ନୂଆଦିଲ୍ଲୀ: ଆଫଗାନିସ୍ତାନ କବଜା କରିବା ପରେ ତାଲିବାନ ସେଠାରେ ଏବେ ସରକାର ଗଠନ କରିବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ। ଅନ୍ୟପଟେ ଦେଶରେ ଏବେ ଖାଦ୍ୟ ସଙ୍କଟ ଦେଖା ଦେବାରେ ଲାଗିଛି। ଆଗକୁ ମଧ୍ୟ ଏହି ସଂକଟାବସ୍ଥା ଆହୁରି ସାଙ୍ଘାତିକ ହେବ ବୋଲି ୟୁନାଇଟେଡ୍ ନେସନ୍ ଚେତାବନୀ ଦେଇଛି। ୟୁଏନ୍ କହିଛି ଯେ ଆଫଗାନିସ୍ତାନରେ ମାସକ ଭିତରେ ଖାଦ୍ୟ ସଂକଟ ଦେଖା ଦେଇପାରେ। ପ୍ରତି ତିନି ଜଣରେ ଜଣେ ବ୍ୟକ୍ତିଙ୍କୁ ଉପାସ ରହିବାକୁ ପଡ଼ିପାରେ। ୟୁଏନ୍ ମୁତାବକ, ଆଫଗାନିସ୍ତାନରେ ଅଧାରୁ ଅଧିକ ପିଲା ବର୍ତ୍ତମାନ ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି।
ଆଫଗାନିସ୍ତାନ ଦୁନିଆର ଅନ୍ୟତମ ଗରିବ ଦେଶ। ବର୍ତ୍ତମାନର ରାଜନୀତିକ ଅସ୍ଥିରତା ଏବଂ ଚାରି ଦଶନ୍ଧି ଧରି ଯୁଦ୍ଧ ଯୋଗୁ ହୋଇଥିବା ଧ୍ୱଂସାବଶେଷ ଦ୍ୱାରା ଦେଶରେ ୭୨ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ପହଞ୍ଚି ଯାଇଛନ୍ତି। ମିଡିଆ ରିପୋର୍ଟ ମୁତାବକ, ଗତ କିଛି ଦିନରେ ଆଫଗାନିସ୍ତାନରେ ଖାଦ୍ୟ ଓ ପାନୀୟ ସାମଗ୍ରୀ ପାଖାପାଖି ୫୦ ପ୍ରତିଶତ ମହଙ୍ଗା ହୋଇସାରିଛି। ସେହିପରି ପେଟ୍ରୋଲର ଦରରେ ୭୫ ପ୍ରତିଶତ ବୃଦ୍ଧି ହୋଇଛି। କରୋନା ଭାଇରସ୍ ମହାମାରୀ ପୂର୍ବରୁ ଦେଶର ୫୪.୪ ପ୍ରତିଶତ ଜନସଂଖ୍ୟା ଗରିବ ସୀମାରେଖା ତଳେ ରହୁଥିଲେ।
ତାଲିବାନୀ ହିଂସା ଯୋଗୁ ଏପର୍ଯ୍ୟନ୍ତ ଦେଶର ୫ଲକ୍ଷରୁ ଅଧିକ ନିଜ ଘର ଛାଡ଼ି ଅନ୍ୟ ଦେଶରେ ଶରଣ ନେଇସାରିଛନ୍ତି। ଅଫିସ୍ ଫର ଦି କୋର୍ଡିସେନ୍ ଅଫ୍ ହ୍ୟୁମାନଟାରିଆନ୍ ଆଫେୟାର୍ସ ମୁତାବକ କେବଳ ଜୁଲାଇରେ ଆଫଗାନିସ୍ତାନରେ ବିସ୍ତାପିତ ଲୋକଙ୍କ ସଂଖ୍ୟା ପୂର୍ବ ମାସ ତୁଳନାରେ ପାଖାପାଖି ଦୁଇଗୁଣା ହୋଇଥିଲା।
ତାଲିବାନୀ ଶାସନ ଭୟ ଓ ଆତଙ୍କ କାରଣରୁ ଚଳିତ ମାସରେ ୨ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର ହୋଇଛନ୍ତି। ୟୁଏନ୍ ହାଇ କମିଶନର ଫର୍ ରିଫ୍ୟୁଜି (ୟୁଏନସିଏଚଆର୍)ର ମୁତାବକ ସ୍ଥାନାନ୍ତରଙ୍କ ସଂଖ୍ୟା ଏବେ ୫,୭୦,୦୦୦ରୁ ଅଧିକ ହୋଇଛି, ଯେଉଁଥିରୁ ପାଖାପାଖି ୮୦ ପ୍ରତିଶତ ମହିଳା ଓ ପିଲା ଅଛନ୍ତି। ଗତ ଦୁଇ ସପ୍ତାହରେ ଆମେରିକା ଓ ଏହାର ପଶ୍ଚିମ ସହଯୋଗୀ କାବୁଲ ଏୟାରପୋର୍ଟରୁ ଅତିକମରେ ୧୧୩,୫୦୦ ଲୋକଙ୍କୁ ଦେଶରୁ ବାହାର କରିଛନ୍ତି।
The post ଟୋପାଏ ପାଣି ପାଇଁ ହାହାକାର ହେବ ଆଫଗାନିସ୍ତାନ appeared first on Odisha Reporter.
from Odisha Reporter https://ift.tt/3jEBswo
No comments:
Post a Comment