ସମ୍ବଲପୁର (ଓଡ଼ିଶା ରିପୋର୍ଟର): ବରଗଡ଼ ଟାଉନ୍ ଥାନାରେ ପୁଲିସ୍ ହେପାଜତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହେବା ପରେ ୪ ଜଣଙ୍କୁ କାର୍ଯ୍ୟାନ୍ତର କରାଯାଇଛି। ବରଗଡ଼ ଏସ୍ପି ଏହି ସୂଚନା ଦେଇଛନ୍ତି।
ଏସ୍ପି କହିଛନ୍ତି, ବରଗଡ଼ ଟାଉନ ଥାନାର ଜଣେ ସବ୍ଇନ୍ସପେକ୍ଟର, ୨ ଜଣ ଏଏସ୍ଆଇ ଓ ଜଣେ ହୋମ୍ଗାର୍ଡଙ୍କୁ କାର୍ଯ୍ୟାନ୍ତର କରାଯାଇଛି।
ଅନ୍ୟପକ୍ଷରେ ଏହି ଘଟଣାରେ ଦୁଇଟି ପୃଥକ ପୃଥକ ତଦନ୍ତ ହେବା ନେଇ ପଶ୍ଚିମାଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ କହିଛନ୍ତି। ଘଟଣାର ବିଚାର ବିଭାଗୀୟ ଓ ଏଚ୍ଆର୍ପିସି ତଦନ୍ତ ହେବ। ଏଥିରେ ପୁଲିସ୍ର କିଛି ଭୂମିକା ରହିବନି ବୋଲି ସେ କହିଛନ୍ତି।
ଇତି ମଧ୍ୟରେ ମୃତ ଯୁବକ ଗୋବିନ୍ଦା କୁମ୍ଭାରଙ୍କ ଶବକୁ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଏକ ମାରପିଟ ମାମଲାରେ ବରଗଡ଼ ଟାଉନ ଥାନା ପୁଲିସ ତୋରା ଗାଁର ରାଧେଶ୍ୟାମ କୁମ୍ଭାରଙ୍କ ପୁଅ ଗୋବିନ୍ଦଙ୍କୁ ଶୁକ୍ରବାର ରାତିରେ ଉଠାଇ ନେଇଥିଲା। ଗତକାଲି ଭୋରରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ପ୍ରଥମେ ପୁରୁଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଗୋବିନ୍ଦଙ୍କ ମୃତ୍ୟୁ ହୋଇଯାଇଥିଲା। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କୁ ପୁଲିସ୍ ପିଟି ପିଟି ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଗୋବିନ୍ଦଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭଙ୍ଗାରୁଜା କରିଥିଲେ। ସେହିପରି ଗୋବିନ୍ଦଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁଲିସ ନେଉଥିବା ବେଳେ ସେମାନେ ଛଡ଼ାଇ ନେଇଥିଲେ। ସେମାନେ ମୃତଦେହ ଧରି ଏସ୍ପିଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ। ତେବେ ଗାନ୍ଧି ଛକରେ ପୁଲିସ୍ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଉଭୟଙ୍କ ଭିତରେ ଠେଲାପେଲା ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ପୁଲିସ୍ ପକ୍ଷରୁ ଲାଠି ଚାର୍ଜ କରାଯାଇଥିଲା।
The post ପୁଲିସ୍ ହେପାଜତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ୪ ଜଣଙ୍କୁ କାର୍ଯ୍ୟାନ୍ତର appeared first on Odisha Reporter.
from Odisha Reporter https://ift.tt/3AHMqaQ
No comments:
Post a Comment