ନୂଆଦିଲ୍ଲୀ: ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ନିର୍ବାଚନ ଆୟୋଗଙ୍କ ସୁପାରିସକ୍ରମେ କେନ୍ଦ୍ର କ୍ୟାବିନେଟ ନିର୍ବାଚନ ସଂସ୍କାର ଡ୍ରାଫ୍ଟ ବିଲ୍ ଉପରେ ମୋହର ମାରିଛି। ସଂସ୍କାର ବ୍ୟବସ୍ଥା ଅନୁଯାୟୀ, ଏଣିକି ଭୋଟର ପରିଚୟପତ୍ର ସହ ଆଧାର କାର୍ଡକୁ ଲିଙ୍କ କରାଯିବାର ବିକଳ୍ପ ଲୋକଙ୍କ ପାଖରେ ରହିବେ।
ତେବେ ଏହା ସଂପୂର୍ଣ୍ଣ ଭାବେ ଇଚ୍ଛାଧୀନ ବ୍ୟାପାର। ସୁପ୍ରିମକୋର୍ଟଙ୍କ ଗୋପନୀୟତା ଅଧିକାର ସମ୍ପର୍କିତ ରାୟକୁ ଆଧାର କରି ଭୋଟର ଆଇଡି ଓ ଆଧାର ଲିଙ୍କ ବ୍ୟବସ୍ଥାକୁ ସ୍ୱେଚ୍ଛାକୃତ କରାଯାଇଛି। ଭୋଟର ଆଇଡି ସହ ଆଧାର ଲିଙ୍କ କରିବାକୁ ନିର୍ବାଚନ ଆୟୋଗ ଦୀର୍ଘଦିନ ହେଲା ମତ ଦେଇ ଆସୁଥିଲେ। ଏବେ କେନ୍ଦ୍ର କ୍ୟାବିନେଟ ଏହା ଉପରେ ମୋହର ମାରିଛି। ତେଣୁ ଖୁବଶୀଘ୍ର ଏହା ସଂସଦରେ ଉପସ୍ଥାପନ ହେବ ବୋଲି ଜଣାପଡ଼ିଛି।
ନିର୍ବାଚନ ଆୟୋଗଙ୍କ ମତରେ ଭୋଟର ଆଇଡି ସହ ଆଧାର ଲିଙ୍କ ହେଲେ ନିର୍ବାଚନ ପ୍ରକ୍ରିୟାରେ ଆହୁରି ସ୍ୱଚ୍ଛତା ଆସିବ। ନକଲି ଭୋଟର ଧରା ପଡ଼ିବେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଭୋଟର ଆଇଡିକୁ ଆଧାର ସହ ଲିଙ୍କ କରିବାକୁ ଅନୁମତି ଦେଇଛନ୍ତି। ଏହାବାଦ ଭୋଟର ଭାବେ ନିଜର ପଞ୍ଜିକୃତ କରିବା ପାଇଁ ୧୮ ବର୍ଷରେ ପାଦ ଦେଉଥିବା ଯୁବକଙ୍କୁ ବର୍ଷକରେ ଥରେ ଅର୍ଥାତ ଜାନୁଆରୀ ୧ରେ ସୁଯୋଗ ମିଳୁଥିଲା।
କିନ୍ତୁ ଏବେ ବର୍ଷକ ୪ଥର ସେମାନଙ୍କୁ ଭୋଟର ଭାବେ ପଞ୍ଜୀକରଣ ପାଇଁ ସୁଯୋଗ ମିଳିବ। ଜାନୁଆରୀ ୧ ସହ, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ରେ ପଞ୍ଜୀକରଣ ପାଇଁ ସୁବିଧା ଯୋଗାଇ ଦିଆଯିବ।
ଡ୍ରାଫ୍ଟ ବିଲରେ କେନ୍ଦ୍ର ସରକାର ନିର୍ବାଚନ ଆୟୋଗକୁ ଅଧିକ ସଶକ୍ତ କରିବାକୁ ବ୍ୟବସ୍ଥା କରିଛନ୍ତି। ନିର୍ବାଚନ ଆୟୋଗ ଯେକୌଣସି ସ୍ଥାନକୁ ନିର୍ବାଚନ ପ୍ରକ୍ରିୟା ପାଇଁ ଅଧିଗ୍ରହଣ କରିପାରିବ। ଏହା କେବଳ ପୋଲିଂ ଷ୍ଟେସନ କିମ୍ବା ବାଲୋଟ ବକ୍ସ ସଂରକ୍ଷଣ ମଧ୍ୟରେ ସୀମିତ ରହିବ ନାହିଁ। ଏହାବାଦ୍ ସର୍ଭିସ(ସାମରିକ ବାହିନୀ କର୍ମଚାରୀ) ଭୋଟରମାନଙ୍କ ପାଇଁ ନିର୍ବାଚନ ଆଇନରେ ପରିବର୍ତ୍ତନ କରାଯାଇଛି। ଏହି ବର୍ଗର ପୁରୁଷ ଭୋଟରଙ୍କ ପତ୍ନୀଙ୍କୁ ସମାନ ନିର୍ବାଚନ ମଣ୍ଡଳୀ ଅଧିନରେ ପଞ୍ଜୀକରଣର ସୁବିଧା ମିଳିବାର ବ୍ୟବସ୍ଥା ରହିଛି।
ସୂଚନାଯୋଗ୍ୟ, ୨୦୧୫ରେ ନିର୍ବାଚନ ଆୟୋଗ ଭୋଟର ଆଇଡି ସହ ଆଧାର ଲିଙ୍କ କରିବା ପାଇଁ ଦାବି କରିଥିଲେ। ଏହି ସମୟରେ ପ୍ରାୟ ୩୨ କୋଟି ଆଧାର ନମ୍ବର ଲିଙ୍କ ମଧ୍ୟ ହୋଇଥିଲା। କିନ୍ତୁ ଆଧାର ଲିଙ୍କ ବିଭିନ୍ନ କ୍ଷେତ୍ରରେ ବାଧ୍ୟତାମୂଳକ କରାଯାଉଥିବାରୁ ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ମଧ୍ୟ ଭୋଟର ଆଇଡି ସହ ଏହାର ଲିଙ୍କ ପ୍ରସଙ୍ଗରେ ଆଉ କୌଣସି ବ୍ୟବସ୍ଥା କରି ନଥିଲେ।
The post ଭୋଟର ଆଇଡି ସହ ଲିଙ୍କ ହେବ ଆଧାର କାର୍ଡ, କେନ୍ଦ୍ର ଦେଲା ଅନୁମତି appeared first on Odisha Reporter.
from Odisha Reporter https://ift.tt/3E1WY5n
No comments:
Post a Comment