ଜେନେଭା: ୟୁକ୍ରେନ ଉପରେ ରୁଷ ଚଳାଇଥିବା ହମଲା ଏବେ ବିଶ୍ୱର ସବୁଠାରୁ ବଡ଼ ଶରଣାର୍ଥୀ ସମସ୍ୟା ସୃଷ୍ଟି କରିଛି। କାରଣ ରୁଷର ହମଲା ପରଠାରୁ ଇତି ମଧ୍ୟରେ ୟୁକ୍ରେନରେ ରହୁଥିବା ପ୍ରାୟ ୨୦ ଲକ୍ଷରୁ ଅଧିକ ଲୋକ ଜୀବନ ବଞ୍ଚାଇବାକୁ ଅନ୍ୟ ଦେଶକୁ ଚାଲି ଯାଇଛନ୍ତି। ଅନେକ ଲୋକ ଏବେ ବି ଦେଶ ଛାଡ଼ିବା ଅପେକ୍ଷାରେ ରହିଛନ୍ତି। ଜାତିସଂଘ ପକ୍ଷରୁ ଏପରି ତଥ୍ୟ ମିଳିବା ପରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି।
ଜାତିସଂଘର ଶରଣାର୍ଥୀ ଏଜେନ୍ସି କହିଛି, ଫେବୃଆରୀ ୨୪ରୁ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧର ୧୩ ଦିନ ମଧ୍ୟରେ ୨୦,୧୧,୩୧୨ ଜଣ ଲୋକ ୟୁକ୍ରେନ ଛାଡ଼ି ଶରଣାର୍ଥୀ ଭାବେ ବିଭିନ୍ନ ସୀମାନ୍ତ ଅଞ୍ଚଳକୁ ଚାଲି ଯାଇଛନ୍ତି। ମଙ୍ଗଳବାର ସୁଦ୍ଧା ଏତେ ସଂଖ୍ୟକ ଲୋକ ୟୁକ୍ରେନ ଛାଡ଼ିଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ସୋମବାର ମଧ୍ୟରାତ୍ର ସୁଦ୍ଧା ୨,୭୬,୨୪୪ ଜଣ ୟୁକ୍ରେନରୁ ପଳାୟନ କରିଛନ୍ତି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଚିନ୍ତାରେ ପକାଇବା ଭଳି ସଂଖ୍ୟା ବୋଲି ଜାତିସଂଘ ଶରଣାର୍ଥୀ ଏଜେନ୍ସି ୟୁଏନଏଚସିଆର ମୁଖ୍ୟ ଫିଲ୍ଲିପୋ ଗ୍ରାଣ୍ଡି କହିଛନ୍ତି।
ରୁଷ ସେନା କିଭ୍ ଦଖଲ ମୁଡରେ ଥିବାରୁ ଲୋକଙ୍କ ପଳାୟନ ସଂଖ୍ୟା ଆହୁରି ଦ୍ରୁତଗତିରେ ବଢ଼ିବ ବୋଲି ଜାତିସଂଘ ଆଶଙ୍କା କରିଛି। ୟୁକ୍ରେନରେ ବର୍ତ୍ତମାନ ମାନବୀୟ ସଙ୍କଟ ଦେଖାଯାଇଛି। ଅନେକ ଲୋକ ପରିସ୍ଥିତିରେ ପଡ଼ି ନିଜ ପରିବାର ଲୋକଙ୍କ ଠାରୁ ଅଲଗା ହେଉଛନ୍ତି। କେହି ସ୍ୱାମୀକୁ ଛାଡ଼ିବାକୁ ବାଧ୍ୟ ହେଉଥିବା ବେଳେ କେହି କେହି ନିଜ ବାପା ମା’ଙ୍କୁ ଛାଡ଼ି ସୀମାନ୍ତ ଦେଶକୁ ଯାଉଛନ୍ତି।
