ମୁମ୍ୱାଇ: ଗୃହମନ୍ତ୍ରୀ ପଦରେ ଥାଇ ବଟି ଆଦାୟ କରିବା ମାମଲାରେ ଫସିଯାଇଥିବା ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଅଡୁଆ ଆହୁରି ବଢ଼ିଲା। ଗତକାଲି ଇଡି ତାଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ୍ କରିବା ପରେ ଦେଶମୁଖଙ୍କ ଦୁଇ ସହଯୋଗୀଙ୍କୁ ଉଠାଇ ନେଇଥିଲେ। ପରେ ଆଜି ସେମାନଙ୍କୁ ଗିରଫ କରାଯାଇଛି ବୋଲି ଜଣାପଡ଼ିଛି। ମନି ଲଣ୍ଡରିଂ ମାମଲାରେ ଅନୀଲ ଦେଶମୁଖଙ୍କ ସଚିବ ସଞ୍ଜିବ ପୋଲାଣ୍ଡ ଏବଂ ପିଏ କୁନ୍ଦନ ସିନ୍ଧେଙ୍କୁ ଗିରଫ କରିଛି। ଶୁକ୍ରବାର ଇଡି ଏହି ଦୁଇ ଜଣଙ୍କୁ ଜେରା କରିବା ପରେ ଅନେକ ବେଆଇନ କାରବାରର ପ୍ରମାଣ ପାଇଥିଲା। ପରେ ରାତିରେ ଦୁଇ ଜଣଙ୍କୁ ସାଙ୍ଗରେ ନେଇଯାଇଥିଲା।
ତେବେ ଗତକାଲି ଇଡିର ରେଡ ପରେ ଏନସିପି ଏହାକୁ ରାଜନୀତିକ ରୂପ ଦେବାକୁ ଯାଇ ଦେଶମୁଖଙ୍କ ସପକ୍ଷରେ ଓକିଲାତି କରିଛି। ଅନ୍ୟପଟେ ଇଡି ଆଗରେ ଦେଶମୁଖଙ୍କ ଦୁଇ ସହଯୋଗୀ ବଟି ଆଦାୟର ସମସ୍ତ ରାସ୍ତା କିଭଳି ତିଆରି ହୋଇଥିଲା କହିଛନ୍ତି। ୧୦୦ କୋଟି ଟଙ୍କା ଲାଞ୍ଚ ମାମଲାରେ ଇଡି ଶୁକ୍ରବାର ଦିନ ନାଗପୁରରେ ଥିବା ଦେଶମୁଖଙ୍କ ଘର ସମେତ ମୁମ୍ୱାଇରେ ଥିବା ତାଙ୍କ ସହଯୋଗୀଙ୍କ ଘରେ ରେଡ୍ କରିଥିଲା। ସୂଚନାନୁସାରେ ଦେଶମୁଖ (୭୧) ମୁମ୍ବାଇରେ ଅଛନ୍ତି ଏବଂ ଇଡି ତାଙ୍କୁ ଜେରା କରିବାର ସମ୍ଭାବନା ରହିଛି।
ଶୁକ୍ରବାର ଇଡି ରେଡ୍ କରିବା ପରେ ଅପରାହ୍ନରେ ମୁମ୍ବାଇର ଏକ ସ୍ଥାନରେ ଇଡି ପୋଲାଣ୍ଡେଙ୍କୁ ଆଣି ଘନ ଘନ ଜେରା କରିଥିଲା। ଯେଉଁଥିରେ ଦେଶମୁଖ ବାହାରେ ନିଜ ସମ୍ପର୍କୀୟଙ୍କ ନାଁରେ ସେଲ୍ କମ୍ପାନୀ ତିଆରି କରି କିଭଳି ଆୟ କରୁଥିଲେ ପୋଲାଣ୍ଡେ ଇଡିକୁ କହିଥିବା ଜଣାପଡ଼ିଛି। ଏହା ପୂର୍ବରୁ ବୁଧବାର ତଲୋଜା ଜେଲରେ ଥିବା ବିତାଡିତ ପୁଲିସ ଅଫିସର ସଚିନ ବାଜେକୁ ଜେରା କରିଥିବା ସୂଚନା ରହିଛି।
ସୂଚନାଯୋଗ୍ୟ, ସଚିନା ବାଜେ ଗିରଫ ହେବା ପରେ ମମ୍ୱାଇର ତତ୍କାଳୀନ ପୁଲିସ କମିଶନର ପରମବୀର ସିଂହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଅନୀଲ ଦେଶମୁଖ ଚାନ୍ଦା ଉଠାନ୍ତି ବୋଲି ଅଭିଯୋଗ କରିଥିଲେ। ପରେ ମାମଲା ହାଇକୋର୍ଟରେ ପହଞ୍ଚଥିଲା। ଏହାପରେ ସିବିଆଇ ଏବଂ ଇଡି ଏହି ବଟି ଆଦାୟ ମାମଲାର ତଦନ୍ତ କରୁଛନ୍ତି।
The post ବଟି ଆଦାୟ ମାମଲା, ଦେଶମୁଖଙ୍କ ଦୁଇ ସହଯୋଗୀ ଗିରଫ appeared first on Odisha Reporter.
from Odisha Reporter https://ift.tt/2UFan2l
No comments:
Post a Comment