ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’ ବର୍ତ୍ତମାନ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏବେ ଏହା ପୁରୀଠାରୁ ୭୪୦ କିଲୋମିଟର ଦୂରରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଏହି ଭୀଷଣ ବାତ୍ୟା ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୨୧ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି।
ଗଭୀର ଅବପାତ ପରେ ଗତକାଲି ଏହା ବାତ୍ୟାର ରୂପ ନେଇଥିଲା। ଭାରତୀୟ ପାଣିପାଗ ବିଭାଗ(IMD)ର ଆକଳନ ଅନୁସାରେ, ସମୁଦ୍ରରେ ଯେତେ ବଳ ଗୋଟାଇଲେ ବି ଏହା ପ୍ରବଳ ବାତ୍ୟାରେ ହିଁ ସୀମିତ ରହିବ। ଉପକୂଳ ଅତିକ୍ରମ କରିବାର ସମ୍ଭାବନା ନାହିଁ। ୧୦ ତାରିଖରେ ଏହା ବଙ୍ଗୋପସାଗରର ପଶ୍ଚିମରେ କେନ୍ଦ୍ରୀଭୂତ ହେବ ପରେ କ୍ରମଶଃ ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତି କରିବ।
IMD ଡିଜିଙ୍କ ସୂଚନା ଅନୁଯାୟୀ, ବାତ୍ୟାର ପ୍ରଭାବରେ ଉପକୂଳ ଅଞ୍ଚଳରେ ଅତି ବେଶିରେ ୪୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ। ସେହିପରି SRC(ସ୍ୱତନ୍ତ୍ର ରିଲିଫ କମିଶନର) ପ୍ରଦୀପ ଜେନା କହିଛନ୍ତି, ଓଡ଼ିଶା ଉପରେ ବାତ୍ୟା ‘ଅସାନି’ର ବିଶେଷ ବିପଦ ନାହିଁ। କାରଣ ଏହା ପୁରୀରୁ ୧୦୦ କିଲୋମିଟର ଦୂରରେ ଯିବ। ଏହି ସମୟରେ ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୫୦ କିଲୋମିଟର ରହିପାରେ ।
୧୦ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ବର୍ଷାର ପୂର୍ବାନୁମାନ କରାଯାଇଥିବ ବେଳେ ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ବର୍ଷା ହେବାର ସମ୍ଭାବନା ରହିଛି।
୭ ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଆକଳନ ସତ୍ତ୍ୱେ ବନ୍ୟା ଆଶଙ୍କା ନାହିଁ ବୋଲି SRC କହିଛନ୍ତି। ତଥାପି ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ଥିବାରୁ ପଦକ୍ଷେପ ନିଆଯାଇଛି। ଗଞ୍ଜାମ, ପୁରୀ, ଅସ୍ତରଙ୍ଗ, ଜଗତସିଂହପୁର, କେନ୍ଦ୍ରାପଡ଼ା ପାଇଁ ଓଡ୍ରାଫ ଟିମ୍ ପ୍ରସ୍ତୁତ ଅଛନ୍ତି। ଆବଶ୍ୟକ ସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଏସ୍ଆରସି ପ୍ରଦୀପ ଜେନ ।
The post ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅସାନି’, ୨୧ କିମି ବେଗରେ ମାଡ଼ି ଆସୁଛି appeared first on Odisha Reporter.
from Odisha Reporter https://ift.tt/McC09R3
No comments:
Post a Comment