ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକାର ଜରୁରୀ କାଳୀନ ବ୍ୟବହାର ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ମୋହର ମାରିବାର ସମ୍ଭାବନା ସୃଷ୍ଟି ହୋଇଛି। କମ୍ପାନୀ ପକ୍ଷରୁ ଟିକାକୁ ନେଇ କରାଯାଇଥିବା ଏକ୍ସପ୍ରେସନ ଅଫ ଇଣ୍ଟରେଷ୍ଟ(ଇଆଇଓ) ଆବେଦନକୁ ହୁ’ ଗ୍ରହଣ କରିଛି।
ଅର୍ଥାତ ଏହା ବିଚାର ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଭାରତ ବାୟୋଟେକ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମାଗିବା ପରେ ହୁ’ ପକ୍ଷରୁ ଅତିରିକ୍ତ ତଥ୍ୟ ମଗାଯାଇଥିଲା। ଏହି ତଥ୍ୟ ମିଳିବା ପରେ ହୁ’ ଏହାକୁ ବିଚାର କରିବାକୁ ବିବେଚନା କରିଛି।
ଏବେ ଭାରତ ବାୟୋଟେକ ଓ ହୁ’ର ଅଧିକାରୀଙ୍କ ମଧ୍ୟରେ ପ୍ରି-ସବିସନ ମିଟିଂ ଜୁନ୍ ୨୩ରେ ହେବ। ତେବେ ଚୂଡ଼ାନ୍ତ ତର୍ଜମା କରିବା ପୂର୍ବରୁ ହୁ’ ନିକଟରେ ଭାରତ ବାୟୋଟେକକୁ ତୃତୀୟ ପର୍ଯ୍ୟାୟ ଟ୍ରାଏଲର ସମସ୍ତ ରିପୋର୍ଟ ଦାଖଲ କରିବାକୁ ପଡ଼ିବ। ଭାରତରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲର ଅନ୍ତରୀଣ ବିଶ୍ଲେଷଣ ରିପୋର୍ଟ ଆସିଛି।
ଏଥିରେ ୨୫,୮୦୦ ଭାରତୀୟ ସାମିଲ ହୋଇଥିଲେ। ଏହା କରୋନା ବିରୋଧରେ ପ୍ରାୟ ୭୮% ଫଳପ୍ରଦ ବୋଲି ଜଣାପଡ଼ିଛି। ଏବେ ଭାରତ ବାୟୋଟେକ ବ୍ରାଜିଲରେ ୪,୫୦୦ ସ୍ୱେଚ୍ଛାସେବୀଙ୍କ ଉପରେ ଫେଜ-୩ର ଗବେଷଣା କରୁଛି। ଏହାପରେ କମ୍ପାନୀ ଆମେରିକାରେ ମଧ୍ୟ ଏହାର ଟ୍ରାଏଲ କରିବ। କାରଣ ମାର୍କେଟରେ ପ୍ରବେଶ କରିବା ପାଇଁ ହେଲେ କମ୍ପାନୀ ଏପରି ଟ୍ରାଏଲ ବିଭିନ୍ନ ଦେଶରେ କରିବାକୁ ବାଧ୍ୟ।
ଚଳିତ ବର୍ଷ ଜାନୁଆରୀ ୩ରେ ଡିସିଜିଆଇ କୋଭାକ୍ସିନକୁ ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ତେବେ ଟିକାର ଫେଜ-୩ ଟ୍ରାଏଲ ଚାଲିଥିବା ବେଳେ ଏହାକୁ ବ୍ୟବହାର ପାଇଁ ଅନୁମତି ମିଳିଥିବାରୁ ବିବାଦ ସୃଷ୍ଟି ହୋଇଥିଲା। ତଥାପି ଏକାଧିକ ସର୍ଭେରୁ ଏହା କରୋନାକୁ ମାତ ଦେଇପାରୁଥିବା ଜଣାପଡ଼ିଥିଲା।
ତେବେ ହୁ’ ଏହାକୁ ଅନୁମୋଦନ ଦେଇ ନଥିବାରୁ କୋଭାକ୍ସିନ ନେଇଥିବା ଲୋକଙ୍କ ବିଦେଶ ଯାତ୍ରା ଉପରେ ରୋକ ଲାଗିବାର ଆଶଙ୍କା ପାଇଛି। ଏକାଧିକ ରାଷ୍ଟ୍ର କେବଳ ୟୁରୋପ ୟୁନିଅନ ଓ ହୁ’ ଅନୁମୋଦନ କରିଥିବା ଟିକାକୁ ବିଚାରକୁ ନିଆଯାଇଛି। ଏହି ଦୁଇ ସଂସ୍ଥା ଅନୁମୋଦନ କରିଥିବା ଟିକା ନେଇଥିବା ଲୋକଙ୍କୁ ବିଦେଶ ଯାତ୍ରା ପାଇଁ ଅନୁମୋଦନ ମିଳିବ ବୋଲି ଚର୍ଚ୍ଚା ହେଉଛି।
ୟୁରୋପ ୟୁନିଅନ ଜୁଲାଇ ୧ରୁ ଟିକା ପାସପୋର୍ଟ ନିୟମ ପ୍ରଣୟନ କରିବ। ଏବେଠାରୁ ହିଁ ଏକାଧିକ ରାଷ୍ଟ୍ର ଏପରି ନିୟମ ପ୍ରଣୟନ କରି ସାରିଛନ୍ତି। ତେଣୁ କୋଭାକ୍ସିନକୁ ଯଦି ହୁ’ ଅନୁମୋଦନ ଦେବ, ତେବେ ଭାରତୀୟଙ୍କ ବିଦେଶୀ ଯାତ୍ରା ପାଇଁ ଆଉ କୌଣସି ଅସୁବିଧା ହେବନାହିଁ।
The post ଖୁସି ଖବର: ହୁ’ର ଅନୁମତି ପାଇବା ଦିଗରେ ଆଉ ପାଦେ ଆଗେଇଲା କୋଭାକ୍ସିନ appeared first on Odisha Reporter.
from Odisha Reporter https://ift.tt/35tLBEy
No comments:
Post a Comment