ୱାଶିଂଟନ:“ଆଫଗାନିସ୍ତାନରୁ ସମସ୍ତ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ମିଶନ ଶେଷ ହୋଇଛି । ଏଥିସହ ଏହି ଅଭିଯାନ ଶେଷ ହୋଇଛି। ” ଆଫଗାନିସ୍ତାନ ଛାଡ଼ିବା ନିମନ୍ତେ ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ଏପରି ଘୋଷଣା କଲେ ଆମେରିକାର ଜେନେରାଲ କେନେଥ ମେଙ୍କେଜୀ । ଏଥିସହ ଦୀର୍ଘ ୨ ଦଶନ୍ଧି ଧରି ଆଫଗାନିସ୍ତାନ ମାଟିରେ ଆତଙ୍କବାଦୀ ବିରୋଧରେ ଆମେରିକା ଚଳାଇଥିବା ଅଭିଯାନ ଶେଷ ହୋଇଥିବା ସମ୍ପର୍କରେ ଔପଚାରିକ ଭାବେ ସମଗ୍ର ବିଶ୍ୱକୁ ସେ ଅବଗତ କଲେ।
ଆଫଗାନ ମାଟିରୁ ଆମେରିକାର ଶେଷ ସୈନ୍ୟ ପ୍ରତ୍ୟାହାର ପରେ ଶେଷ ହେଲା ଦୀର୍ଘ ୨ ଦଶନ୍ଧିର ଯାତ୍ରା। ୧୯ ବର୍ଷ ୧୦ ମାସ ଏବଂ ୨୫ ଦିନ ପରେ ଆଫଗାନିସ୍ତାନ ମାଟି ଛାଡ଼ିଲା ଆମେରିକା । ଆମେରୀକିୟ ସୈନ୍ୟ ଆଫଗାନିସ୍ତାନ ମାଟି ଛାଡିବା ନିମନ୍ତେ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଡେଡଲାଇନ୍ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଏହାର ଦିନକ ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ଆମେରିକାର ଶେଷ ୩ ଯୁଦ୍ଧ ବିମାନ ଆଫଗାନିସ୍ତାନରୁ ଉଡ଼ାଣ ଭରିବା ସହ ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ ।
ମିଳିଥିବା ଖବର ଅନୁସାରେ, ଆମେରିକାର ଶେଷ ୩ ବିମାନ ସି-୧୭ ଗ୍ଲୋବାଲ ମାଷ୍ଟର ଗତକାଲି ବିଳମ୍ବିତ ରାତିରେ କାବୁଲସ୍ଥିତ ହାମିଦ କରଜାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଉଡ଼ାଣ ଭରିଛି । ଏହା ସହ ଆଫଗାନିସ୍ତାନ ମାଟିରେ ଆମେରିକା ପକ୍ଷରୁ ଆତଙ୍କବାଦୀ ସହ ଜାରି ରହିଥିବା ଲଢ଼େଇ ଶେଷ ହୋଇଯାଇଥିବା। ପେଣ୍ଟାଗନ ପକ୍ଷରୁ ସୂଚନା ଜାରି କରାଯାଇଛି । ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ ଖୁସି ମନାଇଛନ୍ତି ତାଲିବାନୀ । ଏପରିକି ଫାଙ୍କାରେ ଗୁଳି ଚାଳନା କରି ସେମାନେ ଖୁସି ଜାହିର କରିଥିବା ଜଣାଯାଇଛି।
ଆମେରିକା ସେନା ପ୍ରତ୍ୟାହାର ଘୋଷଣା କରିବା ପରେ ୧୮ ଦିନରେ ଆଫଗାନିସ୍ତାନରୁ ୧ ଲକ୍ଷ ୨୩ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ଆମେରିକାର ୬ ହଜାର ନାଗରିକଙ୍କ ସମେତ ଅନ୍ୟାନ୍ୟ ଦେଶର ଲୋକ ମଧ୍ୟ ଅଛନ୍ତି । କିଛି ଆଫଗାନ ନାଗରିକ ମଧ୍ୟ ତାଲିବାନ ଭୟରେ ଦେଶ ଛାଡ଼ିଛନ୍ତି। ଏହାସତ୍ତ୍ୱେ ଯାହା ଆଶା ଥିଲା ସେହି ଅନୁସାରେ ସମସ୍ତଙ୍କୁ ଉଦ୍ଧାର କରିପାରିନୁ ବୋଲି ପେଣ୍ଟାଗନ ପକ୍ଷରୁ କୁହାଯାଇଛି।
