ବଞ୍ଚିଥିବା ବେଳେ ଶୁଣିଲେନି ଦୁଷ୍ମନ୍ତଙ୍କ ଗୁହାରୀ, ମୃତ୍ୟୁ ପରେ ଚେକ୍‌ ଧରି ଦୌଡ଼ିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 8, 2021

ବଞ୍ଚିଥିବା ବେଳେ ଶୁଣିଲେନି ଦୁଷ୍ମନ୍ତଙ୍କ ଗୁହାରୀ, ମୃତ୍ୟୁ ପରେ ଚେକ୍‌ ଧରି ଦୌଡ଼ିଗଲେ

କଟକ(ଓଡ଼ିଶା ରିପୋର୍ଟର): ବଞ୍ଚିଥିବା ବେଳେ ସାହାଯ୍ୟ ପାଇଁ ସରକାରଙ୍କ ନିକଟକୁ ଧାଉଁଥିବା ଯୁବକ ଆଖି ବୁଜୁ ବୁଜୁ ପ୍ରଶାସନ ଅଜାଡ଼ି ଦେଇଛି ପୁଳା ପୁଳା ସାହାଯ୍ୟ ଓ ସହାନଭୂତି। ଏସ୍‌ସିବି ବଡ଼ ମେଡିକାଲରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ସହିତ BSKY କାର୍ଡରେ ଚିକିତ୍ସା ସୁବିଧା ମିଳୁ ନଥିବା ଅଭିଯୋଗ କରି ଗତକାଲି ବିଧାନସଭା ସମ୍ମୁଖରେ ବିଷ ପିଇ ଦେଇଥିବା ଜଗତସିଂହପୁର ଜିଲ୍ଲା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କର ସନ୍ଧ୍ୟାରେ ମୃତ୍ୟୁ ଘଟିବା ପରେ ହଠାତ୍‌ ତତ୍ପର ହୋଇଯାଇଥିଲା ପ୍ରଶାସନ।

ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ଗତକାଲି ରାତି ଅଧରେ ତାଙ୍କ ପତ୍ନୀଙ୍କୁ ଭେଟିଥିଲେ କୁଜଙ୍ଗ ବିଡିଓ। ବଡ଼ପାଳସ୍ଥିତ ତାଙ୍କ ବାପ ଘରେ ଥିଲେ ଦୁଷ୍ମନ୍ତଙ୍କ ପତ୍ନୀ। ବିଡିଓ ସେଠାରେ ତାଙ୍କୁ ଭେଟି ୧ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ। ତା’ସହିତ ଆଉ ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏପରିକି ତାଙ୍କୁ ଯୋଗ୍ୟତା ଅନୁସାରେ ଚାକିରି ଦେବାକୁ ମୌଖିକ ପ୍ରତିଶ୍ରୁତି ବି ଦେଇଥିଲେ ବୋଲି ସୂଚନା ମିଳିଛି। ଏଭଳି ପ୍ରତିଶ୍ରୁତି ଦେଇ ଫେରିଯିବାର କିଛି ସମୟ ପରେ ବିଡିଓ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ପୁଣି ସେଠାରେ ପହଞ୍ଚିଥିଲେ। ସେମାନେ ଦୁଷ୍ମନ୍ତଙ୍କ ପତ୍ନୀ ଓ ଶାଶୁଙ୍କୁ ଗାଡ଼ିରେ କଟକ ନେଇ ଯାଇଥିଲେ। ଗତକାଲି ରାତିରେ ହିଁ ଦୁଷ୍ମନ୍ତଙ୍କର ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ଏହା ସହିତ ତରବରିଆ ଭାବରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶବ ସତ୍କାର କରି ଦିଆଯାଇଥିଲା।

ଅସହ୍ୟ ଯନ୍ତ୍ରଣା ଯୋଗୁ ଚିକିତ୍ସା ପାଇଁ ପ୍ରଶାସନିକ ସ୍ତରରେ ବାରଦୁଆର ହୋଇଥିଲେ ବି କେହି ଗୁହାରୀ ଶୁଣି ନଥିଲେ ବୋଲି ଗତକାଲି ଅଭିଯୋଗ କରିଥିଲେ ଦୁଷ୍ମନ୍ତ। ଏମିତି କି ସେ ନିରାଶ ହୋଇ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ବି ଅନୁରୋଧ କରିଥିଲେ। କିନ୍ତୁ ସେତେବେଳେ ସାହାଯ୍ୟ କରିବା ପାଇଁ ତତ୍ପରତା ଦେଖାଇ ନଥିବା ପ୍ରଶାସନ ତାଙ୍କ ମୃତ୍ୟୁ ପରେ ରାତି ଅଧରେ ଚେକ୍ ଧରି ତାଙ୍କ ପତ୍ନୀଙ୍କୁ ଭେଟିବା ଘଟଣାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଦୋଷ ଲୁଚାଇବାକୁ ପ୍ରଶାସନ ତତ୍ପର ହୋଇଉଠିଛି ବୋଲି ଆଲୋଚନା ହେଉଛି।

