ଓଡ଼ିଶାବାସୀ ଦୀନଦରିଦ୍ର କାହିଁକି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 27, 2021

ଓଡ଼ିଶାବାସୀ ଦୀନଦରିଦ୍ର କାହିଁକି ?

  • ମାୟାଧର ନାୟକ

ଭାରତବର୍ଷର ଗୋଟାଏ କଡ଼ରେ ଗାଆଁକନିଆ ସିଂଘାଣିନାକୀ ପରି ଦୀର୍ଘକାଳ ହେଲା ପଡ଼ିରହିଛି ଆମର ଏ ଓଡ଼ିଶା ଭୂଇଁ। ଏ ଦେଶର ଦରିଦ୍ର ରାଜ୍ୟ ଭାବରେ ଓଡ଼ିଶା ସଂପର୍କରେ ବେଶ୍ କିଛି ଲାଞ୍ଛନାର ଲିପି ଲେଖିଯାଇଛନ୍ତି ଗବେଷକମାନେ। ଓଡ଼ିଶାକୁ ନିଜ ଘର ପଛପଟର ଖଳାବାଡ଼ି ରୂପେ ଦୀର୍ଘକାଳ ଧରି ଦେଖି ଆସିଛନ୍ତି ଓଡ଼ିଆ ନେତାମାନେ। ଏ ଖଳାବାଡ଼ିରୁ ସେମାନେ ପ୍ରଚୁର ଧାନମୁଗବିରି ଓ ପନିପରିବା ବୁହାଇ ନେଇଛନ୍ତି ନିଜ ଅମାରକୁ, କିନ୍ତୁ ଯତ୍ନ ନେଇନାହାନ୍ତି କେବେ ତା’ର।

ଓଡ଼ିଶା ପ୍ରାକୃତିକ ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ। ଅଥଚ ଆମ ରାଜ୍ୟ ଦରିଦ୍ର, ଅନଗ୍ରସର, ପଛୁଆ – ଏଇ କଥା ଶୁଣି ଶୁଣି କାନ ତାବ୍ଦା ହୋଇଗଲାଣି। ସମସ୍ତେ କାନ୍ଦୁଛନ୍ତି, କିନ୍ତୁ କାହା ଆଖିରୁ ଲୁହ ବୁନ୍ଦେ ବହୁ ନାହିଁ। କୁମ୍ଭୀର କାନ୍ଦଣା। ଆମ ଜାଣିବା ଶୁଣିବା ବୋଲାଇ ହେଉଥିବା ନେତା-ବକ୍ତାମାନଙ୍କ ଘଡ଼ଘଡ଼ିନିନ୍ଦୀ ରଡ଼ିରେ ବରାବର ଘୋଷଣା କରାଯାଏ – ଦେଶୀବିଦେଶୀ ବ୍ୟବସାୟୀମାନେ ଓଡ଼ିଶାର ପ୍ରାକୃତିକ ସମ୍ପଦ, ଶସ୍ତା ଶ୍ରମ, ଜମି, ଜଳ ଉପରେ ଅଧିକାର ସାବ୍ୟସ୍ତ କରି ଆମକୁ ଦରିଦ୍ର ବୋଲି ଭାବିନେଇ ଖାତିର କରୁନାହାନ୍ତି। ବାସ୍ତବରେ ଆମର ପ୍ରିୟ ରାଜ୍ୟ ଓଡ଼ିଶା କ’ଣ ସତରେ ଦରିଦ୍ର? ନା, ଦାରିଦ୍ର ନୁହେଁ, ବରଂ ପ୍ରତାରିତ! ଏଥିପାଇଁ ଦାୟୀ କିଏ? ପ୍ରାକୃତିକ ସମ୍ପଦରେ ଭରପୂର ଓଡ଼ିଶା ଦରିଦ୍ର କାହିଁକି? କେବେ ଓଡ଼ିଶାବାସୀ ନିଦରୁ ଉଠିବେ? କେବେ ନିଜ ଅଧିକାର ସାବ୍ୟସ୍ତ କରିବେ? କେବେ… କେବେ… କେବେ…!!

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଖଣିଜ ସମ୍ପଦରେ ଈର୍ଷଣୀୟ ଆସନର ଅଧିକାରୀ। ଏବେ ୪୦ଟି କମ୍ପାନୀ ଇସ୍ପାତ ଶିଳ୍ପ ପାଇଁ ଧାଡ଼ି ଲଗାଇଛନ୍ତି। ଆମ ଖଣି ଉପରେ ତାଙ୍କ ଲୋଲୁପ ଦୃଷ୍ଟି। କଳେବଳେ-ଛଳେ-କଉଶଳେ ଖଣି ହାତେଇବାରେ ବ୍ୟସ୍ତ। ଓଡ଼ିଶାରେ ଯେଉଁ କେତୋଟି ଶିଳ୍ପ ଗଢ଼ିଉଠିଛି, ସେଥିରେ ନିତାନ୍ତ ମାନ୍ଦାବସ୍ଥା। ବହୁ ଶିଳ୍ପ, କଳ-କାରଖାନା, ଖଣି-ଖାଦାନ ବନ୍ଦ ହୋଇଗଲାଣି। କାମ କରୁଥିବା ଲୋକେ ତ ଛଟେଇ ହେବାର ପ୍ରକ୍ରିୟା ଜାରି ରହିଛି, ନୂଆ ଲୋକଙ୍କୁ କାମ ମିଳିବ କେଉଁଠୁ? କୃଷିରେ ମାନ୍ଦା, ଶିଳ୍ପରେ ମାନ୍ଦା ହେଲେ ରାଜ୍ୟର ପ୍ରଗତି ସମ୍ଭବ କି? ଯେଉଁ ଦେଶର ଖଣିଜ ସମ୍ପଦ ବିଦେଶକୁ ରତ୍ପାନୀ ହୁଏ, ସେ ଦେଶର ଲୋକଙ୍କ ଅର୍ଥନୈତିକ ଅବସ୍ଥା ସୁଧୁରେ ନାହିଁ। କଳକାରଖାନା ଗଢ଼ି ନଉଠିଲେ, କୃଷିର ବିକାଶ ନହେଲେ, ଏବଂ କର୍ମନିଯୁକ୍ତି ସୃଷ୍ଟି ନହେଲେ, ଲୋକେ ଅଭାବରେ ପଡ଼ି ସ୍ୱଭାବ ନଷ୍ଟ କରିବେ ହିଁ କରିବେ।

ରାଜନୈତିକ ଉପେକ୍ଷା, ଉଦାସୀନତା, ଅନାଦର ଓ ଅବହେଳାର ଚରମ ଶିକାର – ଓଡ଼ିଶା ଭୂଇଁ। ପ୍ରକୃତିର ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ଏ ଭୂମିକୁ ସ୍ୱର୍ଣ୍ଣପ୍ରସୁ କରାଯାଇପାରିଥାନ୍ତା ଅତି ଅନାୟାସରେ, ଏକ କୃଷିପ୍ରଧାନ ରାଜ୍ୟ ସହିତ ଶିଳ୍ପସମୃଦ୍ଧ ରାଜ୍ୟ ରୂପେ ମୁଣ୍ଡ ଟେକିପାରଥାନ୍ତା ଓଡ଼ିଶା। ମାତ୍ର ଶାସନରେ ଆସୀନ ହୋଇ ଆସିଥିବା ଓଡ଼ିଶାର ରାଜନୈତିକ କର୍ତ୍ତାମାନେ ଏହାକୁ ଫଳବତୀ କରାଇପାରି ନାହାନ୍ତି କାହିଁକି – ଏ ପ୍ରସଙ୍ଗ ଏବେ ମଧ୍ୟ ସୃଷ୍ଟି କରୁଛି ପ୍ରଶ୍ନବାଚୀ। ସବୁପ୍ରକାର ପାରିପାର୍ଶ୍ୱିକ ଅନୁକୂଳତା ସତ୍ତ୍ୱେ ଓଡ଼ିଶାର ପ୍ରଗତି ଓ ଅଗ୍ରଗତି ପାଇଁ ଯେଉଁଭଳି ରାଜନୈତିକ ନିଷ୍ଠା ଓ ନିଷ୍ପତି ପ୍ରୟୋଜନ, ତାହା କ’ଣ ପ୍ରଦର୍ଶନ କରିପାରିଛନ୍ତି ଆମ ଓଡ଼ିଶା ନେତୃବର୍ଗ?

