ମୁମ୍ବାଇ: ଚଳିତ ଆଇପିଏଲରେ ୫ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ବିପର୍ଯ୍ୟୟ ଜାରି ରହିଛି। ଦଳ ୭ଟି ମ୍ୟାଚ୍ରୁ ୭ଟିରେ ହାରିଛି। ଆଇପିଏଲର ୧୫ତମ ସଂସ୍କରଣରେ ଏଯାଏ ଗୋଟିଏ ହେଲେ ମ୍ୟାଚ୍ ଜିତି ନଥିବା ମୁମ୍ବାଇ ୭ମ ପରାଜୟ ପରେ ଅଲୋଡ଼ା ରେକର୍ଡରେ ସାମିଲ ହୋଇଛି। ଆଇପିଏଲ ଇତିହାସରେ ପ୍ରଥମଥର ପାଇଁ ମୁମ୍ବାଇ କ୍ରମାଗତ ୭ଟି ମ୍ୟାଚ୍ ହାରିବାର ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି।
ଗୁରୁବାର ରାତିରେ ଖେଳା ଯାଇଥିବା ମ୍ୟାଚ୍ରେ ମୁମ୍ବାଇ ଚୀରପ୍ରତିଦ୍ୱନ୍ଦ୍ୱୀ ଚେନ୍ନାଇ ସୁପର କିଙ୍ଗସ ଠାରୁ ୩ ୱିକେଟରେ ହାରିଛି। ମ୍ୟାଚ୍ରେ ଶେଷ ବଲରେ ଚୌକା ମାରି ମହେନ୍ଦ୍ର ସିଂହ ଧୋନି ଚେନ୍ନାଇକୁ ଜିତାଇଛନ୍ତି। ପ୍ରଥମେ ବ୍ୟାଟିଂ କରଥିବା ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭର୍ରେ ୭ ୱିକେଟ ହରାଇ ୧୫୫ ରନ୍ କରିଥିଲା।
ଏହାର ଜବାବରେ ଚେନ୍ନାଇ ୭ ୱିକେଟ ହରାଇ ଶେଷ ବଲରେ ମ୍ୟାଚ୍ ଜିତି ନେଇଛି। ଚଳିତ ଆଇପିଏଲରେ ଏହା ଚେନ୍ନାଇର ଦ୍ୱିତୀୟ ବିଜୟ। ଚେନ୍ନାଇ ପକ୍ଷରୁ ଅମ୍ବାତି ରାୟୁଡୁ ସର୍ବାଧିକ ୪୦ ରନ୍ କରିଥିବା ବେଳେ ଶେଷ ଭାଗରେ ଧୋନି ୧୩ ବଲରେ ଅପରାଜିତ ୨୮ ରନ୍ର ଇନିଂସ୍ ଖେଳି ମୁମ୍ବାଇ ହାତରୁ ବିଜୟ ଛଡ଼ାଇ ଆଣିଥିଲେ। ଶେଷ ଓଭର୍ରେ ଚେନ୍ନାଇକୁ ୧୭ ରନ୍ ଦରକାର ଥିବା ବେଳେ ଧୋନି ଗୋଟିଏ ଛକା ଓ ୨ଟି ଚୌକା ମାରି ନିଜର ଜଲୱା ଦେଖାଇଥିଲେ।
ଆଇପିଏଲ ଇତିହାସରେ ପ୍ରଥମଥର ପାଇଁ ମୁମ୍ବାଇ ୭ ମ୍ୟାଚ୍ରୁ ୭ ପରାଜୟ ବରଣ କରିଛି। ପୂର୍ବରୁ ୨୦୧୪ରେ ଦଳ କ୍ରମାଗତ ୫ଟି ମ୍ୟାଚ୍ ହାରିଥିଲା। ହେଲେ କ୍ରମାଗତ ପରାଜୟ ସତ୍ତ୍ୱେ ମୁମ୍ବାଇ ୨୦୧୪ରେ ପ୍ଲେ ଅଫ ଖେଳିଥିଲା। ଏବେ କିନ୍ତୁ ୭ମ ପରାଜୟ ସହ ଦଳ ପ୍ଲେଅଫ ଦୌଡ଼ରୁ ବାଦ୍ ପଡ଼ିବା ଭଳି ସ୍ଥିତିରେ ପହଞ୍ଚି ଯାଇଛି।
ଗୋଟିଏ ଆଇପିଏଲ ସଂସ୍କରଣରେ କ୍ରମାଗତ ୬ କିମ୍ବା ତା’ଠାରୁ ଅଧିକ ମ୍ୟାଚ୍ ହାରିବା ତାଲିକାରେ ମୁମ୍ବାଇ ୭ମ ଟିମ୍ ଭାବେ ଯୋଡ଼ି ହୋଇଛି। ୨୦୦୮ରେ ଡେକାନ ଚାର୍ଜସ କ୍ରମାଗତ ୭ଟି ମ୍ୟାଚ୍ ହାରିଥିଲା। ସେହିପରି ୨୦୧୫ରେ ପଞ୍ଜାବ ୭ଟି, ଦିଲ୍ଲୀ ୨୦୧୨ରେ ୬ଟି, ୨୦୧୩ରେ ୬ଟି ଓ ୨୦୧୪ରେ କ୍ରମାଗତ ୯ଟି ମ୍ୟାଚ୍ ହାରିଥିଲା।
୨୦୧୭ ଓ ୨୦୧୯ରେ ଆରସିବି ୬ଟି, ୨୦୧୨ ଓ ୨୦୧୩ରେ ପୁଣେ ୱାରିୟର୍ସ ୯ଟି ଏବଂ ୨୦୦୯ରେ କୋଲକାତା ନାଇଟ ରାଇଡର୍ସ କ୍ରମାଗତ ୯ଟି ମ୍ୟାଚ୍ ହାରିବାର ଲଜ୍ଜାଜନକ ରେକର୍ଡ କରିଥିଲେ।
The post କ୍ରମାଗତ ୭ ପରାଜୟ ପରେ ଅଲୋଡ଼ା ରେକର୍ଡ କ୍ଲବରେ ମୁମ୍ବାଇ appeared first on Odisha Reporter.
from Odisha Reporter https://ift.tt/h5R1NZl
No comments:
Post a Comment