ଦୁଷ୍ମନ୍ତଙ୍କ ମା’ ଅଭିଯୋଗ କରିଛନ୍ତି, ଏସ୍‌ସିବିରେ ଭର୍ତ୍ତି ହୋଇଥିବା ବେଳେ ପୁଅକୁ ଉପଯୁକ୍ତ ଚିକିତ୍ସା ମିଳୁ ନଥିଲା। ଏପରିକି ତାଙ୍କୁ ଅର୍ଥୋପେଡିକ ବିଭାଗରୁ ତଡ଼ି ଦିଆଯାଇଥିଲା। ଏଠାରେ ରହିଲେ ଅଧିକ ନିର୍ଯାତନା ଦେବୁ ବୋଲି ଡାକ୍ତର କହିବାରୁ ପୁଅ ଘରକୁ ପଳାଇ ଆସିଥିଲା।

ଅବଶ୍ୟ ଦୁଷ୍ମନ୍ତଙ୍କ ପକ୍ଷରୁ ଚିକିତ୍ସାରେ ତ୍ରୁଟି ଓ ଅବହେଳା ଅଭିଯୋଗକୁ ଏସ୍‌ସିବି କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ତାଙ୍କୁ ଉତ୍ତର ଚିକିତ୍ସା ସେବା ମାଗାଣାରେ ଯୋଗାଇ ଦିଆଯାଇଥିଲା ବୋଲି ମେଡିକାଲ୍ କର୍ତ୍ତୃପକ୍ଷ କହିଛନ୍ତି।

ଅଭିଯୋଗ ଅନୁଯାୟୀ, ଚିକିତ୍ସା ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ବି କିଛି ସୁଫଳ ପାଇ ନଥିଲେ ଦୁଷ୍ମନ୍ତ। ସରକାର ଦେଇଥିବା BSKY  କାର୍ଡକୁ ବି କୌଣସି ଘରୋଇ ହସ୍ପିଟାଲ ଗ୍ରହଣ କରି ନଥିଲେ। ଚିକିତ୍ସା ସୁବିଧା ପାଇଁ ଆକୁଳ ନିବେଦନ କରି ବିଫଳ ହେବା ପରେ ଇଚ୍ଛା ମୃତ୍ୟୁ ପାଇଁ ବି ଆବେଦନ କରିଥିଲେ ସେ। ଏହାସତ୍ତ୍ୱେ ନିଦାବିଷ୍ଣୁ ସାଜିଥିଲେ ସରକାର। ଶେଷରେ ଯନ୍ତ୍ରଣା ଦିନକୁ ଦିନ ଅସହ୍ୟ ହେବାରୁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ।

ସୂଚନାଯୋଗ୍ୟ, ବିଧାନସଭା ସମ୍ମୁଖରେ ହାତ କାଟି ବିଷ ଦେଇଥିବା ଦୁଷ୍ମନ୍ତଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସ୍‌ସିବି ରେଫର କରାଯାଇଥିବା ବେଳେ ସେଠାରେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ରାତାରାତି ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପୁରୀରେ ସତ୍କାର ବି କରି ଦିଆଗଲା। ଏହାକୁ ନେଇ ଗାଁ ଲୋକ ଅସନ୍ତୋଷ ଜାହିର କରିବାରୁ ସତ୍କାର ବେଳେ ଦୁଷ୍ମନ୍ତଙ୍କ ପରିବାର ଲୋକ ଉପସ୍ଥିତ ଥିଲେ ବୋଲି ସଫେଇ ଦେଇଛନ୍ତି ପ୍ରଶାସନିକ ଅଧିକାରୀ।

 

The post ବଞ୍ଚିଥିବା ବେଳେ ଶୁଣିଲେନି ଦୁଷ୍ମନ୍ତଙ୍କ ଗୁହାରୀ, ମୃତ୍ୟୁ ପରେ ଚେକ୍‌ ଧରି ଦୌଡ଼ିଗଲେ appeared first on Odisha Reporter.



from Odisha Reporter https://ift.tt/3naOXGy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages