ବିଏସ୍‌ଏଫର କ୍ଷେତ୍ରାଧିକାର କ୍ଷମତା ବୃଦ୍ଧି କ’ଣ, କାହିଁକି ବିବାଦ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 14, 2021

ବିଏସ୍‌ଏଫର କ୍ଷେତ୍ରାଧିକାର କ୍ଷମତା ବୃଦ୍ଧି କ’ଣ, କାହିଁକି ବିବାଦ?

ନୂଆଦିଲ୍ଲୀ: କେନ୍ଦ୍ର ସରକାର ହଠାତ୍‌ ବିଏସ୍‌ଏଫର କ୍ଷେତ୍ରାଧିକାର ଅଞ୍ଚଳ ପରିସୀମାକୁ ବୃଦ୍ଧି କରିଛନ୍ତି। ଭାରତ-ପାକିସ୍ତାନ ଓ ଭାରତ-ବାଂଲାଦେଶ ସୀମାକୁ ଲାଗିଥିବା ପଞ୍ଜାବ, ଆସାମ ଓ ପଶ୍ଚିମବଙ୍ଗରେ ବିଏସ୍‌ଏଫକୁ ପୂର୍ବ ତୁଳନାରେ ଏବେ ଅଧିକ କ୍ଷମତା ମିଳିଛି। ଏହି ୩ ରାଜ୍ୟର ସୀମାନ୍ତରୁ ୫୦ କିମି ପରିଧି ମଧ୍ୟରେ ବିଏସ୍‌ଏଫ ଯବାନମାନେ ନିଜ ଇଚ୍ଛା ଅନୁସାରେ ଗିରଫ, ସର୍ଚ୍ଚ ଅପରେସନ ଓ ଯେକୌଣସି ଜିନିଷକୁ ଜବତ କରିପାରିବେ। ଏଥିପାଇଁ କାହାର ଅନୁମତି ବିଏସ୍‌ଏଫକୁ ନେବାକୁ ପଡ଼ିବନି।

ସୀମାନ୍ତରେ ଡ୍ରୋନ ଦ୍ୱାରା ଅସ୍ତ୍ରଶସ୍ତ୍ର ଚାଲାଣା ହେଉଥିବାରୁ ସ୍ଥିତିକୁ ଦୃଷ୍ଟିରେ ରଖି ବିଏସ୍‌ଏଫର କ୍ଷମତା ବୃଦ୍ଧି କରାଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ତେବେ ପୂର୍ବରୁ ଏହର ୧୫ କିମି ମଧ୍ୟରେ ସୀମିତ ରହିଥିଲା। ହଠାତ୍‌ କ୍ଷମତା ବୃଦ୍ଧି ନିଷ୍ପତ୍ତିକୁ ବିଭିନ୍ନ ରାଜନୀତିକ ଦଳ ଓ ବିଶିଷ୍ଟ ବ୍ୟକ୍ତିମାନେ ବିରୋଧ କରିଛନ୍ତି।

ଏହି ନିଷ୍ପତ୍ତିକୁ ବିରୋଧ କରି ତୁରନ୍ତ ପ୍ରତ୍ୟାହାର କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଦାବି କରିଛନ୍ତି। ସେ କହିଛନ୍ତି, “ମୁଁ ଅନ୍ତର୍ଜାତୀୟ ସୀମାକୁ ଲାଗି ରହିଥିବା ୫୦ କିମି ପରିଧି ଅଞ୍ଚଳ ଭିତରେ ଭାରତ ସରକାର ଏକତରଫା ଭାବେ ବିଏସ୍‌ଏଫକୁ ଦେଇଥିବା କ୍ଷମତାକୁ କଡ଼ା ବିରୋଧ କରୁଛି। ଏହା ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ। ମୁଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ତୁରନ୍ତ ଏପରି ଏକ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରୁଛି।”

ମନ୍ତ୍ରଣାଳୟ କହିଛି ଯେ ୧୦ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳର ସୀମାନ୍ତରେ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା କାର୍ଯ୍ୟକଳାପକୁ ହ୍ରାସ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ମନ୍ତ୍ରଣାଳୟର ଏପରି ନିଷ୍ପତ୍ତି ପ୍ରଶାସନିକ ଓ ରାଜନୀତିକ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି।

ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, ଏହା ଗୋଟିଏ ରାଜନୀତିକ ସମ୍ବେଦନଶୀଳ ପଦକ୍ଷେପ। ବିଏସଏଫର ମୁଖ୍ୟ କାମ ହେଲା ସୀମାକୁ ଜଗିବା ଓ ଅନୁପ୍ରବେଶକୁ ରୋକିବା। ନିକଟରେ ଘଟିଥିବା ଘଟଣାକୁ ଦେଖିଲେ, ସେମାନେ ସୀମାର ସୁରକ୍ଷା ଠିକ୍‌ ଭାବେ କରିପାରୁ ନଥିବା ସ୍ପଷ୍ଟ ହେଉଛି।

