ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୧୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ସକ୍ରିୟ ହେବ। ଏହା ପୂର୍ବରୁ ଆଜି ଓ ଆସନ୍ତାକାଲି ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାଧାରଣରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆଜି ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ରାଜ୍ୟରେ ଆସନ୍ତାକାଲି ବର୍ଷାର ପରିମାଣ ବଢ଼ିବା ସାଙ୍ଗକୁ କେତେକ ସ୍ଥାନରେ ଘଡ଼ ଘଡ଼ି ସାଙ୍ଗକୁ ବର୍ଷା ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର ବିଶ୍ୱାସ କହିଛନ୍ତି, ୮ ତାରିଖରେ (ଆଜି) ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତାକାଲି ରାଜ୍ୟର ଅଧିକାଂଶ ଜିଲ୍ଲାର ଅନେକ ସ୍ଥାନରେ ଘଡ଼ିଘଡ଼ି ଓ ବିଜୁଳି ସହିତ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ,ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ ମାଲାକନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
ସେ ଆହୁରି କହିଛନ୍ତି, ୧୧ ତାରିଖରେ ଲଘୁଚାପ ହେବାକୁ ଥିବା ବେଳେ ୧୦ ତାରିଖରୁ ଏହାର ପ୍ରଭାବ ଆରମ୍ଭ ହୋଇଯିବ। ସେଥିପାଇଁ ରାଜ୍ୟର କିଛି ସ୍ଥାନରେ ୧୦ ତାରିଖରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଆଜି କଳାବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ସୋରରେ ହଠାତ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ଓ ପବନ ହୋଇଛି। କିଛି ସମୟ ପାଇଁ ପବନର ବେଗ ଏତେ ମାତ୍ରାରେ ଥିଲା ଯେ ଲୋକେ ଭୟଭୀତ ହୋଇଯାଇଥିଲେ। ପବନ ସାଙ୍ଗକୁ ବିଜୁଳି ମଧ୍ୟ ମାରିଥିଲା।
The post ଆଜିଠୁ ବର୍ଷା, କିଛି ସ୍ଥାନରେ ପ୍ରବଳ ହୋଇପାରେ appeared first on Odisha Reporter.
from Odisha Reporter https://ift.tt/3g36pZm
No comments:
Post a Comment