ଆଜି ଓଡ଼ିଶାରେ ଯେଉଁ ଆଡ଼କୁ ଅନାଇବା, ସେଆଡ଼େ ଗଦା ଗଦା ସମସ୍ୟା। ପ୍ରକୃତିର ଗନ୍ତାଘର ଓଡ଼ିଶା ଆଜି ସମସ୍ୟାର ଗୋଦାମଖାନାରେ ପରିଣତ ହୋଇଛି। ସମସ୍ୟା ସମାଧାନ କରିବା ଦିଗରେ କୌଣସି ଚିନ୍ତା ନାହିଁ। ସମସ୍ୟା ସୃଷ୍ଟି କରିବାରେ ବରଂ ଆମର ତଥାକଥିତ ମଙ୍ଗୁଆଳମାନେ ଧୁରନ୍ଧର। ନାରୀ ନିର୍ଯାତନା, ଧର୍ଷଣ, ହତ୍ୟା, ଧର୍ମ ନାଆଁରେ ଅଧର୍ମ କର୍ମ କରିବାରେ ଓଡ଼ିଶା ପୃଥିବୀରେ ନାଁ କରିଗଲା! ଆମ ‘କରିତ୍କର୍ମା’ ନେତାମାନେ ଦୂରଦର୍ଶନ, ସମ୍ବାଦପତ୍ର ପରି ଗଣମାଧ୍ୟମମାନଙ୍କରେ ଘନ ଘନ ଦୃଶ୍ୟମାନ ହେଲେ।

ଓଡ଼ିଶା ରହିଯାଇଛି ଯେଉଁ ତିମିରେକୁ ସେଇ ତିମିରେ। ଅଥଚ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶର ପରିଚିତ ହାସଲ କରିବାରେ ସମଗ୍ର ଭାରତବର୍ଷରେ ଓଡ଼ିଶା ସର୍ବପ୍ରଥମ। ଭାଷା, ସାହିତ୍ୟ, ସଂସ୍କୃତି, କଳା, ଭାସ୍କର୍ଯ୍ୟର ବିଶାଳ ଐତିହ୍ୟ ଥାଇ – ଅନନ୍ୟ ପ୍ରକୃତିର ଅବାରିତ ଆଶୀର୍ବାଦ ପାଇ ସୁଦ୍ଧା ଓଡ଼ିଶା ଆଜି ଭାରତବର୍ଷର ଆପାଙ୍କ୍ତେୟ ଅପନ୍ତରାଟାଏ ଯେମିତି! ବନ୍ଧଟାଏ କି ବନ୍ଦରଟାଏ ବନାଇଦେଇ ଓଡ଼ିଶା ପାଇଁ ବେଶ୍ କିଛି କରାଇପାରିଚନ୍ତି ବୋଲି ହୁରି ଛାଡ଼ିଛନ୍ତି ଆମର ତଥାକଥିତ ନେତୃପୁରୁଷମାନେ। ମାତ୍ର ଓଡ଼ିଶା ପାଇଁ ବନ୍ଧ, ବନ୍ଦର, ରାଜପଥ, ରେଳପଥ, ପଞ୍ଚତାରକା ହୋଟେଲ କେତେଟା ନିର୍ମିତ ହୋଇଗଲେ କ’ଣ ସମୃଦ୍ଧିର ସ୍ୱର୍ଣ୍ଣ ଯୁଗଟାଏ ଆସିଗଲା ପ୍ରକୃତରେ?

ଓଡ଼ିଶାକୁ ବମ୍ବେ କରିଦେବୁ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କରିଦେବୁ, ହଜାରେ ଶିଳ୍ପ ଗଢ଼ି ତୋଳିବୁ, ଜମିକୁ ପାଣି-ବେକାରୀଙ୍କୁ କାମ – ଏବମିତି କେତେ ଧ୍ୱନି ଶୁଣି ଶୁଣି କାନ ଦଦରା ହୋଇଗଲାଣି, କେତେ ନେତା ଗଲେଣି, ଆଉ ଅନେକ ଅଛନ୍ତି।

କିନ୍ତୁ ଏସବୁ ଧ୍ୱନି କେବଳ ପ୍ରତିଧ୍ୱନି ସୃଷ୍ଟି କରିବା ଛଡ଼ା ଆଉ କୌଣସି କାମରେ ଲାଗିପାରିନି ଓଡ଼ିଶାର। ଓଡ଼ିଶାର ଭାଗ୍ୟ ସେମିତି ଚାପି ହୋଇ ରହିଯାଇଛି ଗଦାଗଦା ପଥର ତଳେ।

