ଆଡିଲେଡ: ଆଉ କିଛି ସମୟ ପରେ ଆରମ୍ଭ ହେବ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଆଶେସ ସିରିଜ୍ର ଦ୍ୱିତୀୟ ମ୍ୟାଚ୍। ଏହି ଦିବରାତ୍ର ଟେଷ୍ଟ ମ୍ୟାଚ୍ ପୂର୍ବରୁ ଘରୋଇ ଅଷ୍ଟ୍ରେଲିଆକୁ ଜବରଦସ୍ତ ଝଟକା ଲାଗିଛି। ଦଳର ଅଧିନାୟକ ତଥା ଦ୍ରୁତ ବୋଲର ପ୍ୟାଟ କମିନ୍ସ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି।
ଏହି କାରଣରୁ ତାଙ୍କୁ ଦ୍ୱିତୀୟ ଟେଷ୍ଟରୁ ବାଦ ଦିଆଯାଇଛି। କମିନ୍ସ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଥିବାରୁ ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆର କମାଣ ଷ୍ଟିଭ ସ୍ମିଥ ସମ୍ଭାଳିବେ। ୨୦୧୮ ମସିହା ବଲ ଟାମ୍ପରିଂ ଘଟଣା ଯୋଗୁ କ୍ରିକେଟ ଅଷ୍ଟ୍ରେଲିଆ ସ୍ମିଥଙ୍କୁ ଅଧିନାୟକ ପଦରୁ ହଟାଇ ଦେଇଥିଲା। ଏବେ ଦୀର୍ଘ ୩ ବର୍ଷ ପରେ ତାଙ୍କୁ ଅଷ୍ଟ୍ରେଲିଆ ଦଳର କାମଚଳା ଅଧିନାୟକ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ବିଶ୍ୱର ନମ୍ବର ୧ ଟେଷ୍ଟ ବୋଲର ପାଟ କମିନ୍ସ ଆଡିଲେଡର ଗୋଟିଏ ରେଷ୍ଟୁରାଣ୍ଟକୁ ଯାଇଥିଲେ। ଏହି ସମୟରେ ତାଙ୍କ ପାଖ ଟେବୁଲରେ ବସିଥିବା ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏଥିପାଇଁ କମିନ୍ସର ଟେଷ୍ଟ ମଧ୍ୟ କରାଯାଇଥିଲା। ହେଲେ ଆଡିଲେଡ ପ୍ରଶାସନର ନିୟମ ଅନୁଯାୟୀ, ରିପୋର୍ଟ ନେଗେଟିଭ ଆସିଲେ ମଧ୍ୟ ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ୭ ଦିନ ସଙ୍ଗରୋଧରେ ରହିବେ। ତେଣୁ କମିନ୍ସ ମଧ୍ୟ ଏବେ ୭ ଦିନ ଆଇସୋଲେସନରେ ରହିବେ।
କ୍ରିକେଟ ଅଷ୍ଟ୍ରେଲିଆ କହିଛି, “କମିନ୍ସ ଦିବାରାତ୍ର ଟେଷ୍ଟରେ ଅଷ୍ଟ୍ରେଲିଆର ନେତୃତ୍ୱ ନେଇ ପାରିବେ ନାହିଁ। ଏହା ଏକ ନିରାଶଜନକ ଖବର। ତେବେ ଆମର ଆଶା ୨୬ରୁ ମେଲବର୍ଣ୍ଣରେ ଆରମ୍ଭ ହେବାକୁ ଥିବା ୩ୟ ଆଶେସ ସିରିଜ୍ ଟେଷ୍ଟରେ ସେ ଖେଳିବେ।”
ସୂଚନାଯୋଗ୍ୟ, ବ୍ରିସବେନରେ ଖେଳାଯାଇଥିବା ଆଶେସ ସିରିଜ୍ର ପ୍ରଥମ ଟେଷ୍ଟକୁ ଅଷ୍ଟ୍ରେଲିଆ ୯ ୱିକେଟରେ ଜିତି ନେଇଛି। ଏହି ମ୍ୟାଚ୍ରେ ଟ୍ରାଭିସ ହେଡ୍ ଶତକୀୟ ଇନିଂସ ଖେଳି ମ୍ୟାଚ୍ ଅଫ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ। ଏବେ ୧-୦ରେ ପଛୁଆ ଥିବା ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ କମବ୍ୟାକ କରିବାକୁ ନଜର ରଖିଛି।
The post ବଲ୍ ଟାମ୍ପରିଂ ଘଟଣାର ୩ ବର୍ଷ ପରେ ଅଧିନାୟକ ପଦକୁ ଫେରିଲେ ଷ୍ଟିଭ ସ୍ମିଥ appeared first on Odisha Reporter.
from Odisha Reporter https://ift.tt/3E3xSTA
No comments:
Post a Comment