ୟୁକ୍ରେନରେ ଯୁଦ୍ଧ ଯୋଗୁ ଖାଦ୍ୟାଭାବ ଓ ପାଣିର ଅଭାବ ଦେଖେଦେଲାଣି। ଅନେକ ଲୋକଙ୍କ ଘର ମାଟିରେ ମିଶି ଯାଇଥିବା ବେଳେ ସେମାନେ ବିଭିନ୍ନ ଆଶ୍ରୟ କେନ୍ଦ୍ରରେ ରହୁଛନ୍ତି। ରୁଷ ଆକ୍ରମଣ ପୂର୍ବରୁ ୟୁକ୍ରେନର ଜନସଂଖ୍ୟା ୩୭ ମିଲିୟନ ଥିଲା। ଏବେ ସେମାନଙ୍କ ମଧ୍ୟରୁ ଅନେକ ଲୋକ ଦେଶ ଛାଡ଼ି ସାରିଲେଣି। ସେହିପରି ଲକ୍ଷାଧିକ ଲୋକ ନିଜ ଦେଶରେ ବିସ୍ଥାପିତଙ୍କ ଭଳି ଜୀବନ କାଟୁଛନ୍ତି। କାରଣ ରୁଷ ହମଲାରେ ଲୋକଙ୍କ ଘର ମାଟିରେ ମିଶି ଯାଇଛି।
ଅନ୍ତର୍ଜାତୀୟ ପ୍ରବାସୀ ସଂଗଠନ କହିଛି ଯେ ଯୁଦ୍ଧ ପରେ ୟୁକ୍ରେନ ଛାଡ଼ିଥିବା ଲୋକଙ୍କ ମଧ୍ୟରେ ୧୦,୩୦,୦୦୦ ବିଦେଶୀ ରହିଛନ୍ତି। ଏହି ବିଦେଶୀ ନାଗରିକମାନେ ୟୁକ୍ରେନରେ ଦୀର୍ଘ ବର୍ଷ ହେଲା ରହି ଆସୁଥିଲେ। କିନ୍ତୁ ଏବେ ଯୁଦ୍ଧ ଯୋଗୁ ସେମାନେ ପଳାୟନ କରୁଛନ୍ତି। ତଥାପି ଅନେକ ବିଦେଶୀ ନାଗରିକ ଏବେ ବି ୟୁକ୍ରେନରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଦେଶ ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ଆଉ କିଛି ୟୁକ୍ରେନରେ ପୂର୍ବଭଳି ରହିବାକୁ ଅଣ୍ଟା ଭିଡ଼ିଛନ୍ତି।
ୟୁକ୍ରେନ ଛାଡ଼ି ଅଧିକାଂଶ ଲୋକ ପୋଲାଣ୍ଡ ଯାଉଛନ୍ତି। ପୋଲାଣ୍ଡରେ ବର୍ତ୍ତମାନ ୧୭ ଲକ୍ଷରୁ ଅଧିକ ଶରଣାର୍ଥୀ ରହିଛନ୍ତି। ସେହିପରି ବିଭିନ୍ନ ୟୁରୋପୀୟ ଦେଶକୁ ୟୁକ୍ରେନରୁ ୨,୧୦,୨୩୯ ଜଣ ଲୋକ ଯାଇଛନ୍ତି। ହଙ୍ଗେରୀକୁ ୧,୯୧,୩୪୮, ସ୍ଲୋଭାକିଆରେ ୧,୪୦,୭୪୫, ମୋଲଡଥଭାରେ ୮୨,୭୬୨, ରୋମାନିଆରେ ୮୨,୦୬୨ ଓ ବେଲାରୁଷରେ ୪୫୩ ଜଣ ଲୋକ ଶରଣାର୍ଥୀ ଭାବେ ରହିଛନ୍ତି।
The post ଯୁଦ୍ଧ ପାଇଁ ୟୁକ୍ରେନ ଛାଡ଼ିଲେଣି ୨୦ ଲକ୍ଷରୁ ଅଧିକ ଲୋକ appeared first on Odisha Reporter.
from Odisha Reporter https://ift.tt/y6beJ7D
No comments:
Post a Comment