ଓଡ଼ିଶା ଭୁଇଁରେ ଓଡ଼ିଆ ଭାଷାର ଦୁର୍ଦ୍ଦଶା ଆଜି କହିଲେ ନ ସରେ। ପ୍ରତିବେଶୀ ପ୍ରଦେଶମାନଙ୍କର ଭାଷା-ସାହିତ୍ୟ କ୍ଷେତ୍ରରେ ନବଜାଗରଣର ଯେଉଁ କ୍ରାନ୍ତି ଆସିଚି, ତାହା ଲକ୍ଷ୍ୟ କଲେ ଲଜ୍ଜିତ ହେବାକୁ ପଡ଼େ ଆମକୁ। ଅଥଚ ଆମେ କାଳେ ଏକ ବିଶାଳ ଐତିହ୍ୟର ଉତରାଧିକାରୀ! ନିଜ ଭୂମି, ନିଜ ଭାଷା, ନିଜ ସଂସ୍କୃତି ସଂପର୍କରେ କେତେଦୂର ସଚେତନ ଆମେସବୁ?

ଓଡ଼ିଶାରେ ଆଜି ସାଂପ୍ରଦାୟିକ ଦଙ୍ଗା, ହତ୍ୟା, ଧର୍ଷଣ, ଯୌତୁକ-ଯାତନା, ଲାଞ୍ଚମିଛର ଫର୍ଦ୍ଦ ଲମ୍ବି ଲମ୍ବି ଚାଲିଚି – ବେକାରୀ ଆଉ ବେରୋଜଗାରୀ ବଢ଼ି ବଢ଼ି ଚାଲିଛି – ଯୁବପିଢ଼ି ପାଇଁ ସଠିକ୍ ସଡ଼କଟିଏ ନାହିଁ ବାଟ ଚାଲିବାକୁ – ଭବିଷ୍ୟତର ଚେହେରା ଝାପ୍ସା – ସବୁଠି କୁହୁଳୁଚି ଅଶାନ୍ତ ଓ ଅସନ୍ତୋଷର ରଡ଼ ନିଆଁ – ରାସ୍ତାଘାଟରେ ଗୁଣ୍ଡାରାଜ୍ – ରାତି ବାରଟା ପରେ ସହରସବୁ ବିପନ୍ନ – ଦାଦାମାନେ ବାଣ୍ଟି ନେଉଛନ୍ତି ନିଜ ନିଜର ଇଲାକା! ଏଭଳି ଶୋଚନୀୟ ପରିସ୍ଥିତି ପାଇଁ ଦାୟୀ କିଏ?

ବର୍ତ୍ତମାନ ସାରା ଓଡ଼ିଶାରେ-ଗାଁ-ଗଣ୍ଡା, ସହର, ବଜାର ସବୁଆଡ଼େ ଚାଷୀ, ଶ୍ରମିକ, ଛାତ୍ର, ଯୁବକ, ମହିଳା, କୃଷିଶ୍ରମିକ ପ୍ରବଳ ଆାନ୍ତି, ଅସନ୍ତୋଷର ବହ୍ନିରେ ପ୍ରଜ୍ଜ୍ୱଳିତ। ସେମାନେ ଥରେ ଏକାଠି ହେଲେ, ସଠିକ୍ ନେତୃତ୍ୱ ମିଳିଲେ ସମସ୍ତଙ୍କୁ ସାବାଡ଼ କରିଦେବେ। ହେଲେ ନେତା କାହିଁ? ଯେଉଁ ନେତାମାନେ ଠାଏଁ ଠାଏଁ ସେମାନଙ୍କୁ ମତଉଛନ୍ତି – ତତଉଛନ୍ତି, ବାଟ ଜଣା ନଥିବାରୁ ଅବାଟରେ ନେଇ ହତାଶିଆ କରି ପକାଉଛନ୍ତି। ବାରମ୍ବାର ଲୋକେ ପ୍ରତିଶ୍ରୁତିର ପଦ୍ମତୋଳା ଶୁଣି ଶୁଣି  ପ୍ରତାରିତ ହୋଇ ଭାଗ୍ୟକୁ ନିନ୍ଦୁଛନ୍ତି। ପରିବର୍ତ୍ତନ ପାଇଁ ନୂଆ କିଛି କଥା କହିଲେ, ଏକଦମ୍ ଠିକ୍ ବୋଲି କହୁଛନ୍ତି। କିନ୍ତୁ ହଠାତ୍ ବାହାରି ପାରୁନାହାନ୍ତି। ଦୁର୍ନୀତି, ଚଞ୍ଚକତାରେ କୋଟି କୋଟି ଟଙ୍କା ମହଜୁଦ୍ ରଖିଥିବା ମତଲବୀ ନେତୃବର୍ଗଙ୍କ ନିଜସ୍ୱ ଭଡ଼ାଟିଆ ଗୁଣ୍ଡାବାହିନୀ ଓ ସରକାରୀ କଳର ଦମନ ଅତ୍ୟାଚାରକୁ ମୁକାବିଲା କରିବା ଅସମ୍ଭବ ବୋଲି ଲୋକେ ଭାବୁଛନ୍ତି। ଏ ଦୁନିଆରେ ଅସମ୍ଭବ ବୋଲି ଚିନ୍ତା କରିବା ହିଁ ପରାଜୟର ଲକ୍ଷଣ। ଯାହା ବାସ୍ତବ ସତ୍ୟ, ତାହା ନିଶ୍ଚିତ ସମ୍ଭବ। ଗଣ ଜାଗରଣର ନୂତନ ଅଧ୍ୟାୟ ସୃଷ୍ଟି ନହେଲେ ଦୃଷ୍ଟିଭଙ୍ଗୀ ବଦଳି ପାରିବ ନାହିଁ। ଶାସନର ଢାଞ୍ଚା ବଦଳିପାରିବ ନାହିଁ- ରାଜନୀତିର ନୂଆ ରାସ୍ତା ଫିଟିପାରିବ ନାହିଁ। ଓଡ଼ିଶା ପଡ଼ି ରହିଥିବ ଯେଉଁ ତିମିରେକୁ ସେଇ ତିମିରେ। ଆସନ୍ତୁ ଗୋଟିଏ ମଞ୍ଚରେ ଏକାଠି ହେବା। ବଜ୍ରମୁଷ୍ଟି ଉତ୍ତୋଳନ କରିବା। କ୍ଷମତାନ୍ଧ, କ୍ଷୁଧିତ ନେତୃତ୍ୱର କାଚଘର ସାମ୍ନାରେ ନିର୍ମାଣ କରିବା ନିର୍ଭୀକ ପ୍ରତିବାଦର ବିଶାଳ ପରମ୍ପରା।

