କୋଲକାତା: ଫର୍ଜି ଟିକାକରଣ ମାମଲାରେ ବଡ଼ ଆକ୍ସନ୍ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଫର୍ଜି ଟିକାକରଣ ଦୁର୍ନୀତି ମାମଲାରେ ଇଡି କୋଲକାତାର ୧୦ଟି ସ୍ଥାନରେ ଚଢ଼ାଉ କରିଛି। ଇଡିର ଜଣେ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି। କୋଲକାତାରେ ମୁଖ୍ୟ ଅଭିଯୁକ୍ତ ଦେବଞ୍ଜନ ଦେବଙ୍କ ଦ୍ୱାରା ଆୟୋଜିତ ଫର୍ଜି ଟିକାକରଣ ଶିବିର ସମ୍ବନ୍ଧିତ ମାମଲାରେ ଇଡି ଏହି ଚଢ଼ାଉ କରିଥିବା ଅଧିକାରୀ ଜଣକ କହିଛନ୍ତି।
କିଛି ଦିନ ତଳେ ଏହି ମାମଲାର ଶୁଣାଣି କରି କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ଅଭିଯୁକ୍ତ ଦେବଞ୍ଜନ ଦେବ ଦ୍ୱାରା ଫର୍ଜି କୋଭିଡ୍-୧୯ ଟିକାକରଣ ଶିବିର ଆୟୋଜନ କରିବା ମାମଲାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ପଶ୍ଚିମବଙ୍ଗରେ ଫର୍ଜି ଟିକାକରଣ ମାମଲା ସାମ୍ନାକୁ ଆସିବା ପରେ ବିରୋଧୀ ବିଜେପି ମମତା ବାନାର୍ଜୀଙ୍କ ସରକାର ଉପରେ ବର୍ଷିଛି। କୋଲକାତା ନଗର ନିଗମ ଆଖି ଆଗରେ ଭ୍ୟାକସିନର ଦୁର୍ନୀତି କେମିତି ହେଲା ବୋଲି ବିଜେପି ପ୍ରଶ୍ନ କରିଛି। ବିଜେପିର ଅଭିଯୋଗ ଆଣିଛି ଯେ ନଗର ନିଗମର ଦସ୍ତାବିଜର ବ୍ୟବହାର କରାଯାଇ ଏଭଳି ଏକ କ୍ୟାମ୍ପର ଆୟୋଜନ କରାଯାଇଛି।
ସୂଚନାଯୋଗ୍ୟ, ଦେବଞ୍ଜନଙ୍କ ପକ୍ଷରୁ ଦକ୍ଷିଣ କୋଲକାତାର କସାବା ଅଞ୍ଚଳରେ ଏହି ଫର୍ଜି କୋଭିଡ୍-୧୯ ଟିକାକରଣ ଶିବିର ଆୟୋଜିତ ହୋଇଥିଲେ। ଯେଉଁଥିରେ ତୃଣମୂଳ କଂଗ୍ରେସ (ଟିଏମସି)ର ସାଂସଦ ଓ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀଙ୍କ ସମେତ ଶତାଧିକ ଲୋକ ଫର୍ଜି ଟିକା ନେଇଥିଲେ। ଫର୍ଜି ଟିକାକରଣ ଶିବିର ପରିଚାଳନା ଅଭିଯୋଗରେ ୨୮ ବର୍ଷୀୟ ଦେବଙ୍କୁ ଜୁନ୍ ୨୩ ତାରିଖରେ ଗିରଫ କରାଯାଇଥିଲା। ଏହି ଶିବିରରେ ମିମି ଚକ୍ରବର୍ତ୍ତୀ ମଧ୍ୟ ଟିକା ନେଇଥିଲେ।
The post ଫର୍ଜି ଟିକାକରଣ, ୧୦ ସ୍ଥାନରେ ଇଡିର ଚଢ଼ାଉ appeared first on Odisha Reporter.
from Odisha Reporter https://ift.tt/3DyNRKv
No comments:
Post a Comment