ନୂଆଦିଲ୍ଲୀ: ମହାମାରୀ କରୋନାର ମାରାତ୍ମକ ଭାରିଏଣ୍ଟ ଓମିକ୍ରନ ଏବେ ଗୋଟିଏ ପରେ ଗୋଟିଏ ଦେଶକୁ ମାଡ଼ିବାରେ ଲାଗିଛି। ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ଭାରିଏଣ୍ଟ ବର୍ତ୍ତମାନ ଆମେରିକା ଓ ୟୁରୋପରେ ବି ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ବର୍ତ୍ତମାନ ସୁଦ୍ଧା ୨୪ଟି ଦେଶରେ ଆତଙ୍କ ସୃଷ୍ଟି କରିଥିବା ଓମିକ୍ରନ କିନ୍ତୁ ଏଯାଏ ଭାରତରେ ଠାବ ହୋଇନି।
ବୁଧବାର ଆମେରିକା ନୂଆ ଦେଶ ଭାବେ ଓମିକ୍ରନ ସହ ଯୋଡ଼ି ହୋଇଛି। କାର୍ଲିଫର୍ଣ୍ଣିଆରେ ଜଣେ ବ୍ୟକ୍ତି ଓମିକ୍ରନ ଭାରିଏଣ୍ଟରେ ଚିହ୍ନଟ ହୋଇଥିବା ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବ୍ୟକ୍ତି ଜଣଙ୍କ କରୋନାର ଦୁଇଟି ଯାକ ଡୋଜ୍ ନେଇଥିଲେ। ହେଲେ ବୁଷ୍ଟର ଡୋଜ୍ ନେଇ ନଥିଲେ। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତଙ୍କ ମନରେ ଛନକା ପଶିଛି।
ଡା ଆନ୍ଥୋନୀ ଫାଉସି କହିଛନ୍ତି, ନଭେମ୍ବର ୨୨ରେ ଦକ୍ଷିଣ ଆଫ୍ରିକାରୁ ଆମେରିକାର କାର୍ଲିଫର୍ଣ୍ଣିଆକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ୨୯ ତାରିଖରେ ପଜିଟିଭ ଆସିଛି। ଜେନୋମ ସିକ୍ୱେନ୍ସିଂ ପରେ ସେ ଓମିକ୍ରନ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
ବ୍ୟକ୍ତି ଜଣଙ୍କ ଟିକାର ଦୁଇଟି ଡୋଜ୍ ନେଇଥିଲେ। କିନ୍ତୁ ବୁଷ୍ଟର ଡୋଜ୍ ନେଇ ନଥିବାରୁ ତାଙ୍କ ଶରୀରରେ ମଧ୍ୟମ ଧରଣର କରୋନା ଲକ୍ଷଣ ଦେଖାଯାଇଛି। ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା। ତେବେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଛି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଓମିକ୍ରନ ଭାରିଏଣ୍ଟ ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପୁଥିବାରୁ ଏହାକୁ ନେଇ ବିଶ୍ୱ ସ୍ଥ୍ୟାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି। ସଂଗଠନର ନିର୍ଦ୍ଦେଶକ ଟେଡ୍ରୋସ ଅଧନୋମ ଘେବ୍ରିୟସ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୨୪ଟି ଦେଶରେ ଓମିକ୍ରନ ଭାରିଏଣ୍ଟ ଠାବ ହୋଇ ସାରିଲାଣି।
ଏହି ସଂଖ୍ୟା ବଢ଼ିବାର ମଧ୍ୟ ଆଶଙ୍କା ରହିଛି। ହଠାତ୍ ଓମିକ୍ରନ ଭାରିଏଣ୍ଟ ଠାବ ହେବାରୁ ସାରା ବିଶ୍ୱ ଏହାକୁ ଗୁରୁତ୍ୱର ସହ ନେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପୂରା ସ୍ଥିତି ଉପରେ ନଜର ରଖିଛି। ପ୍ରତିଟି ଦେଶ ମଧ୍ୟ ଓମିକ୍ରନ ପାଇଁ ସତର୍କ ରହିବା ଜରୁରୀ। ଓମିକ୍ରନକୁ ନେଇ ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ। କାରଣ ଭାଇରସ ଏମିତି ହିଁ ରୂପ ବଦଳାଇଥାଏ। ଆମେ ଯେଉଁ ପର୍ଯ୍ୟନ୍ତ ସଂକ୍ରମଣକୁ ବଢ଼ିବାକୁ ଦେବା, ସେ ପର୍ଯ୍ୟନ୍ତ ଭାଇରସ ଏମିତି ମ୍ୟୁଟେନ ହୋଇ ଚାଲିଥିବ।
ଓମିକ୍ରନ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନେକ ତଥ୍ୟ ହାସଲ କରିଥିବା ବେଳେ ଆହୁରି କିଛି ସାମ୍ନାକୁ ଆସିବାର ଅଛି। ସଂଗଠନର ଅନେକ ପରାମର୍ଶଦାତା ଗ୍ରୁପ୍ ସ୍ଥିତିକୁ ନେଇ ସମୀକ୍ଷା କରୁଛନ୍ତି। ଟିକା ଉପରେ ଏହାର ପ୍ରଭାବ ଓ ଟେଷ୍ଟିଂକୁ ନେଇ ପରୀକ୍ଷା କରାଯାଉଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ ଏହି ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଥିଲା। ଏହାପରେ ଏହା ଅନ୍ୟ ଦେଶକୁ ମଧ୍ୟ ମାଡ଼ିବାରେ ଲାଗିଛି। ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଭାରିଏଣ୍ଟ ରକେଟ ବେଗରେ ମାଡ଼ୁ ଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।
The post ୨୪ ଦେଶକୁ ମାଡ଼ିଲାଣି ମାରାତ୍ମକ ଓମିକ୍ରନ, ଆମେରିକାରେ ବି ଜଣେ ସଂକ୍ରମିତ appeared first on Odisha Reporter.
from Odisha Reporter https://ift.tt/3EfyWF5
No comments:
Post a Comment