ବିଶାଖାପଟନମ: ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରନର ଭୟ ଭିତରେ ସମସ୍ତୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ବିଦେଶରୁ ଆନ୍ଧ୍ର ପ୍ରଦେଶର ବିଶାଖାପଟନମ ଆସିଥିବା ୬୦ ଜଣ ଲୋକଙ୍କ ମଧ୍ୟରୁ ୩୦ ଜଣଙ୍କର କୌଣସି ପତ୍ତା ମିଳୁନି। ସେମାନେ ୧୦ ଦିନ ମଧ୍ୟରେ ଆନ୍ଧ୍ରକୁ ଆସିଛନ୍ତି। ପ୍ରୋଟକଲ ଅନୁସାରେ ପ୍ରଶାସନ ସେମାନଙ୍କର ଆରଟି-ପିସିଆର ଟେଷ୍ଟ କରିବାକୁ ଚାହୁଁଥିଲେ ହେଁ ୩୦ ଜଣ ଲୋକଙ୍କ ଠିକଣା ମିଳୁନି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୬୦ ବିଦେଶ ଫେରନ୍ତାଙ୍କ ମଧ୍ୟରେ ୯ ଜଣ ଓମିକ୍ରନ ଆତଙ୍କ ସୃଷ୍ଟି କରିଥିବା ଆଫ୍ରିକାରୁ ରହିଛନ୍ତି। ତେଣୁ ଦେଶରୁ ଓମିକ୍ରନ ଭୟ ଦୂର କରିବାକୁ ହେଲେ ସମସ୍ତଙ୍କର ଟେଷ୍ଟ ଜରୁରୀ ବୋଲି ପ୍ରଶାସନ କହିଛି।
ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଭିନ୍ନ ଏୟାରପୋର୍ଟରେ ଲ୍ୟାଣ୍ଡ କରିଥିବା ୬୦ ଜଣ ଲୋକ ବିଶାଖାପଟନମ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ ବିଶାଖାପଟନମରେ ରହିଥିବା ବେଳେ ବାକି ୩୦ ଜଣ ବିଭିନ୍ନ ସ୍ଥାନକୁ ଚାଲି ଯାଇଛନ୍ତି। ସେମାନଙ୍କର କୌଣସି ପ୍ରକାରର ଟେଷ୍ଟ ହୋଇନି।
ଏପରି କି ଅନ୍ୟତ୍ର ଚାଲି ଯାଇଥିବା ୩୦ ଜଣଙ୍କ ମଧ୍ୟରୁ ଅଧିକାଂଶ ପ୍ରଶାସନର ଫୋନ କଲକୁ ରିସିଭ କରୁନାହାନ୍ତି। ତେଣୁ ସେମାନଙ୍କୁ ନେଇ ପ୍ରଶାସନ ଚିନ୍ତାରେ ରହିଛି। ଏଥିପାଇଁ ବିଶାଖାପଟନମ ଜିଲ୍ଲା ପ୍ରଶାସନ ନିଖୋଜ ୩୦ ବିଦେଶ ଫେରନ୍ତାଙ୍କୁ ଠାବ କରିବା ପାଇଁ ଅନ୍ୟ ଜିଲ୍ଲାର ଅଧିକାରୀମାନଙ୍କୁ ଆଲର୍ଟ କରିଛି।
ଓମିକ୍ରାନ ଠାବ ହୋଇଥିବା ଦକ୍ଷିଣ ଆଫ୍ରିକାରୁ ୩ ଜଣ ଓ ବୋଟସୱାନାରୁ ୬ ଜଣ ବିଖାଖାପଟନମକୁ ଆସିଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ପ୍ରଶାସନ ୬ ଜଣଙ୍କୁ ଚିହ୍ନଟ କରିପାରିଛି। ବାକି ୩ ଜଣ କ୍ରିଷ୍ଣା ଜିଲ୍ଲାରେ ଥିବା ସେମାନଙ୍କ ଗାଁକୁ ଚାଲି ଯାଇଛନ୍ତି। ଏବେ ସେମାନଙ୍କୁ ଠାବ କରିବାକୁ ପ୍ରୟାସ ଚାଲିଛି।
ତେବେ ଏଯାଏ ଚିହ୍ନଟ ହୋଇଥିବା କୌଣସି ବିଦେଶ ଫେରନ୍ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିନାହିଁ। ତେଣୁ ପ୍ରଶାସନ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛି।
ସୂଚନାଯୋଗ୍ୟ, ବିଶ୍ୱରୁ ୩୦ଟି ଦେଶରେ କାୟା ବିସ୍ତାର କରିଥିବା ଓମିକ୍ରନ କବଳରୁ ଭାରତ ମଧ୍ୟ ରକ୍ଷା ପାଇନି। କର୍ଣ୍ଣାଟକାରୁ ୨ ଓମିକ୍ରନ ଆକ୍ରାନ୍ତ ଠାବ ହେବା ପରେ ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି।
The post ଓମିକ୍ରନ ଚିନ୍ତା: ବିଦେଶରୁ ଆସିଥିବା ୩୦ ଜଣଙ୍କ ପତ୍ତା ମିଳୁନି appeared first on Odisha Reporter.
from Odisha Reporter https://ift.tt/3luY1o4
No comments:
Post a Comment