ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ବର୍ଷ ଭଳି ଚଳିତ ବର୍ଷ ବି ରଥଯାତ୍ରା ଉପରେ ରାଜ୍ୟ ସରକାର ଜାରି କରିଛନ୍ତି କଟକଣା। ପୁରୀ ଛଡ଼ା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା କରାଯାଇପାରିବ ନାହିଁ। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ପ୍ରଦୀପ କୁମାର ଜେନା ଆଜି ଏହି ସୂଚନା ଦେଇଛନ୍ତି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।
ଏସ୍ଆରସି କହିଛନ୍ତି, ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରାରେ ଶ୍ରଦ୍ଧାଳୁମାନେ ସାମିଲ ହୋଇପାରିବେ ନାହିଁ। କେବଳ ସେବାୟତମାନେ ଏଥିରେ ନିୟୋଜିତ ହେବେ। ସେମାନଙ୍କ ପାଇଁ ବି ନିୟମ ରହିବ। ଯେଉଁ ସେବାୟତମାନେ ଦୁଇ ଡୋଜ୍ ଟିକା ନେଇଥିବେ ବା ରଥଯାତ୍ରାର ୪୮ ଘଣ୍ଟା ପୂର୍ବରୁ ଯେଉଁ ସେବାୟତଙ୍କ ଆର୍ଟିପିସିଆର୍ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଥିବ ସେମାନେ ଏଥିରେ ସାମିଲ ହୋଇପାରିବେ।
ସେ ଆହୁରି କହିଛନ୍ତି, ଗତ ବର୍ଷ ଭଳି ଚଳିତ ବର୍ଷ ବି ପୁରୀରେ ରଥଯାତ୍ରା ବେଳେ କର୍ଫ୍ୟୁ ଲାଗିବ। ପୁରୀକୁ ବସ୍ ଓ ଗାଡ଼ିମୋଟର ଚଳାଚଳ ଉପରେ କଟକଣା ଲାଗିବ।
ଏସ୍ଆର୍ସି ଶ୍ରୀ ଜେନା କହିଛନ୍ତି, ରାଜ୍ୟର ଅନ୍ୟ ସବୁ ମନ୍ଦିରରେ ରଥଯାତ୍ରା ନ ହେଲେ ବି ନୀତିକାନ୍ତି ସଂପନ୍ନ କରାଯାଇପାରିବ। ମନ୍ଦିର ପରିସରରେ ନୀତିକାନ୍ତି ସଂପନ୍ନ କରାଯାଇପାରିବ। କିନ୍ତୁ ମନ୍ଦିର ବାହାରେ କିଛି କାର୍ଯ୍ୟକଳାପ ହୋଇପାରିବ ନାହିଁ।
ସେହିଭଳି ପୁରୀ ରଥଯାତ୍ରାର ସିଧା ପ୍ରସାରଣ ଦାୟିତ୍ୱ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ନେବ ବୋଲି ଏସ୍ଆର୍ସି କହିଛନ୍ତି। ସେ କହିଛନ୍ତି, ସୂଚନା ଓ ଲୋକ ସଂପର୍କ ବିଭାଗ ପାଖରୁ ଅନ୍ୟ ଚ୍ୟାନେଲ୍ ମାନେ ଫିଡ୍ ନେଇ ପାରିବେ। ସେମାନେ ନିଜେ ଏହାର ସିଧାପ୍ରସାରଣ କରିବା ପାଇଁ ବ୍ୟବସ୍ଥା କରିବାର ଆବଶ୍ୟକତା ନାହିଁ। ସେହିଭଳି ରଥଯାତ୍ରାର ସ୍ଥିର ଚିତ୍ର ଉତ୍ତୋଳନ ପାଇଁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ବ୍ୟବସ୍ଥା କରାଯିବ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ ୧୨ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ।
ଗତ ବର୍ଷ ରଥଯାତ୍ରା ବେଳେ ରାଜ୍ୟରେ କରୋନାର ପ୍ରଥମ ଲହର ଚାଲିଥିଲା। ଏବେ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଚାଲିଛି। ବିଗତ କିଛି ଦିନ ଅପେକ୍ଷା ଦୈନିକ ସଂକ୍ରମଣ ସଂଖ୍ୟା ପାଖାପାଖି ଅଧା ହୋଇଥିଲେ ହେଁ ସ୍ଥିତି ସ୍ୱାଭାବିକ ହୋଇନାହିଁ। ଏବେ ବି ଦୈନିକ ସଂକ୍ରମଣ ୬ ହଜାର ଉପରେ ରହୁଛି। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି ରହିଛି, ଯାହା ଜୁନ୍ ୧୭ ତାରିଖରେ ସରିବ। ତେବେ ଆଗାମୀ ସପ୍ତାହେ ମଧ୍ୟରେ ସ୍ଥିତିରେ ଆହୁରି ସୁଧାର ଆସିବ ବୋଲି ଆକଳନ କରାଯାଉଛି। ସ୍ଥିତିକୁ ଦେଖି ସରକାର ୧୭ ତାରିଖ ପରେ ଲକ୍ଡାଉନ୍ ଉଠାଇବେ ନା ନାହିଁ, ସେ ସଂପର୍କରେ ନିଷ୍ପତ୍ତି ନେବେ।
The post ଲାଗିଲା କଟକଣା: ପୁରୀ ଛଡ଼ା ଅନ୍ୟ କେଉଁଠି ହେବ ନାହିଁ ରଥଯାତ୍ରା appeared first on Odisha Reporter.
from Odisha Reporter https://ift.tt/3cwiV1H
No comments:
Post a Comment