ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ୱେଲ୍ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଆସନ୍ତା ୬ ଘଣ୍ଟାରେ ଏହା ଡିପ୍ରେସନ ବା ଅବପାତରେ ପରିଣତ ହେଲା ପରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗ ଦେଇ ଗତି କରିବ ଏବଂ ଆହୁରି ଘନୀଭୂତ ହୋଇ ଆସନ୍ତାକାଲି ବାତ୍ୟାରେ ପରିଣତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅତିଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ଆଇଏମ୍ଡିର ସୂଚନା ଅନୁଯାୟୀ, ଏହା ଅବପାତରେ ପରିଣତ ହେବା ପରେ କେଉଁଠି ଲ୍ୟାଣ୍ଡଫଲ କରିବ, ତା’ର ସଠିକ୍ ଆକଳନ କରାଯାଇପାରିବ। ତେବେ ବର୍ତ୍ତମାନ ସୁଦ୍ଧା ଆକଳନ ଅନୁଯାୟୀ, ଏହି ଅତି ଭୀଷଣ ବାତ୍ୟା ‘ୟାସ୍’ ଉତ୍ତର ଓଡ଼ିଶା-ପଶ୍ଚମବଙ୍ଗ ଓ ବାଂଲାଦେଶ ମଧ୍ୟରେ କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବ। ଏହି ସମୟରେ ଘଣ୍ଟାପ୍ରତି ୧୨୦ରୁ ୧୬୫ କିଲୋମିଟର ବେଗରେ ପବନ ହେବ। ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟା ପ୍ରତି ୧୮୫ କିଲୋମିଟର ମଧ୍ୟ ହୋଇପାରେ।
ଏହି ସମ୍ଭାବ୍ୟ ବାତ୍ୟାରେ ଓଡ଼ିଶାର ୪ଟି ଜିଲ୍ଲା ଅତ୍ୟଧିକ ପ୍ରଭାବିତ ହୋଇପାରେ ବୋଲି ଆକଳନ କରାଯାଇଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି ଯେ ୱେଲ୍ ମାର୍କଡ୍ ଲୋ ପ୍ରେସର ଅବପାତର ରୂପ ନେବା ପରେ ଟ୍ରାକ୍ ରେକର୍ଡ ସ୍ପଷ୍ଟ ହେବ। ତେବେ ବର୍ତ୍ତମାନ ସୁଦ୍ଧା ଯାହା ଆକଳନ କରାଯାଇଛି ୨୬ ତାରିଖ ସୁଦ୍ଧା ଏହା ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ପାଖାପାଖି ପହଞ୍ଚିବ। ତେଣୁ ମୁଖ୍ୟତଃ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଏହା ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ରହିଛି।
ସେ ଆହୁରି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଯାହା ଆକଳନ କରାଯାଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାର ୨୫ରୁ ୫୦ ପ୍ରତିଶତ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ସର୍ବାଧିକ ପ୍ରଭାବିତ ହେବେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା। ଏସବୁ ଜିଲ୍ଲାରେ କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇପାରେ।
ସେ ଆହୁରି କହିଛନ୍ତି, କେବଳ ବର୍ଷା ନୁହେଁ ପବନ ମଧ୍ୟ ହେବ। ବିଶେଷ କରି ଉତ୍ତର ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡ଼ିକ ପବନ ଦ୍ୱାରା ପ୍ରଭାବିତ ହେବ। କିନ୍ତୁ ଯେପର୍ଯ୍ୟନ୍ତ ସମ୍ଭାବ୍ୟ ବାତ୍ୟାର ଟ୍ରାକ୍ ନେଇ କିଛି ସ୍ପଷ୍ଟ ନହେବ ସେପର୍ଯ୍ୟନ୍ତ ପବନର ଆକଳନ କରିବା ଟିକେ କଷ୍ଟସାଧ୍ୟ।
The post ଆସୁଛି ବାତ୍ୟା ‘ୟାସ୍’, ୪ଟି ଜିଲ୍ଲା ଅଧିକ ପ୍ରଭାବିତ ହେବେ appeared first on Odisha Reporter.
from Odisha Reporter https://ift.tt/3fD3UMe
No comments:
Post a Comment