ନୂଆଦିଲ୍ଲୀ: ୪୬ ବର୍ଷ ଧରି ଫିଲ୍ମ ଦୁନିଆରେ ସକ୍ରିୟ ଥିବା ଦେଶର ଅନ୍ୟତମ ଲୋକପ୍ରିୟ ଅଭିନେତା ରଜନୀକାନ୍ତଙ୍କୁ ସୋମବାର ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି। ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ତାଙ୍କୁ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତେବେ ଏହି ଉତ୍ସବ ତାଙ୍କ ପାଇଁ ଆଣିଥିଲା ଡବଲ୍ ଖୁସି। କାରଣ ଏହି ଉତ୍ସବରେ ତାଙ୍କ ଜ୍ୱାଇଁ ତଥା ଅଭିନେତା ଓ ଫିଲ୍ମ ନିର୍ମାତା ଧନୁଷ ମଧ୍ୟ ପୁରସ୍କୃତ ହୋଇଥିଲେ। ସେ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଥିଲେ। ଏଣୁ ଶ୍ୱଶୁର-ଜ୍ୱାଇଁ ଏକ ଇତିହାସ ରଚିଛନ୍ତି ବୋଲି କହିଲେ ଭୁଲ୍ ହେବ ନାହିଁ ବୋଲି କୁହାଯାଉଛି।
ପ୍ରଥମ ଥର ପାଇଁ ଗତକାଲି ରଜନୀକାନ୍ତ ଓ ଧନୁଷ ଗୋଟିଏ ପୁରସ୍କାର ପ୍ରଦାନ ଉତ୍ସବରେ ନିଜ ନିଜ ପୁରସ୍କାର ଗ୍ରହଣ କରିଥିଲେ। ବାପା ରଜନୀକାନ୍ତ ଓ ସ୍ୱାମୀ ଧନୁଷ ଗୋଟିଏ ଦିନରେ ଗୋଟିଏ ଷ୍ଟେଜ୍ରେ ଜାତୀୟ ସ୍ତରର ପୁରସ୍କାର ପାଇବା ପରେ ଖୁବ୍ ଖୁସି ଅଛନ୍ତି ଐଶ୍ୱର୍ଯ୍ୟା।
ସେ ଗତକାଲି ସନ୍ଧ୍ୟାରେ ଏହାକୁ ନେଇ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ। ଏଥରେ ସେ ଦୁଇଟି ଫଟୋ ଶେଆର କରିଥିଲେ। ଗୋଟିଏରେ ରଜନୀକାନ୍ତ ଓ ଧନୁଷ ସେମାନଙ୍କ ପୁରସ୍କାରକୁ ଦେଖାଉଛନ୍ତି। ଅନ୍ୟଟିରେ ଐଶ୍ୱର୍ଯ୍ୟା ସେମାନଙ୍କ ସହିତ ଅଛନ୍ତି।
ଏହି ଦୁଇଟି ଫଟୋ ପୋଷ୍ଟ କରି ଐଶ୍ୱର୍ଯ୍ୟା ଲେଖିଥିଲେ- “ସେମାନେ ମୋର…. ଏବଂ ଏହା ହେଉଛି ଇତିହାସ।” ଏହା ସହିତ ଐଶ୍ୱର୍ଯ୍ୟା ତାଙ୍କ ବାପା ଓ ସ୍ୱାମୀଙ୍କ ପାଇଁ ଖୁବ୍ ଗର୍ବିତ ବୋଲି ହ୍ୟାଶ୍ଟ୍ୟାଗ୍ ଦେଇ ସୂଚାଇ ଦେଇଛନ୍ତି।
ଦାଦାସାହେବ ଫାଲକେ ପୁରସ୍କାର ଗ୍ରହଣ କରିବା ପରେ ରଜନୀକାନ୍ତ ଏହାକୁ ତାଙ୍କର ପୂର୍ବତନ ବସ୍ ଡ୍ରାଇଭର ବନ୍ଧୁ, ସ୍ୱର୍ଗତ ଫିଲ୍ମ ନିର୍ମାତା କେ ବାଲଚନ୍ଦ୍ର, ତାଙ୍କ ଭାଇ ସତ୍ୟନାରାୟଣ ରାଓ ଏବଂ ତାଙ୍କର ସମସ୍ତ ନିର୍ଦ୍ଦେଶକ, ପ୍ରଯୋଜକ, ଫିଲ୍ମ ହଲ୍ ମାଲିକ, ଟେକ୍ନିସିଆନ୍ ଓ ଫ୍ୟାନ୍ ମାନଙ୍କୁ ଉତ୍ସର୍ଗ କରିଥିଲେ।
ଫିଲ୍ମ ‘ଅସୁରନ’ ପାଇଁ ଧନୁଷ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଥିଲେ। ସେ ଏହାକୁ ମନୋଜ ବାଜପେୟୀଙ୍କ ସହିତ ଶେଆର କରିଥିଲେ। କାରଣ ମନୋଜଙ୍କୁ ଫିଲ୍ମ ‘ଭୋଁସଲେ’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଏହି ପୁରସ୍କାର ପ୍ରଦାନ ପାଇଁ ମଧ୍ୟ ମନୋନୀତ କରାଯାଇଥିଲା।
ଶ୍ୱଶୁର ରଜନୀକାନ୍ତ ଦାଦାସାହେବ ଫାଲକେ ପୁରସ୍କାର ଗ୍ରହଣ କରିବା ଅବସରରେ ଶ୍ରେଷ୍ଠ ଅଭିନେତା ଭାବେ ସେ ବି ଜାତୀୟ ପୁରସ୍କାର ଗ୍ରହଣ କରିଥିବାରୁ ଧନୁଷ ବହୁତ ଖୁସି ଅଛନ୍ତି। ଏକଥା ସେ ଗତକାଲି ସୋଶାଲ୍ ମିଡିଆ ଯୋଗେ କହିଥିଲେ।
ସୂଚନାଯୋଗ୍ୟ, ରଜନୀକାନ୍ତଙ୍କ ଝିଅ ତଥା ଧନୁଷଙ୍କ ପତ୍ନୀ ଐଶ୍ୱର୍ଯ୍ୟା ମଧ୍ୟ ଜଣେ ନିର୍ଦ୍ଦେଶିକା ଓ ଗାୟିକା।
The post ଇତିହାସ ରଚିଲେ ଶ୍ୱଶୁର-ଜ୍ୱାଇଁ! ଐଶ୍ୱର୍ଯ୍ୟା ଖୁବ୍ ଖୁସି appeared first on Odisha Reporter.
from Odisha Reporter https://ift.tt/3Ci0pEP
No comments:
Post a Comment