ଏବେ ବିଏସ୍‌ଏଫର କ୍ଷେତ୍ରାଧିକାର ଅଞ୍ଚଳ ବୃଦ୍ଧି ନୂଆ ବିବଦାଦ ସୃଷ୍ଟି କରିପାରେ। ପ୍ରତିଦିନ ବିଏସ୍‌ଏଫ ଯବାନମାନଙ୍କ ସହ ପୁଲିସ୍‌ ପ୍ରଶାସନ ଓ ଗାଁ ଲୋକଙ୍କ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇପାରେ। ଯେତେବେଳେ ସେମାନେ ନିଜ ଇଚ୍ଛାରେ ସର୍ଚ୍ଚ ଓ ଜବତ ପ୍ରକ୍ରିୟା ଆରମ୍ଭ କରିବେ ସେତେବେଳେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ବିଏସ୍‌ଏଫର ଅପରେସନ ବର୍ଡର ଆଉଟ ପୋଷ୍ଟ ନିକଟରେ ହୋଇଥାଏ। କିନ୍ତୁ ଏବେ ନୂଆ କ୍ଷମତା ବଳରେ ସେମାନେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଅଞ୍ଚଳରେ ପ୍ରବେଶ କରିବେ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ବିଏସ୍‌ଏଫ ଅଫିସରମାନେ ଆସାମ, ବେଙ୍ଗଲ ଓ ପଞ୍ଜାବରେ ନିଜ ଇଚ୍ଛାରେ ଗିରଫଦାରୀ କରିପାରିବେ। ସେମାନେ ସର୍ଚ୍ଚ ଅପରେସନ ମଧ୍ୟ ଯେକୌଣସି ସ୍ଥାନରେ କରିପାରିବେ। କୋଡ ଅଫ କ୍ରିମିନାଲ ପ୍ରୋସିଡିୟର, ଦି ପାସପୋର୍ଟ ଆକ୍ଟ ଓ ପାସପୋର୍ଟ(ଭାରତର ପ୍ରବେଶ) ଆଇନ ଅନୁସାରେ ବିଏସ୍‌ଏଫକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷମତା ଦିଆଯାଇଛି।

ରାଜ୍ୟ ପୁଲିସ୍‌ ଭଳି ବିଏସ୍‌ଏଫ ମଧ୍ୟ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଉପରୋକ୍ତ ୩ ରାଜ୍ୟ ବ୍ୟତୀତ ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଓ ଲଦାଖରେ ମଧ୍ୟ ବିଏସ୍‌ଏଫ ଗିରଫଦାରୀ ଏବଯ ସର୍ଚ୍ଚ ଅପରେସନ କରିପାରିବ।


ଅନ୍ୟପକ୍ଷରେ ଗୁଜରାଟରେ ବିଏସ୍‌ଏଫର କ୍ଷେତ୍ରାଧିକାର ଅଞ୍ଚଳ କ୍ଷମତାକୁ ୮୦ କିମିରୁ ୫୦ କିମିକୁ ହ୍ରାସ କରାଯାଇଛି। ରାଜସ୍ଥାନରେ ପୂର୍ବଭଳି ବିଏସ୍‌ଏଫର କ୍ଷମତା ୫୦ କିମି ମଧ୍ୟରେ ରହିଛି। ମେଘାଳୟ, ନାଗାଲ୍ୟାଣ୍ଡ, ମିଜୋରାମ, ତ୍ରିପୁରା, ମଣିପୁର, ଜମ୍ମୁ-କଶ୍ମୀର ଓ ଲଦାଖରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଏସ୍ଏଫ ଆଗରେ କୌଣସି ଲକ୍ଷ୍ମଣ ରେଖା ଟଣାଯାଇନି। ଏସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବିଏସ୍ଏଫ ନିଜ ଇଚ୍ଛାରେ ସବୁ କିଛି କରିପାରିବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନୂଆ ବିଜ୍ଞପ୍ତିରେ ବିଏସ୍ଏଫର ଯେକୌଣସି ରାଙ୍କର ଅଧିକାରୀ ମାଜିଷ୍ଟ୍ରେଟଙ୍କ ବିନା ଅନୁମତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବେଳେ ୱାରେଣ୍ଟର ମଧ୍ୟ ଆବଶ୍ୟକତା ନାହିଁ।

The post ବିଏସ୍‌ଏଫର କ୍ଷେତ୍ରାଧିକାର କ୍ଷମତା ବୃଦ୍ଧି କ’ଣ, କାହିଁକି ବିବାଦ? appeared first on Odisha Reporter.



from Odisha Reporter https://ift.tt/3lEnxHZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages