି ଓ ଅଣ୍ଡରଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଦାବି କରାଗଲା। ସେହିପରି ଉପକୂଳର ସୁରକ୍ଷା ପାଇଁ ଦୀର୍ଘକାଳୀନ ବ୍ୟବସ୍ଥା କରିବାକୁ ଦାବି କରାଗଲା। ୭/୮ ମିଟର ପର୍ଯ୍ୟନ୍ତ ଜୁଆର ଉଠୁଥିବାରୁ ତାର ଦୀର୍ଘସ୍ଥାୟୀ ବ୍ୟବସ୍ଥା କରାଯାଉ ବୋଲି ଦାବି କରାଗଲା। ଏହି ଦୁଇ କାର୍ଯ୍ୟ ପାଇଁ ଭାରତ ସରକାର ସହାୟତା କରନ୍ତୁ ବୋଲି ଦାବି କରାଗଲା।
ଏସ୍ଆର୍ସି କହିଛନ୍ତି, ବାତ୍ୟା ନେଇ ରାଜ୍ୟ ସରକାର ବର୍ତ୍ତମାନ ଆଉ କିଛି ଦାବି କରି ନାହାନ୍ତି। ଏବେ ଯାହା ଦରକାର ଆମେ ତାକୁ ମ୍ୟାନେଜ କରିନେବୁ। ଆଗାମୀ ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବୁ ବୋଲି ଜଣାଇଛୁ।
ପ୍ରଧାନମନ୍ତ୍ରୀ ବାତ୍ୟା ସମୀକ୍ଷା ବୈଠକରେ ଯୋଗ ଦେଇଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ରାଜ୍ୟ ସରକାର ବିପର୍ଯ୍ୟୟର ସ୍ଥାୟୀ ସମାଧାନ ଦାବି କରିଥିଲେ। ସରକାର ସ୍ଥାୟୀ ଭିତ୍ତିଭୂମି ନିର୍ମାଣ କରିବାକୁ ଦାବି କରିଥିଲେ।
ସେ ଆହୁରି କହିଛନ୍ତି, କେନ୍ଦ୍ର ସରକାର ଓଡ଼ିଶା ସହିତ ଅଛନ୍ତି। ଆକାଶମାର୍ଗରୁ ବାତ୍ୟା ଅଞ୍ଚଳ ବୁଲି ଦେଖିବା ପରେ ସନ୍ଧ୍ୟା ସୁଦ୍ଧା ପ୍ରଧାନମନ୍ତ୍ରୀ ସହାୟତା ଘୋଷଣା କରିବେ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରରେ ସମୀକ୍ଷା ବୈଠକ କରିଥିଲେ। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୁଲିସ୍ ଡିଜି ଅଭୟ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।
The post ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କଲେ ମୁଖ୍ୟମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3hZN8K0
No comments:
Post a Comment