ତେବେ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ଯୋଗୁ ଆଫଗାନିସ୍ତାନରେ ଦେଖାଦେଇଥିବା ଅସ୍ଥିରତା ଯୋଗୁ ବହୁ ଦେଶ ଯୁକ୍ତରାଷ୍ଟ୍ର ଆମେରିକାର ଋଣନୀତିକୁ ସମାଲୋଚନା କରୁଛନ୍ତି। ହେଲେ ଆଉ ଆମେରିକୀୟଙ୍କ ଜୀବନହାନି ହେବାକୁ ଦିଆଯିବନି । କାହିଁକି ଆଫଗାନିସ୍ତାନ ଛାଡ଼ିଲୁ ଦେଶବାସୀଙ୍କୁ ଅବଗତ କରିବୁ ବୋଲି କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ।
ଆମେରିକା ଉପରେ ଅଲ-କାଏଦାର ଆକ୍ରମଣ ପରେ ୧୧ ସେପ୍ଟେମ୍ବର ୨୦୦୧ ମସିହା ପରେ ଆଫଗାନିସ୍ତାନ ମାଟିରେ ପାଦ ଦେଇଥିଲା ଆମେରିକା। ଏଥିସହ ଆରମ୍ଭ କରିଥିଲା ଆତଙ୍କବାଦୀ ନିପାତ ଅଭିଯାନ ।
ଆଫଗାନିସ୍ତାନ ଉପରେ ତାଲିବାନୀ ନିଜ ଆଧିପତ୍ୟ ଜାହିର କରିବା ପରେ ଦେଖାଦେଇଥିବା ଭୟ ଓ ଅସ୍ଥିରତା ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ନିଜ ସୈନ୍ୟଙ୍କୁ ଆଉ ବିପଦରେ ପକାଇବାକୁ ଚାହିଁଲା ନାହିଁ। ଏଥିଯୋଗୁ ଆଫଗାନିସ୍ତାନ ଛାଡ଼ିବାକୁ ଘୋଷଣା କରି ଆରମ୍ଭ ହୋଇଥିବା ଅଭିଯାନ ଗତ କାଲି ବିଳମ୍ବିତ ରାତିରେ ଶେଷ ହୋଇଯାଇଛି। ଆଫଗାନିସ୍ତାନରୁ ସଂପୂର୍ଣ୍ଣ ଭାବେ ଆମେରିକା ହଟିଯିବା ପରେ ତାଲିବାନର ପରବର୍ତ୍ତୀ ପଦକ୍ଷେପ କଣ ରହିବ ଏବେ ତା ଉପରେ ରହିଛି ସାରା ବିଶ୍ୱର ନଜର ରହିଛି ।
ଆମେରିକୀୟ ସୈନ୍ୟ ଆଫଗାନିସ୍ତାନ ଛାଡ଼ିବା ପରେ ତାଲିବାନ କି ଋଣନୀତି ଆପଣାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏହି ପ୍ରସଙ୍ଗରେ UNSCରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି। ତାଲିବାନ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ନେଇ UNSCରେ ସହମତି ପ୍ରକାଶ ପାଇଛି । ଏଥିସହ ଆଫଗାନ ଓ ଅନ୍ୟ ଦେଶର ନାଗରିକଙ୍କଙ୍କ ଆତଯାତରେ ଯେପରି କୌଣସି ବାଧା ସୃଷ୍ଟି ନ ହୁଏ ତାହା ଉପରେ ମଧ୍ୟ ଦୃଷ୍ଟି ଦେବାକୁ ତାଲିବାନକୁ କୁହାଯାଇଛି। ଏଥିସହ ପ୍ରତିଶ୍ରୁତି ଅନୁସାରେ ନାଗରିକଙ୍କୁ ସ୍ୱାଧୀନତା ପ୍ରଦାନ କରିବା ନେଇ ମଧ୍ୟ ପ୍ରସ୍ତାବ ପାରିତ ହୋଇଛି।ଏହାବାଦ ଅଗଷ୍ଟ ୨୬ରେ ଆଇଏସ୍-କେ ଦ୍ୱାରା କାବୁଲରେ ହୋଇଥିବା ବିସ୍ଫୋରଣକୁ ନିନ୍ଦା କରାଯାଇଛି।
The post ୨ ଦଶନ୍ଧି ପରେ ଆଫଗାନିସ୍ତାନ ଛାଡ଼ିଲା ଆମେରିକା appeared first on Odisha Reporter.
from Odisha Reporter https://ift.tt/3BnBgYH
No comments:
Post a Comment