କାନପୁର: ଏଠାରେ ଚାଲିଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଆଜି ଭାରତୀୟ ବୋଲରଙ୍କୁ ସଫଳତା ମିଳିଛି। ଲଞ୍ଚ ସୁଦ୍ଧା ଦଳ ଦୁଇଟି ୱିକେଟ୍ ନେଇଛି। ରବିଚନ୍ଦ୍ରନ ଅଶ୍ୱିନ ଓ ଉମେଶ ଯାଦବ ଏହି ସଫଳତା ଦେଇଛନ୍ତି।
ନ୍ୟୁଜିଲ୍ୟାଣ୍ଡର ସ୍କୋର ୧୫୧ରେ ପହଞ୍ଚିଥିବା ବେଳେ ପ୍ରଥମ ୱିକେଟ୍ ଖସାଇଥିଲେ ଅଶ୍ୱିନ। ସେ ୱିଲ୍ ୟଙ୍ଗଙ୍କୁ ଆଉଟ୍ କରିଥିଲେ। ତାଙ୍କ ବଲ୍ରେ ଶୁବମନ ଗିଲ୍ଙ୍କ ଦ୍ୱାର କ୍ୟାଚ୍ ଆଉଟ୍ ହୋଇଥିଲେ ୟଙ୍ଗ। ସେ ୨୧୪ଟି ବଲ୍ରେ ୧୫ଟି ଚୌକା ସହାୟତାରେ ୮୯ ରନ୍ କରିଥିଲେ।
ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ କେନ୍ ୱିଲିୟମସନ୍। ତେବେ ସେ ଅଧିକ ସମୟ କ୍ରିଜ୍ରେ ରହିପାରିଲେ ନାହିଁ। ୬୪ ବଲ୍ର ସମ୍ମୁଖୀନ ହୋଇଥିବା ୱିଲିୟମସନ୍ ୨ଟି ଚୌକା ସହାୟତାରେ ୧୮ ରନ୍ କରିଥିବା ବେଳେ ଉମେଶ ଯାଦବଙ୍କ ବଲ୍ରେ ଏଲ୍ବିଡବ୍ଲ୍ୟୁ ହୋଇଥିଲେ।
ଅନ୍ୟପକ୍ଷରେ ଗତକାଲି ଠାରୁ କ୍ରିଜ୍ରେ ଅଛନ୍ତି ଟମ୍ ଲାଥମ୍। ଲଞ୍ଚ ସୁଦ୍ଧା ସେ ୨୩୯ ବଲ୍ରୁ ୧୦ ଚୌକା ସହାୟତାରେ ୮୨ ରନ୍ କରି ଖେଳୁଛନ୍ତି। ଦଳୀୟ ସ୍କୋର ୧୯୭ରେ ପହଞ୍ଚିଛି।
ରବିଚନ୍ଦ୍ରନ ଅଶ୍ୱିନ ୨୮ ଓଭରରେ ୫୭ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଛନ୍ତି। ସେହିଭଳି ଉମେଶ ଯାଦବ ୧୧.୩ ଓଭରରେ ୩୦ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଛନ୍ତି। ଈଶାନ୍ତ ଶର୍ମା, ରବୀନ୍ଦ୍ର ଜାଡ଼େଜା ଓ ଅକ୍ଷର ପଟେଲଙ୍କୁ ଏଯାଏଁ ସଫଳତା ମିଳି ନାହିଁ।
ସୂଚନାଯୋଗ୍ୟ, ଭାରତ ପ୍ରଥମ ଇନିଂସରେ ୩୫୪ ରନ୍ କରିଛି। ଦଳ ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୧୦୫ ରନ୍ କରିଥିବା ବେଳେ ଶୁବମନ ଗିଲ୍ ୫୨, ରବୀନ୍ଦ୍ର ଜାଡେଜା ୫୦, ରବିଚନ୍ଦ୍ରନ ଅଶ୍ୱିନ ୩୮ ଓ ଆଜିଙ୍କ୍ୟ ରାହାଣେ ୩୫ ରନ୍ କରିଥିଲେ।
The post ଅଶ୍ୱିନଙ୍କ ପରେ ଉମେଶଙ୍କୁ ମିଳିଲା ସଫଳତା appeared first on Odisha Reporter.
from Odisha Reporter https://ift.tt/3p4Kftb
No comments:
Post a Comment