ଅନୁଗୋଳ(ବିରଜା ଦାସ): ମାନବବାଦ ସଙ୍ଗଠନ କର୍ମକର୍ତ୍ତା ମୋତେ ବି ନିର୍ଧୂମ ପିଟିଥିଲେ। ଜୀବନରୁ ମାରିଦେବାକୁ ଧମକ ବି ଦେଇଥିଲେ। ମାନସ ଦାସ ପାଇଁ କାମ କରିବାକୁ ଶପଥ କରାଇଲେ। ତଣ୍ଟିରେ ଛୁରି ଲଗାଇ କାହା ଆଗରେ ଏହି କଥା କହିଲେ ଖୋଜି ଖୋଜି ମାରିଦେବୁ ବୋଲି କହିଥିଲେ।” ଖୋର୍ଦ୍ଧାରେ ଜଣେ ବୃଦ୍ଧ ଓ ତାଙ୍କ ପୁଅଙ୍କୁ ଏକ ଘରେ ପୂରାଇ ନିର୍ଧୂମ ପିଟିଥିବା ମାନବବାଦ ସଙ୍ଗଠନ ନାଁରେ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ । ଖୋର୍ଦ୍ଧା ପରେ ଅନୁଗୋଳ ଜିଲ୍ଲାରୁ ସାମ୍ନାକୁ ଆସିଛି ଛାତି ଥରାଇବା ପରି ଆଉ ଏକ ଅଭିଯୋଗ ।
ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡ଼କନ୍ତକୁଳ ଗାଁର କୃତାର୍ଥ ନାଏକ ମାନବ ସଙ୍ଗଠନ କର୍ମୀଙ୍କ ଦ୍ୱାରା ନିର୍ଯାତିତ ହୋଇଥିବା ଅଭିଯୋଗ କରିଛନ୍ତି। ପ୍ରାୟ ଦେଢ ମାସ ହେବ ଏନେଇ ଥାନାରେ ଅଭିଯୋଗ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ପୁଲିସ୍।
ସୂଚନା ଅନୁଯାୟୀ, କୃତାର୍ଥଙ୍କୁ ଜାମୁଣ୍ଡା ଗାଁର ଜଣେ ବ୍ୟକ୍ତି ପ୍ରଲୋଭିତ କରି ମାନସ ଦାସଙ୍କ ସଂଗଠନ ପାଇଁ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇଥିଲେ । କୃତାର୍ଥ ମାନସ ଦାସଙ୍କ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର ଭୁବନେଶ୍ୱର କାର୍ଯ୍ୟାଳୟ ପାଇଁ ପ୍ରାୟ ୨୦୧୫ ମସିହାରେ କାମ ଆରମ୍ଭ କରିଥିଲେ । ୨୦୧୯ ପର୍ଯ୍ୟନ୍ତ ସଙ୍ଗଠନରେ କାମ କରିବା ପରେ ନିଜର କର୍ମ ବ୍ୟସ୍ତତା ଯୋଗୁଁ ଆଉ ସଂଗଠନ ପାଇଁ ସମୟ ଦେଇ ପାରିନଥିଲେ । ବାପା ମାଙ୍କ ଏକମାତ୍ର ପୁଅ ହୋଇଥିବାରୁ ବାପା ମାଙ୍କ ସେବା ଯତ୍ନ ପାଇଁ ଆଉ ସଙ୍ଗଠନକୁ ସମୟ ଦେଇପାରିବେ ନାହିଁ ବୋଲି ଜଣାଇଥିଲେ ।
ମାତ୍ର ଏହାକୁ ନେଇ ସଂଗଠନ ପକ୍ଷରୁ ତାଙ୍କୁ ଧମକ ମିଳିବା ସହ ଗତ ଜୁଲାଇ ୧୨ ତାରିଖରେ ସଙ୍ଗଠନରେ ଯୋଗ ଦେବା ପାଇଁ ଭୁବନେଶ୍ୱର ଯିବାକୁ କୁହାଯାଇଲା । ମାତ୍ର ସେ ଅନିଚ୍ଛା ପ୍ରକାଶ କରିଥିଲେ । ଏହାପରେ ସଂଗଠନର କିଛି ସଦସ୍ୟ କୃତାର୍ଥଙ୍କୁ ଧମକ ଦେବା ସହ ପରିଣାମ ଭୟାବହ ହେବ ବୋଲି କହିଥିଲେ ।
