ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ରଙ୍ଗାରାଜନ କୁମାରମଙ୍ଗଲମଙ୍କ ପତ୍ନୀ ତଥା ଆଇନଜୀବୀ କିଟ୍ଟୀ କୁମାରମଙ୍ଗଲମଙ୍କୁ ଘରେ ପଶି ହତ୍ୟା କରାଯାଇଛି। ମଙ୍ଗଳବାର ରାତିରେ ଦକ୍ଷିଣ ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ୬୮ ବର୍ଷୀୟ କିଟ୍ଟୀ ରହିଥିବା ବେଳେ ତାଙ୍କ ସହ ଏପରି ଘଟଣା ଘଟିଛି। କିଟ୍ଟୀଙ୍କ ଘରେ ଲୁଗା ସଫା କାମ କରୁଥିବା ଜଣେ ବ୍ୟକ୍ତି ଓ ତା’ର ଦୁଇ ସହଯୋଗୀ ଏଭଳି କାଣ୍ଡଭିଆଇ ଥିବା କୁହାଯାଉଛି।
ପୁଲିସ୍ ଏହି ଘଟଣାରେ କିଟ୍ଟୀଙ୍କ ଘରେ ପାଖରେ କାମ କରୁଥିବା ୨୪ ବର୍ଷୀୟ ରାଜୁ ଲଖାନକୁ ଗିରଫ କରିଥିବା ବେଳେ ତା’ର ସହଯୋଗୀମାନଙ୍କୁ ଧରିବା ପାଇଁ ପ୍ରୟାସ କରୁଛି। ଡିସିପି ଇଙ୍ଗିତ ପ୍ରତାପ ସିଂହ କହିଛନ୍ତି, ମଙ୍ଗଳବାର ରାତି ପ୍ରାୟ ୧୧ଟା ବେଳେ ଆମେ ଘଟଣା ସମ୍ପର୍କରେ ଖବର ପାଇଥିଲୁ।
ତାଙ୍କ ଘରୋଇ ସହାୟକ ମଞ୍ଜୁ ଆମକୁ ଫୋନ କରି ହତ୍ୟାକାଣ୍ଡ ସମ୍ପର୍କରେ କହିଥିଲେ। ତାଙ୍କ କହିବା ଅନୁଯାୟୀ ରାଜୁ ପ୍ରାୟ ରାତି ୯ଟା ବେଳେ ଘରକୁ ଆସିଥିଲା। ମଞ୍ଜୁ କବାଟ ଖୋଲିବା କ୍ଷଣି ସେ ଓ ତା’ ଦୁଇ ସହଯୋଗୀ ତାଙ୍କୁ ଗୋଟିଏ ରୁମକୁ ନେଇ ବନ୍ଦ କରି ଦେଇଥିଲେ। ଏହାପରେ ସେମାନେ କିଟ୍ଟୀଙ୍କୁ ମଧ୍ୟ ଜୋରଜବରଦସ୍ତି ଗୋଟିଏ ରୁମକୁ ନେଇ ଯାଇଥିଲେ।
ଏହାକୁ ସେ ବିରୋଧ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ସେହିଠାରେ ହତ୍ୟା କରିଥିଲେ। ଏହି ସମୟରେ ମଞ୍ଜୁଙ୍କ ଦୁଇ ହାତକୁ ଅଭିଯୁକ୍ତମାନେ ବାନ୍ଧି ଦେଇଥିଲେ। ହତ୍ୟା ପରେ ସେମାନେ ଘରେ ଥିବା କିଛି ଟଙ୍କା ଓ ଅଳଙ୍କାର ଧରି ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ମଞ୍ଜୁ ପଡ଼ୋଶୀଙ୍କ ସହାୟତାରେ ପୁଲିସକୁ ଖବର ଦେଇଥିଲେ।
ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମଞ୍ଜୁଙ୍କ ବୟାନ ଆଧାରରେ ରାଜୁକୁ ଗିରଫ କରିଛି। ଏବେ ତା’ର ଦୁଇ ସହଯୋଗୀଙ୍କୁ ଧରିବାକୁ ପ୍ରୟାସ କରାଯାଉଛି। ପୂରା ଘଟଣାର ଯାଞ୍ଚ ପାଇଁ ଏକାଧିକ ଟିମ୍ ଗଠନ କରାଯାଇଛି। ସେହିପରି କିଟ୍ଟୀଙ୍କ ପୁଅ ବେଙ୍ଗାଲୁରୁରେ ରହୁଥିବାରୁ ତାଙ୍କୁ ମଧ୍ୟ ଏହି ଘଟଣା ସମ୍ପର୍କରେ ପୁଲିସ୍ ଖବର ଦେଇଥିବା ଡିସିପି ସିଂହ କହିଛନ୍ତି।
The post ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀଙ୍କୁ ଘରେ ପଶି ହତ୍ୟା appeared first on Odisha Reporter.
from Odisha Reporter https://ift.tt/3hLviZt
No comments:
Post a Comment