ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସୁଛି ବାତ୍ୟା ‘ୟାସ୍’। ଏହା ୨୬ ତାରିଖ ମଧ୍ୟାହ୍ନରେ ପାରଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏହି ବାତ୍ୟାକୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ଲକ୍ଡାଉନ୍କୁ ସାମାନ୍ୟ କୋହଳ କରାଯାଇଛି। ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲକ୍ଡାଉନ୍କୁ କୋହଳ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଲକ୍ଡାଉନ୍ କଟକଣା କୋହଳ କରାଯାଇଛି। ଏସ୍ଆର୍ସିଙ୍କ ନୂଆ ନିର୍ଦ୍ଦେଶ ଅନୁଯାୟୀ, ଆଜି ଓ ଆସନ୍ତାକାଲି (ମେ’ ୨୪ ଓ ୨୫ ତାରିଖ) ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଏହି ୧୦ ଜିଲ୍ଲାରେ ଲକଡାଉନ କଟକଣା ସାମାନ୍ୟ କୋହଳ ରହିବ।
ଏହି ସମୟରେ ରାସ୍ତାକଡ଼ ଦୋକାନ, ଗୋଟିକିଆ ଦୋକାନ, ଓମ୍ଫେଡ୍ ଦୋକାନ (କେବଳ କ୍ଷୀର ବିକ୍ରି ପାଇଁ), କ୍ଷୀର ବୁଥ୍, ଦୁଗ୍ଧଜାତ ଜିନିଷ ବିକ୍ରି କରୁଥିବା ଦୋକାନ, ପାଉଁରୁଟି ଓ ଅନ୍ୟାନ୍ୟ ରାସନ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଖୋଲା ରହିବ। ସେହିପରି ପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ ମଧ୍ୟ ସକାଳ ୭ଟାରୁ ଦିନ ୧ଟା ଯାଏଁ ଖୋଲା ରହିବ। ଏହା ପୂର୍ବରୁ ସାରା ରାଜ୍ୟରେ କିଣାକିଣି ପାଇଁ ସକାଳ ୭ଟାରୁ ଦିନ ୧୧ ପର୍ଯ୍ୟନ୍ତ ଲକ୍ଡାଉନ୍ କଟକଣାକୁ କୋହଳ ରଖାଯାଇଥିଲା।
ସୂଚନାଯୋଗ୍ୟ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ଓ ଗଭୀର ଅବପାତର ରୂପ ନେବା ପରେ ଆଜି ବାତ୍ୟାରେ ପରିଣତ ହୋଇଛି। ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣିଙ୍କ ସୂଚନା ଅନୁଯାୟୀ, ଆଜି ସକାଳ ୫ଟା ୩୦ରେ ଗଭୀର ଅବପାତ ‘ବାତ୍ୟା’ରେ ପରିଣତ ହୋଇଛି। ୨୬ ତାରିଖ ମଧ୍ୟାହ୍ନରେ ଏହ ଲ୍ୟାଣ୍ଡଫଲ କରିବ। ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ।
ଶ୍ରୀ ଜେନାମଣି ଆହୁରି କହିଛନ୍ତି, ଯେହେତୁ ଏହ ଏକ ଅତି ଭୀଷଣ ବାତ୍ୟା ହେବ, ତେଣୁ ଏହାର ପ୍ରକୋପ ବହୁତ ରହିବ। ଦୁର୍ବଳ ହେଉ ନ ଥିବାରୁ ଏହାର ପ୍ରଭାବ କମ୍ ହେବନି।
The post ୧୦ଟି ଜିଲ୍ଲାରେ ୨ ଦିନ ପାଇଁ କୋହଳ ହେଲା ଲକ୍ଡାଉନ୍ କଟକଣା appeared first on Odisha Reporter.
from Odisha Reporter https://ift.tt/3vfaxLl
No comments:
Post a Comment