ଉଦଳା (ଓଡ଼ିଶା ରିପୋର୍ଟର): କରୋନା ଟିକା ଦେବାକୁ ଯାଇ ହଟହଟା ହେଲେ ଅଙ୍ଗନବାଡ଼ି ଦିଦି ଓ ଆଶାକର୍ମୀ। ସେମାନଙ୍କୁ ୬ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ। ବିଡିଓ ଓ ଅନ୍ୟ ବ୍ଲକ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କଲେ। ଶତପ୍ରତିଶତ ଟିକାଦାନ ଲକ୍ଷ୍ୟରେ ସରକାର ଅଭିଯାନ ଚଳାଇଥିବା ବେଳେ ଏଭଳି ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍ ବଡ଼ଖମଣ ପଞ୍ଚାୟତ ଅନ୍ତର୍ଗତ ତାଳସେରୀ ଗାଁରେ।
ଗତକାଲି ତାଳସେରୀ ଗାଁରେ ଆଶାକର୍ମୀ ଓ ଅଙ୍ଗନବାଡ଼ି ଦିଦି କ୍ୟାମ୍ପ୍ କରି ଗ୍ରାମବାସୀଙ୍କୁ ଟିକା ଦେଉଥିଲେ। ସେମାନେ ୧୨ ଜଣଙ୍କୁ ଟିକା ଦେବା ପରେ ଗାଁର କିଛି ଲୋକ ସେଠାରେ ପହଞ୍ଚି ଟିକା ନେବେ ନାହିଁ ବୋଲି କହିଥିଲେ। ସେମାନେ ସୁସ୍ଥ ଥିବାରୁ କାହିଁକି ଟିକା ନେବେ ବୋଲି ପ୍ରଶ୍ନ କରିଥିଲେ। ଏହା ସହିତ ଧାନ କଟା ସରିବା ପରେ ଟିକା ନେବେ ବୋଲି କହିଥିଲେ। ଆଶାକର୍ମୀ ଓ ଅଙ୍ଗନବାଡ଼ି ଦିଦି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିବାରୁ ସେଠାରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲ। ଗ୍ରାମବାସୀ ସେମାନଙ୍କୁ ଅଟକ ରଖିଥିଲେ। ପ୍ରାୟ ୬ ଘଣ୍ଟା ପରେ ଉଦଳା ବିଡିଓ, ତହସିଲଦାର ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଏହା ପରେ ଆଶାକର୍ମୀ ଓ ଅଙ୍ଗନବାଡ଼ି ଦିଦି ସେଠାରୁ ଉଦ୍ଧାର ହୋଇଥିଲା।
ଜଣେ ଗ୍ରାମବାସୀ କହିଛନ୍ତି, ଧାନକଟା ଚାଲିଛି, ଧାନକଟା ସରିବା ଆମେ ଟିକା ନେବୁ ବୋଲି କହିଥିଲୁ। ହେଲେ ସେମାନେ ଜୋରଜବଦସ୍ତ ଟିକା ଦେଉଥିଲେ। ପୂର୍ବରୁ ଏହି ଟିକା ନେଇ ଦୁଇ ତିନି ଜଣ ଅସୁସ୍ଥ ହୋଇପଡ଼ିଥିଲେ।
ଅଙ୍ଗନବାଡ଼ି ଦିଦି ସୌମ୍ୟା ସୁଚରିତା ମୁର୍ମୁ କହିଛନ୍ତି, ଗ୍ରାମବାସୀ କହିଲେ କରୋନା ଫରୋନା କିଛି ନାହିଁ। ସରକାର ଟିକା ଦେଇ ସେମାନଙ୍କୁ ମାରିଦେବାକୁ ଯୋଜନା କରୁଛନ୍ତି। ଏହି ଟିକା ନେଲେ ତିନିବର୍ଷ ପରେ ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ନଷ୍ଟ ହୋଇଯିବ।
ଉଦଳା ବିଡିଓ କହିଛନ୍ତି, ଟିକା ନେଲେ ଦେହ ଖରାପ ହୋଇଯିବ ବୋଲି ଗ୍ରାମବାସୀ ଭାବୁଛନ୍ତି। ଏଥିପାଇଁ ଗାଁରେ ସଚେତନତା କାର୍ଯ୍ୟକ୍ରମ କରାଯିବ।
The post ଟିକା ଦେବାକୁ ଯାଇ ହଟହଟା, ୬ଘଣ୍ଟା ଅଟକ appeared first on Odisha Reporter.
from Odisha Reporter https://ift.tt/3JAN7HQ
No comments:
Post a Comment