ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥା ନେଇ ଆଜି ପ୍ରକାଶ ପାଇବ ସଂରକ୍ଷଣ ଚିଠା ତାଲିକା। କେଉଁ ଆସନ କାହା ପାଇଁ ସଂରକ୍ଷଣ ହେବ, ସେ ନେଇ ଜିଲ୍ଲାସ୍ତରରେ ଚିଠା ତାଲିକା ପ୍ରକାଶ ପାଇବ। ସଂରକ୍ଷଣ ତାଲିକା ପ୍ରକାଶ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଚେୟାରମ୍ୟାନ ଓ ଜିଲ୍ଲା ପରିଷଦ ସଦସ୍ୟ ଆସନ ସଂରକ୍ଷଣ ଲାଗି ଏହି ଚିଠା ତାଲିକା ପ୍ରକାଶ ପାଇବ। ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ ଚେୟାରମ୍ୟାନ ଆସନ ପାଇଁ ଯଦି କିଏ ଚାହିଁବ ଆସନ୍ତା ୧୬ ତାରିଖରେ ଆପତ୍ତି କରିପାରିବେ। ୨୧ ତାରିଖ ସୁଦ୍ଧା ଜିଲ୍ଲାପାଳଙ୍କ ଦ୍ୱାରା ଆପତ୍ତି ଅଭିଯୋଗର ଶୁଣାଣି କରି ସମାଧାନ କରାଯିବ। ୨୬ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ।
ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି, ଜିଲ୍ଲା ପରିଷଦ ସଦସ୍ୟ ଆସନ ସଂରକ୍ଷଣ ପାଇଁ ଆପତ୍ତି ଥିଲେ ୧୮ ତାରିଖ ସୁଦ୍ଧା ଅଭିଯୋଗ କରିପାରିବେ। ୨୨ ତାରିଖରେ ଶୁଣାଣି କରାଯାଇ ଜିଲ୍ଲାପାଳଙ୍କ ଦ୍ୱାରା ସମାଧାନ କରାଯିବ। ୨୯ ତାରିଖରେ ସରକାରଙ୍କ ଅନୁମୋଦନ ନିଆଯାଇ ୩୦ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ପାଇଁ ୧୬ ତାରିଖରେ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ହେବ। ୩୦ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ଦିଆଯିବ।
ସେହିପରି ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ନାଥ ସାହୁ କହିଛନ୍ତି, ୨୬ତାରିଖ ଭିତରେ ୱାର୍ଡ ମେମ୍ବର, ସମିତି ସଭ୍ୟ, ସରପଞ୍ଚ ଆସନ ସଂରକ୍ଷଣ ତାଲିକା ଚୂଡାନ୍ତ କରି ରାଜ୍ୟ ସରକାର ନିର୍ବାଚନ କମିଶନଙ୍କୁ ଦେବେ। ୩୦ତାରିଖ ଭିତରେ ଜିଲ୍ଲା ପରିଷଦ ସଭ୍ୟ, ଅଧ୍ୟକ୍ଷ ଆସନ ସଂରକ୍ଷଣ ତାଲିକା ଦେବେ। ଏହାପରେ ନିର୍ବାଚନ କମିଶନ ଭୋଟର ତାଲିକା ପ୍ରସ୍ତୁତ କରିବେ। ଭୋଟର ଲିଷ୍ଟ ପ୍ରସ୍ତୁତ ପାଇଁ ମାସେରୁ ଦେଢ ମାସ ଲାଗିବ।
The post ଆଜି ପ୍ରକାଶ ପାଇବ ପଞ୍ଚାୟତ ନିର୍ବାଚନ ଲାଗି ସଂରକ୍ଷଣ ଚିଠା ତାଲିକା appeared first on Odisha Reporter.
from Odisha Reporter https://ift.tt/3mRaTov
No comments:
Post a Comment