ପାଟନା: ଆରଜେଡି ନେତା ତେଜସ୍ୱୀ ଯାଦବ ଆୟୋଜନ କରିଥିବା ଇଫତାର ପାର୍ଟିରେ ଯୋଗଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିଜେପି ସହ ମେଣ୍ଟ କରି ନୀତୀଶ କୁମାର ବିହାରରେ ସରକାର ଗଠନ କରିଥିବା ବେଳେ ବିରୋଧୀ ଆରଜେଡି ନେତାଙ୍କ ଇଫତାର ପାର୍ଟିରେ ଯୋଗଦେବା ନୂଆ ରାଜନୀତିକ ସମୀକରଣ ସୃଷ୍ଟି କରିଛି। ନିକଟରେ ଆରଜେଡି ବୋଚାହା ବିଧାନସଭା ଉପ ନିର୍ବାଚନରେ ଜିତିଥିଲା। ଏହାପରେ ତେଜସ୍ୱୀ ଇଫତାର ପାର୍ଟିର ଆୟୋଜନ କରି ନିଜର ଶକ୍ତିପ୍ରଦର୍ଶନ କରିଛନ୍ତି। ଏଥିରେ ନୀତୀଶ କୁମାର ଯୋଗଦେଇ ସହଯୋଗୀ ବିଜେପିକୁ ପରୋକ୍ଷରେ ସଙ୍କେତ ଦେଇଥିବା କୁହାଯାଉଛି।
ପାଟନାରେ ଥିବା ତେଜସ୍ୱୀଙ୍କ ଘରେ ହିଁ ଏପରି ଏକ ଇଫତାର ପାର୍ଟି ଆୟୋଜନ କରାଯାଇଥିଲା। ନୀତୀଶ କୁମାରଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଅୱେଦେଶ ନାରାୟଣ ସିଂହ, ସୟଦ ଶାହାନବାଜ ହୁସେନ, ଲୋକ ଜନଶକ୍ତି ପାର୍ଟିର ଚିରାଗ ପାଶ୍ୱାନ, ତେଜସ୍ୱୀଙ୍କ ଭାଇ ତେଜ ପ୍ରତାପ, ଭଉଣୀ ମିସା ଭାରତୀ ଓ ମା’ ରାବ୍ରୀ ଦେବୀ ମଧ୍ୟ ଉପସ୍ଥିତ ରହିଥିଲେ।
ନୀତୀଶ କୁମାର ଦୀର୍ଘ ୫ ବର୍ଷ ପରେ ତେଜସ୍ୱୀଙ୍କ ଇଫତାର ପାର୍ଟିରେ ଯୋଗଦେଇଛନ୍ତି। ୨୦୧୭ରେ ତେଜସ୍ୱୀଙ୍କୁ ଛାଡ଼ି ନୀତୀଶ କୁମାର ବିଜେପିର ହାତ ଧରିଥିଲେ। ସେବେଠାରୁ ସେ ଆଉ ତେଜସ୍ୱୀଙ୍କ ପାର୍ଟିରେ ଯୋଗଦେଇ ନଥିଲେ। ହେଲେ ଏବେ ସେ ଇଫତାର ପାର୍ଟିରେ ଯୋଗଦେଇଥିବାରୁ ନୂଆ ରାଜନୀତିକ ସମୀକରଣ ସୃଷ୍ଟି ହେବାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରେ ଥିଲେ ହେଁ ବିଜେପି ଅନେକ ସମୟରେ ତାଙ୍କୁ ଟାର୍ଗେଟ କରିବାକୁ ପଛାଉ ନାହିଁ। ଏହାକୁ ନେଇ ଦୁଇ ସହଯୋଗୀଙ୍କ ମଧ୍ୟରେ ଅନେକ ଥର ବାକଯୁଦ୍ଧ ମଧ୍ୟ ହୋଇଛି। ଏସବୁ ଭିତରେ ନୀତୀଶ କୁମାରଙ୍କ ଇଫତାର ରାଜନୀତି ସାମ୍ନାକୁ ଆସିଛି।
ଅନ୍ୟପକ୍ଷରେ ଇଫତାର ପାର୍ଟିରେ ଚିରାଗ ପାଶ୍ୱାନ ମଧ୍ୟ ଯୋଗଦେଇଥିଲେ। ସେ ନୀତୀଶ କୁମାରଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଛନ୍ତି। ୨୦୨୦ ଅକ୍ଟୋବର ମାସରେ ଚିରାଗଙ୍କ ବାପା ରାମ ବିଲାଶ ପାଶ୍ୱାନଙ୍କ ଦେହାନ୍ତ ହୋଇଥିଲା। ଏହାପରେ ସେ ପ୍ରଥମଥର ପାଇଁ ନୀତୀଶ କୁମାରଙ୍କୁ ଭେଟିଛନ୍ତି। ସେ ମଧ୍ୟ ବିଜେପି ଉପରେ ଖୁସି ନାହାନ୍ତି। ତେଣୁ ତେଜସ୍ୱୀଙ୍କ ଜରିଆରେ ବିଜେପିର ସହଯୋଗୀମାନେ ନୂଆ ସଙ୍କେତ ଦେଇଥିବା କୁହାଯାଉଛି।
The post ତେଜସ୍ୱୀଙ୍କ ଇଫତାର ପାର୍ଟିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର appeared first on Odisha Reporter.
from Odisha Reporter https://ift.tt/jQCpiu2
No comments:
Post a Comment