ନୂଆଦିଲ୍ଲୀ: ମହାମାରୀ କରୋନାର ମାରତ୍ମକ ଭାରିଏଣ୍ଟ ଓମିକ୍ରନକୁ ନେଇ ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି। ଭାରତରେ ଏଯାଏ ବିଧିବଦ୍ଧ ଭାବେ ଓମିକ୍ରନ ଭାରିଏଣ୍ଟ ଠାବ ହୋଇନାହିଁ। କିନ୍ତୁ ବିଦେଶରୁ ଅନେକ ଲୋକ ଫେରିଥିବାରୁ ଏହାର ବିପଦକୁ ସଂପୂର୍ଣ୍ଣ ଭାବେ ଏଡ଼ାଇ ଦିଆଯାଇ ପାରୁନି।
ଏସବୁ ଭିତରେ କରୋନା ବିରୋଧୀ ଟିକାକରଣକୁ ନେଇ ବଡ଼ ସୂଚନା ମିଳିଛି। ଭାରତରେ କରୋନାର ଓମିକ୍ରନ ଭାରିଏଣ୍ଟକୁ ମାତ ଦେବା ପାଇଁ ଖୁବଶୀଘ୍ର ବୁଷ୍ଟର ଡୋଜ୍ ଲୋକଙ୍କୁ ଦିଆଯାଇପାରେ। ତେବେ କେବଳ କିଛି ସ୍ୱତନ୍ତ୍ର ମାମଲାରେ ହିଁ ବୁଷ୍ଟର ଡୋଜ୍ର ବ୍ୟବହାର ହେବ। ଦେଶର କୋଭିଡ ଟାସ୍କ ଫୋର୍ସ ଅଧ୍ୟକ୍ଷ ଡା ଏନକେ ଅରୋରା ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସ୍ୱତନ୍ତ୍ର ମାମଲା ପାଇଁ ଟିକାର ଅତିରିକ୍ତ ଡୋଜ ବା ବୁଷ୍ଟର ଡୋଜ୍ର ବ୍ୟବହାର କରାଯାଇ ପାରେ। ଏଥିପାଇଁ ନୀତି ନିର୍ଦ୍ଧାରଣ ମଧ୍ୟ କରାଯିବ। ସମସ୍ତଙ୍କୁ ଏବେ ବୁଷ୍ଟର ଡୋଜ୍ ନେବାର ଆବଶ୍ୟକତା ନାହିଁ। ତାଙ୍କ କହିବା ଅନୁଯାୟୀ, ବୁଷ୍ଟର ଡୋଜ୍ ସହ ଛୋଟ ପିଲାମାନଙ୍କ ଟିକାକରଣ ପାଇଁ ମଧ୍ୟ ନୀତି ନିର୍ଦ୍ଧାରଣ କରାଯିବ।
ପ୍ରାୟ ୪୪ କୋଟି ପିଲାଙ୍କୁ ଟିକା ଦିଆଯିବ। ଏଥିପାଇଁ ଜାତୀୟ ବୈଷୟିକ ପରାମର୍ଶଦାତା ଗ୍ରୁପ୍ ଗାଇଡଲାଇନ ଜାରି କରିବ। ପ୍ରାଥମକି ଅବସ୍ଥାରେ ବହୁବିଧି ରୋଗରେ ପୀଡ଼ିତ ପିଲାମାନଙ୍କୁ ଟିକା ଦେବାର ବ୍ୟବସ୍ଥା ହେବ ବୋଲି ଡା ଅରୋରା କହିଛନ୍ତି।
ବିଭିନ୍ନ ଦେଶରେ ଏବେ ବରିଷ୍ଠ ନାଗରିକମାନଙ୍କୁ ଟିକାର ବୁଷ୍ଟର ଡୋଜ୍ ଦିଆଯାଉଛି। ବିଶେଷ କରି ନୂଆ ଭାରିଏଣ୍ଟ ଆସିବା ପରେ ସମସ୍ତଙ୍କ ମନରେ ଛନକା ପଶିଛି। ଭାରତରେ ବୁଷ୍ଟର ଡୋଜ୍ର ବ୍ୟବହାର ସମ୍ପର୍କରେ ଡା ଅରୋରା କହିଛନ୍ତି, “ବୁଷ୍ଟର ଡୋଜ୍ର ଅର୍ଥ ୯୪ କୋଟି ଡୋଜ୍। ଏହା କେବେ ହେଲେ ରାତାରାତି ସମ୍ଭବ ନୁହେଁ। ଏଥିପାଇଁ ଉପଯୁକ୍ତ ପ୍ରସ୍ତୁତି ଦରକାର।” ତେବେ ଦେଶରେ କରୋନା ଟିକାର ଅଭାବ ନାହିଁ ବୋଲି ସେ ଦମ୍ଭୋକ୍ତି କରିଛନ୍ତି।
ବର୍ତ୍ତମାନ ସୁଦ୍ଧା ୧୨ରୁ ୧୫ କୋଟି ଲୋକ ଟିକାର ଗୋଟିଏ ହେଲେ ଡୋଜ୍ ନେଇନାହାନ୍ତି। ସେହିପରି ୩୦ କୋଟିରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି। ଏ ସମ୍ପର୍କରେ ସେ କହିଛନ୍ତି, ସେମାନଙ୍କର ଟିକାକରଣ ଜରୁରୀ। ସେମାନଙ୍କୁ ଟିକା ନେବାକୁ ସବୁ ପ୍ରକାରର ବ୍ୟବସ୍ଥା ହେବା ଉଚିତ। ଲୋକମାନେ ମଧ୍ୟ କରୋନା ବିରୋଧରେ ଟିକା ନିଅନ୍ତୁ। ଏବେ ଦେଶରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାରର ଟିକା ଉପରେ ନୂଆ ଭାରିଏଣ୍ଟ କ’ଣ ପ୍ରଭାବ ପକାଉଛି, ତାହା ଜଣାପଡ଼ିନି। ଦେଶରେ ଥିବା ଲ୍ୟାବ ଗୁଡ଼ିକରେ ଏନେଇ ପରୀକ୍ଷା ଚାଲିଛି। ଆସନ୍ତା ୨ ସପ୍ତାହ ମଧ୍ୟରେ ସବୁ କିଛି ସ୍ପଷ୍ଟ ହୋଇ ପାରିବ ବୋଲି ସେ କହିଛନ୍ତି।
The post ଓମିକ୍ରନ ଭୟ: ଭାରତରେ ଲୋକଙ୍କୁ ଦିଆଯାଇପାରେ ବୁଷ୍ଟର ଡୋଜ୍ appeared first on Odisha Reporter.
from Odisha Reporter https://ift.tt/3lnreky
No comments:
Post a Comment