ଜେନେଭା: ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାର ବ୍ୟବହାର ପାଇଁ ଅନୁମୋଦନ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ସଂଗଠନ ପକ୍ଷରୁ RTS,S/AS01 ମ୍ୟାଲେରିଆ ଟିକାକୁ ଗ୍ରୀନ ସିଗ୍ନାଲ ଦିଆ ଯାଇଥିବା ହୁ’ର ମୁଖ୍ୟ ଟେଡ୍ରୋଓ ଅଧାନୋମ ଘେବ୍ରିୟସ ସୂଚନା ଦେଇଛନ୍ତି।
ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ RTS,S/AS01 ମ୍ୟାଲେରିଆ ଟିକା ହେଉଛି ମଶା କାମୁଡ଼ିବା ଦ୍ୱାରା ବ୍ୟାପୁଥିବା ସଂକ୍ରମଣ ବିରୋଧରେ ବିଶ୍ୱର ପ୍ରଥମ ଟିକା। ସାରା ବିଶ୍ୱରେ ମଶା ଜନିତ ସଂକ୍ରମଣ ଯୋଗୁ ପ୍ରତିବର୍ଷ ୪ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ବିଶେଷ କରି ଆଫ୍ରିକାର ପିଲାମାନେ ଏହି ରୋଗରେ ପ୍ରାଣ ହରାଇଥାଆନ୍ତି। ତେଣୁ RTS,S/AS01 ମ୍ୟାଲେରିଆ ଟିକା ଏହା ବିରୋଧରେ ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି କୁହାଯାଉଛି।
୨୦୧୯ରୁ ଘାନା, କେନିୟା ଓ ମାଲାୱିରେ ଟିକାର ୨ ନିୟୁତରୁ ଅଧିକ ଡୋଜ୍ ପିଲାମାନଙ୍କୁ ଦିଆଯାଇଥିଲା। ଏହି ପରୀକ୍ଷା ମୂଳକ ଟିକାକରଣରେ ସଫଳତା ମିଳିଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଅନୁମୋଦନ କରିଛି। ପ୍ରଥମେ ଫାର୍ମାସିଟ୍ୟକାଲ କମ୍ପାନୀ ଜିଏସ୍କେ ୧୯୮୭ରେ ଏହି ଟିକା ବାହାର କରିଥିଲା। କିନ୍ତୁ ଏଯାଏ ଏହାକୁ ଅନୁମୋଦନ ମିଳି ନଥିଲା।
ଟିକାର ଟ୍ରାଏଲ ହୋଇଥିବା ଦେଶଗୁଡ଼ିକରୁ ସକାରାମତ୍କ ଫଳାଫଳ ମିଳିଛି। ତେଣୁ ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାକୁ ଅନ୍ୟ ସ୍ଥାନରେ ବ୍ୟବହାର କରିବାକୁ ହୁ’ କହିଛି। ହୁ’ କହିଛି ଯେ ମଶା ଦ୍ୱାରା ସଂକ୍ରମଣ ବ୍ୟାପୁଥିବା ଆଫ୍ରିକା ଓ ଅନ୍ୟ ପ୍ରାନ୍ତରେ ଛୋଟ ପିଲାମାନେ ଏହି ଟିକାର ୪ଟି ଡୋଜ୍ ଦୁଇ ବର୍ଷ ବୟସ ମଧ୍ୟରେ ନେବେ।
ପ୍ରତି ଦୁଇ ମିନିଟ୍ରେ ଜଣେ ଛୋଟ ପିଲା ମ୍ୟାଲେରିଆ ଯୋଗୁ ପ୍ରାଣ ହରାଉଛନ୍ତି। ବିଶ୍ୱର ମୋଟ ମ୍ୟାଲେରିଆ ଜନିତ ମୃତ୍ୟୁରୁ ପ୍ରାୟ ଅଧାରୁ ଅଧିକ ଘଟଣା ଆଫ୍ରିକା ଓ ନାଇଜେରିଆରେ ଦେଖିବାକୁ ମିଳୁଛି। ଜ୍ୱର, ମୁଣ୍ଡବିନ୍ଧା ଓ ମାଂସପେଶୀରେ ଯନ୍ତ୍ରଣା ହେଉଛି ମ୍ୟାଲେରିଆ ଭୂତାଣୁର ପ୍ରଥମ ଲକ୍ଷଣ।
ଏହାପରେ ପ୍ରବଳ ଥଣ୍ଡା ଓ ଜାଳ ବୋହିବା ଭଳି ଘଟଣା ମଧ୍ୟ ଦେଖିବାକୁ ମିଳୁଛି। RTS,S/AS01 ମ୍ୟାଲେରିଆ ଟିକା ଦ୍ୱାରା ଜଣେ ପିଲା ଗୁରୁତର ହେବାରୁ ରକ୍ଷା ପାଇବ। ଗୁରୁତର ହେବା ହାରକୁ ଟିକା ପ୍ରାୟ ୩୦% ହ୍ରାସ କରିପାରିବ ବୋଲି ହୁ’ ପକ୍ଷରୁ କୁହାଯାଇଛି।
The post ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାକୁ ମିଳିଲା ଅନୁମୋଦନ appeared first on Odisha Reporter.
from Odisha Reporter https://ift.tt/3muXgeb
No comments:
Post a Comment