ବେଙ୍ଗାଲୁରୁ: କର୍ଣ୍ଣାଟକାର ସ୍ୱାସ୍ଥ୍ୟମନ୍ତ୍ରୀ ଡା କେ ସୁଧାକର ଅଜବ ବୟାନ ଦେଇଛନ୍ତି। ଆଜିକାଲିର ମହିଳଳାମାନେ ଏକାକୀ ରହିବାକୁ ଇଚ୍ଛା କରୁଛନ୍ତି। ବାହାଘର ପରେ ମଧ୍ୟ ସେମାନେ ଛୁଆ ଜନ୍ମ କରିବାକୁ ଚାହୁଁନାହାନ୍ତି। ସେମାନେ କେବଳ ସରୋଗାସୀ ଜରିଆରେ ଛୁଆ କରିବାକୁ ଚାହୁଁଛନ୍ତି ବୋଲି ମନ୍ତ୍ରୀ ସୁଧାକର ଦାବି କରିଛନ୍ତି।
ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଇଁ NIMHANSରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଧାକର ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରି କହିଛନ୍ତି, “ଆଜି ମୁଁ ଏପରି କଥା କହିବା ପୂର୍ବରୁ କ୍ଷମା ଚାହୁଁଛି। କିନ୍ତୁ ଭାରତରେ ଅଧିକାଂଶ ଆଧୁନିକ ମହିଳା ସବୁବେଳେ ଏକାକୀ ରହିବାକୁ ଚାହୁଁଛନ୍ତି। ଏପରି କି ସେମାନେ ବାହାଘର ପରେ ମଧ୍ୟ ଛୁଆକୁ ଜନ୍ମ କରିବାକୁ ଚାହୁଁନାହାନ୍ତି। ସେମାନେ ସରୋଗାସୀ ଚାହାନ୍ତି। ଆମ ଚିନ୍ତାଧାରାରେ ବଡ଼ ପରିବର୍ତ୍ତନ ଆସିଗଲାଣି। ଏହା ଆଦୌ ଭଲ କଥା ନୁହେଁ।”
ମହିଳାଙ୍କ କ୍ଷେତ୍ରରେ ଏପରି ପରିବର୍ତ୍ତନ ପାଇଁ ସେ ପାଶ୍ଚାତ୍ୟ ଦେଶର ପ୍ରଭାବକୁ ଦାୟୀ କରିଛନ୍ତି। ସେ କହିଛନ୍ତି, “ଅନେକ ଲୋକ ନିଜର ବାପା ମା’ଙ୍କୁ ନିଜ ପାଖରେ ରଖିବାକୁ ଚାହୁଁନାହାନ୍ତି। ଦୁର୍ଭାଗ୍ୟବଶତଃ ଆମେ ପାଶ୍ଚାତ୍ୟ ଦେଶର ରାସ୍ତାରେ ଚାଲିବା ଆରମ୍ଭ କରିଛେ। ଆମ ବାପା-ମା’ ଆମ ସହ ନ ରୁହନ୍ତୁ ବୋଲି ଆମେ ଚାହୁଁଛେ। ନିଜର ଅଜା-ଆଈ ବା ଜେଜେ ବାପା-ଜେଜେ ମା’ଙ୍କୁ ରଖିବାକୁ ମଧ୍ୟ ଲୋକମାନେ ଭୁଲି ଗଲେଣି।”
ଭାରତରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ସୁଧାକର କହିଛନ୍ତି, ପ୍ରତି ୭ ଜଣଙ୍କ ମଧ୍ୟରୁ ଜଣେ କୌଣସି ନା କୌଣସି ମାନସିକ ସମସ୍ୟାରେ ରହୁଛନ୍ତି। ଏହି ମାନସିକ ସମସ୍ୟା ସ୍ୱଳ୍ପ, ମଧ୍ୟମ ବା ସିଭିୟର ସ୍ତରରେ ରହୁଛି। ଚାପକୁ ଠିକ ଭାବେ ପରିଚାଳନା କରିବା ଗୋଟିଏ କଳା। ଏହି କଳାକୁ ଆମେ ଭାରତୀୟ ଭାବେ ଶିକ୍ଷାଲାଭ କରିବାର ରହିଛି।
ଯୋଗ, ଧ୍ୟାନ ଓ ପ୍ରାଣାୟମ ମାନସିକ ଚାପରୁ ମୁକ୍ତି ପାଇବାରୁ ସବୁଠାରୁ ସୁନ୍ଦର ରାସ୍ତା। ଏହାକୁ ଆମେ ପୂର୍ବପୁରୁଷମାନେ ହଜାର ବର୍ଷ ତଳେ ସାରା ବିଶ୍ୱକୁ ଦେଇଥିଲେ ବୋଲି ସେ କହିଛନ୍ତି।
ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କ ମାଗଣା ଟିକାକରଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିବାକୁ ଭୁଲି ନାହାନ୍ତି। ସେ କହିଛନ୍ତି, ଭାରତ ବିଶ୍ୱର ଏକାମାତ୍ର ଦେଶ ଯେଉଁଠାରେ ଲୋକଙ୍କୁ ମାଗଣାରେ ଟିକା ଦିଆଯାଉଛି। ସବୁଆଡ଼େ ଲୋକମାନେ ଟିକାର ଡୋଜ୍ ପାଇଁ ୧୫ ଶହରୁ ୪ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି।
The post ମନ୍ତ୍ରୀଙ୍କ ଅଜବ ବୟାନ: ମହିଳାମାନେ ଛୁଆ ଜନ୍ମ କରିବାକୁ ଚାହୁଁନାହାନ୍ତି appeared first on Odisha Reporter.
from Odisha Reporter https://ift.tt/3FJUP0m
No comments:
Post a Comment