ବନ୍ତଳା ଅଞ୍ଚଳର ଅନେକ ଲୋକଙ୍କୁ ସଙ୍ଗଠନରେ ସାମିଲ କରାଇଥିବା ଜାମୁଣ୍ଡା ଗାଁର ସଦାନନ୍ଦ ଗତ ଜୁଲାଇ ୧୯ରେ କୃତାର୍ଥଙ୍କୁ ନିଜ ଘରକୁ ଡାକିଥିବା ଅଭିଯୋଗ ହେଉଛି । କୃତାର୍ଥ ପହଞ୍ଚିବା ପରେ କାହିଁକି ସଙ୍ଗଠନକୁ ସମୟ ଦେଉନାହଁ ବୋଲି ପ୍ରଶ୍ନ କରିଥିଲେ। କୃତାର୍ଥ ନିଜର ଅସମର୍ଥତା ପ୍ରକାଶ କରିବାରୁ ସଦାନନ୍ଦ ଓ ଅନ୍ୟ କିଛି ସଦସ୍ୟ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ସଙ୍ଗଠନରେ ଯୋଗ ନ ଦେଲେ ପରିଣତି ଭୟାବହ ହେବ ବୋଲି ଚେତାବନୀ ଦେଇଥିଲେ ।
କୃତାର୍ଥ ମାଡ଼ ଖାଇ ଘରେ ପହଁଚିବା ପରେ ତାଙ୍କ ବାପା ମା ଭୟଭୀତ ହୋଇଯିବା ସହ ପରବର୍ତ୍ତୀ ସମୟରେ ବନ୍ତଳା ଥାନାରେ ଅଭିଯୋଗ କରିଥିଲେ । ହେଲେ ଏଯାଏ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିବା ଜଣାଯାଇଛି। ବର୍ତ୍ତମାନ ପୁରା ପରିବାର ଭୟ ଭିତରେ ଜୀବନ ବଞ୍ଚୁ ଥିବାବେଳେ ମାନସ ଦାସଙ୍କୁ ଖୁବଶୀଘ୍ର ଗିରଫ ପାଇଁ ଦାବି କରିଛନ୍ତି କୃତାର୍ଥଙ୍କ ମା ।
ଏନେଇ କୃତାର୍ଥ ନାଏକ କହିଛନ୍ତି, “ମୋତେ ସଦାନନ୍ଦ ନାୟକ ୧୬ ତାରିଖରେ ଫୋନ କରି ୧୯ ତାରିଖରେ ତାଙ୍କ ଘରକୁ ଯିବାକୁ କହିଥିଲେ। ମୁଁ ସେଠାକୁ ଯିବାରୁ ସେଠାରେ ୮ ଜଣ ଥିଲେ। ଘର ଭିତରେ ଗୋଟିଏ ସପ ପଡ଼ିଥିଲା। ମୋତେ ସେଠାରେ ବସାଇଲେ। କାହିଁକି ଯାଉନ ବୋଲି ପଚାରିଲେ। ମୁଁ କିଛି କହିବା ଆଗରୁ ମୋତେ ନିର୍ଧୂମ ପିଟିବା ଆରମ୍ଭ କଲେ। ଏପରିକି ଜୀବନରୁ ମାରିଦେବାକୁ ବି ଧମକ ଦେଲେ। ମାନସ ଦାସ ପାଇଁ କାମ କରିବାକୁ ଶପଥ ବି କରାଇଲେ। ତଣ୍ଟିରେ ଛୁରି ଲଗାଇ କାହା ଆଗରେ ଏହି କଥା କହିଲେ ଖୋଜି ଖୋଜି ମାରିଦେବୁ ବୋଲି କହିଥିଲେ।”
ଘଟଣାର ଦେଢ ମାସ ପରେ ବି ଅଭିଯୁକ୍ତ ସଦାନନ୍ଦକୁ ପୁଲିସ୍ ଗିରଫ କରିପାରି ନାହିଁ। ସେ ଫେରାର ଥିବା ବେଳେ ପୁଲିସ୍ ତାକୁ ଖୋଜାଖୋଜି କରୁଥିବା କହିଛନ୍ତି ବନ୍ତଳା ଥାନା ଆଇଆଇସି।
The post ଅନୁଗୋଳକୁ ଲମ୍ବିଛି ମାନବବାଦ ସଙ୍ଗଠନର ଚେର, ଘରେ ପୂରାଇ ଯୁବକଙ୍କୁ ନିର୍ଧୂମ ପିଟିଥିଲେ appeared first on Odisha Reporter.
from Odisha Reporter https://ift.tt/3DFFJrC
No comments:
Post a Comment