ଏ ବିଡ଼ମ୍ବିତ ବାସ୍ତବତାରୁ ନିଷ୍କୃତି ମିଳିବ କେବେ? ଜନସାଧାରଣଙ୍କ ମଧ୍ୟରେ ଯେଉଁମାନେ ମେହନତୀ ମଣିଷ, ଶ୍ରମ-ସଂସ୍କୃତିର ସୂତ୍ରଧର – ସେମାନେ ସଂକଳ୍ପବଦ୍ଧ ହେଲେ ହିଁ ଓଡ଼ିଶାରୁ ଗୁଣ୍ଡାମାଫିଆ ସମର୍ଥିତ ରାଜନୈତିକ ଅପସଂସ୍କୃତିର ଉଚ୍ଛେଦ ହେବ – ସୃଷ୍ଟି ହେବ ନିର୍ଭୀକତାର ନୂତନ ପର୍ବ। କିନ୍ତୁ କେବଳ ବୌଦ୍ଧିକ ବିସ୍ଫୋରଣ ମାଧ୍ୟମରେ ଭାଷଣବାଜିର କୁହୁକରେ ବଦଳି ପାରିବ ନାହିଁ ଓଡ଼ିଶାର ଏ ନୈରାଶ୍ୟର ନକ୍ସା। ନିର୍ବାଚନ ସରିଯିବ – ପୁଣି ଘୋଟି ଆସିବ ସେଇ ଅମା ଅନ୍ଧକାର ରାତ୍ରି।

ତେଣୁ ଭାରତବର୍ଷରେ ଜନଜାଗରଣର ଜୁଆର ଆସିବା ଦରକାର। ଓଡ଼ିଶା ଭୂଇଁରେ ସଚେତନ ସମୁଦାୟ ସଂଗଠିତ ହେବା ଦରକାର। ସବୁ ପ୍ରଗତିଶୀଳ ଶକ୍ତି ଏକତ୍ର ହୋଇ ଏକ ମଞ୍ଚରେ ଉପନୀତ ହେବା ଅପରିହାର୍ଯ୍ୟ। ତା’ହେଲେ ଯାଇ ନ୍ୟସ୍ତସ୍ୱାର୍ଥ ରାଜନୀତିର ଅନ୍ତ ହେବ- ଅବସାନ ଘଟିବ ଏକ କଳଙ୍କିତ ରାଜନୈତିକ ଅପସଂସ୍କୃତିର।

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩

The post ଓଡ଼ିଶାବାସୀ ଦୀନଦରିଦ୍ର କାହିଁକି ? appeared first on Odisha Reporter.



from Odisha Reporter https://ift.tt/3GonQPj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages