ବାସୁଦେବପୁର/ଉଦଳା (କିରୀଟି ଦାସ/ମାନସ ପାଣି): ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଙ୍କୁ ସାନିଟାରୀ ନାପ୍କିନ୍ ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଥିଲା ‘ଖୁସି’ ଯୋଜନା। ହେଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ଓ ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ଯେଉଁ ଚିତ୍ର ଆସିଛି, ସେଥିରୁ ଲାଗୁଛି ସରକାରଙ୍କ ଏହି ଯୋଜନା ବାଟବଣା ହୋଇଯାଇଛି। ସରକାର ସାନିଟାରୀ ନାପକିନ୍ ଯୋଗାଇ ଦେଉଥିଲେ ହେଁ ସେଗୁଡ଼ିକ ଛାତ୍ରୀଙ୍କ ପାଖରେ ନପହଞ୍ଚି ଗୋଦାମରେ ପଡ଼ି ରହୁଛି।
ଛାତ୍ରୀମାନଙ୍କୁ ସାନିଟାରୀ ନାପ୍କିନ୍ ଯୋଗାଇ ଦେବାକୁ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପାଇଁ ବାସୁଦେବପୁର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ନୋଡାଲ୍ ସେଣ୍ଟର ଭାବେ ଚିହ୍ନଟ କରାଯାଇଥିଲା। ଏହି ସେଣ୍ଟରକୁ ୨୦୨୦ରେ ଯେଉଁ ସାନିଟାରୀ ନାପକିନ ଆସିଥିଲା ସେଥିରୁ କିଛି ବଣ୍ଟନ କରାଯାଇଥିବା ବେଳେ ଆହୁରି ୧ ଲକ୍ଷ ୪୦ ହଜାର ୫୫୨ ସେମିତି ପଡ଼ି ରହିଥିଲା।
ଏହା ପରେ ୨୦୨୧ ଜାନୁଆରୀ ଓ ଫେବ୍ରୁଆରୀ ମାସରେ ଦୁଇଟି ପର୍ଯ୍ୟାୟରେ ଏହି ନୋଡାଲ୍ ସେଣ୍ଟରକୁ ଆହୁରି ୭ ଲକ୍ଷ ୮୧ ହଜାର ୧୨୦ଟି ସାନିଟାରୀ ନାପ୍କିନ୍ ଆସିଥିଲା। କିନ୍ତୁ ସେଥିରୁ ଗୋଟିଏ ବି ବଣ୍ଟା ଯାଇନି। ଏବେ ଏହି ନୋଡାଲ ସେଣ୍ଟରର ଗୋଦାମରେ ୯ ଲକ୍ଷ ୨୧ ହଜାର ୬୭୨ ଖଣ୍ଡ ନାପ୍କିନ୍ ପଡ଼ିରହିଛି ବୋଲି ଏହାର ଦାୟିତ୍ୱରେ ଥିବା କନକଲତା ଦାସ କହିଛନ୍ତି। ଏହା କିଭଳି ଛାତ୍ରୀଙ୍କ ପାଖରେ ପହଞ୍ଚିବ, ସେ ନେଇ କାହାରି ଭିତରେ ତତ୍ପରତା ଦେଖାଯାଉ ନାହିଁ। ଓଲଟି ଏହାକୁ ନେଇ ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗ ପରସ୍ପର ମଧ୍ୟରେ ଦୋଷ ଠେଲାଠେଲି ହେଉଛନ୍ତି। ସୂଚନାଯୋଗ୍ୟ, ବାସୁଦେବପୁର ବ୍ଲକର ୧୬୫ଟି ବିଦ୍ୟାଳୟ ସମେତ ୭ଟି ମହାବିଦ୍ୟାଳୟ ଛାତ୍ରୀ ମାନଙ୍କୁ ଏହି ନାପ୍କିନ ବଣ୍ଟନ କରିବାକୁ ଯୋଗାଇ ଦିଆଯାଇଥିଲା।
ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ସାମନ୍ତ କହିଛନ୍ତି, ନାପ୍କିନ୍ ବାଣ୍ଟିବା ଆମର ଦାୟିତ୍ୱ ନୁହେଁ। ଜିନିଷକୁ ରିସିଭ କରି ସେମାନଙ୍କୁ ଦେବା ଆମର ଦାୟିତ୍ୱ। କେଉଁ ସ୍କୁଲରେ କେତେ ଛାତ୍ରୀ ଅଛନ୍ତି, ତାହା ଜାଣି ନାପ୍କିନ୍ ବାଣ୍ଟିବା ଶିକ୍ଷା ବିଭାଗର ଦାୟିତ୍ୱ।
ବାସୁଦେବପୁର ବ୍ଲକ ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ କହିଛନ୍ତି,ଏହି ବିଷୟରେ ଡିଇଓଙ୍କୁ ଜଣାଇଥିଲି। ସେ କହିଥିଲେ ସିଡିଏମଓ ମେଡିକାଲ ଅଫିସରଙ୍କୁ କହି ସେଗୁଡ଼ିକୁ ବାଣ୍ଟି ଦେବେ। ବାଣ୍ଟିବା ଦାୟିତ୍ୱ ଆମର। କିନ୍ତୁ କ୍ଲଷ୍ଟର ପଏଣ୍ଟରେ ପହଞ୍ଚାଇ ଦେଲେ ଆମେ ବାଣ୍ଟି ଦେବୁ। ଏପର୍ଯ୍ୟନ୍ତ ନାପ୍କିନ୍ ଗୁଡ଼ିକ କ୍ଲଷ୍ଟର ପଏଣ୍ଟରେ ପହଞ୍ଚିପାରିଲା ନାହିଁ।
ସମାନ ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳାର ଜୁଆଲିଆ ପ୍ରାଥମିକ ବିଦ୍ୟାଳୟରେ। ଏଠାରେ ଶହ ଶହ ନାପକିନ୍ ପ୍ୟାକେଟ୍ ଦୀର୍ଘଦିନ ହେବ ପଡ଼ି ରହିଛି। ଏଗୁଡ଼ିକୁ ବଣ୍ଟା ନଯାଇ ପକାଇ ରଖା ଯାଇଥିବାରୁ ଛାତ୍ରୀମାନେ ଆଉ ନେଉ ନାହାନ୍ତି। ଏପରିକି ସରକାରଙ୍କ ଏହି ମାଗଣା ନାପ୍କିନ୍ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ଅଭିଯୋଗ ହୋଇଛି।
ଶିକ୍ଷୟିତ୍ରୀ ଲିପିକା ପଟ୍ଟନାୟକ କହିଛନ୍ତି, ଛାତ୍ରୀମାନେ ନାପ୍କିନ୍ ନେଲେ। କିନ୍ତୁ ବ୍ୟବହାର କଲା ପରେ ସେଗୁଡ଼ିକରେ ଅଠା ଠିକ୍ରେ ରହୁନାହିଁ ବୋଲି ଅଭିଯୋଗ କଲେ। ସେମାନେ ଆଉ ଏହି ନାପ୍କିନ୍ ନେବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି।
The post ‘ଖୁସି’ ବାଟବଣା: ଗୋଦାମରେ ପଡ଼ିରହିଛି ସାନିଟାରୀ ନାପ୍କିନ୍ appeared first on Odisha Reporter.
from Odisha Reporter https://ift.tt/3kzp8y9
No comments:
Post a Comment