ଅନୁଭବଙ୍କର ପୁଣି ଏକ ଭିଡିଓ ବାର୍ତ୍ତା: ଆମେ କେବେ ଏକାଠି ରହିପାରିବାନି ବର୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 23, 2022

ଅନୁଭବଙ୍କର ପୁଣି ଏକ ଭିଡିଓ ବାର୍ତ୍ତା: ଆମେ କେବେ ଏକାଠି ରହିପାରିବାନି ବର୍ଷା

କଟକ(ଓଡ଼ିଶା ରିପୋର୍ଟର): ଧୀରେ ଧୀରେ ପୁଣି ଥରେ ଘନେଇଲାଣି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଦାମ୍ପତ୍ୟ କଳହ । ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍‌ ନ ଥିବା ସମଗ୍ର ରାଜ୍ୟବାସୀ ଜାଣିଥିବା ବେଳେ ଏବେ ତେଜିବାରେ ଲାଗିଲାଣି ସୋଶାଲ ମିଡିଆ ୱାର । ନିଜ ପକ୍ଷ ରଖି ଅନୁଭବ ଗୋଟିଏ ପରେ ଗୋଟିଏ ଭିଡିଓ ପୋଷ୍ଟ କରୁଥିବା ବେଳେ ବର୍ଷାଙ୍କ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହେଉଛି । ଏବେ ବର୍ଷାଙ୍କ ବିରୋଧରେ ସାଂସଦ ଅନୁଭବ ମହାନ୍ତି ପୋଷ୍ଟ କରିଛନ୍ତି ତୃତୀୟ ଭିଡିଓ । ନିଜ ସୋଶାଲ ମିଡିଆରେ ପାର୍ଟ-୩ ଭାବେ ଅନୁଭବ ଏହାକୁ ଅପଲୋଡ୍ କରିଥିବା ବେଳେ ଏହି  ଭିଡିଓ ବାଣ ଏବେ ସୋଶାଲ ମିଡିଆରେ ନିଆଁ ଲଗାଇଲାଣି।

ନିଜ ଭିଡିଓରେ ବର୍ଷାଙ୍କୁ ସିଧାସଳଖ ଟାର୍ଗେଟ କରି ତାଙ୍କୁ ଅଲଗା ହୋଇଯିବାକୁ ଖୁଲମଖୁଲା କହିଛନ୍ତି ଅନୁଭବ ।  ଆମେ କେବେ ଏକାଠି ରହିପାରିବାନି, ତେଣୁ ଅଲଗା ହୋଇଯିବାଟା ଭଲ ବୋଲି କହିଛନ୍ତି।କେସ୍‌ ଲଢ଼ିଲେ କାହାକୁ କିଛି ମିଳିବିନି । କେସରେ ଜଣେ ଜିତିବ, ଜଣେ ହାରିବ । ହେଲେ ଜୀବନରେ କେହି ଜିତିପାରିବାନି ବୋଲି କହିଛନ୍ତି ଅନୁଭବ  । ଏଥିସହ ଜୀବନସାଥୀ ବାଛିବାରେ  ମୁଁ କିପରି ଏପରି ଭୁଲ୍‌ ନିଷ୍ପତ୍ତି ନେଇପାରିଲି  ଭାବିକି ଲଜ୍ଜା ଲାଗୁଛି ବୋଲି କହିଛନ୍ତି ।

ଏଥିସହ କହିଛନ୍ତି, ଆମ ଦାମ୍ପତ୍ୟ କଳହ ମୁଁ ନୁହେଁ, ବର୍ଷା ହିଁ ପଦାକୁ ଆଣିଛନ୍ତି । ଉଭୟଙ୍କ ମର୍ଯ୍ୟାଦାହାନୀ ନ ହେବା ପାଇଁ ଦିଲ୍ଲୀ କୋର୍ଟରେ ଆବେଦନ କରିଥିଲି । ହେଲେ ବର୍ଷା ଏହାକୁ କଟକ କୋର୍ଟକୁ ଆଣିଥିଲେ। । ମୁଁ ଯେତେ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଛି, ବର୍ଷା ଏହାକୁ ସେତେ ଲୋକଙ୍କୁ ଜଣାଉଛନ୍ତି । ମୋ’ ଉପରେ ବର୍ଷା ଲଗାଇଥିବା ସମସ୍ତ ଅଭିଯୋଗ ମିଛ  ।

ଏବେ ପୋଷ୍ଟ କରିଥିବା ଭିଡିଓରେ ଅନୁଭବ କହିଛନ୍ତି, ନିଜ ବୈବାହିକ ଜୀବନ ବିଷୟରେ ଏପରି  ଭିଡ଼ିଓ ପରେ ଭିଡ଼ିଓ ସୁଟ୍‌ କରିବି ବୋଲି କେବେ ଭାବି ନ ଥିଲି।  ଯେହେତୁ ସତକୁ ଏବେବି ଠିକ ଭାବେ, ଠିକ ଢଙ୍ଗରେ ଦେଖାଇବାକୁ ସତସାହସ କାହାର ନାହିଁ ତେଣୁ ଏକ ଛୋଟିଆ ଭିଡିଓ କରୁଛି। ଏପର୍ଯ୍ୟନ୍ତ ଗଣମାଧ୍ୟମ ମୋ ବିଷୟରେ ଏକ ତରଫା କାହାଣୀ ଦେଖାଉଥିଲା, ମୋତେ ଖଳନାୟକ ସଜାଇଥିଲା, ମୋ ବିଷୟରେ ମିଛ କୁହାଯାଇଥିଲା ।  ତେଣୁ ମୁଁ ଭିଡିଓ କଲେ ତୁମେ ବ୍ୟସ୍ତ ହୁଅ ନାହିଁ, ଧୈର୍ଯ୍ୟ ଧର ବର୍ଷା ମାଡାମ ।  ମୁଁ ଏବେ ୨, ୪ ଦିନ ହେଲା କହିବା ଆରମ୍ଭ କରିଥିବା ବେଳେ ତୁମେ ଏତେ ବ୍ୟତିବ୍ୟସ୍ତ କାହିଁକି ହୋଇପଡ଼ୁଛ ।

ତୁମେ ଯେଉଁ ପିଟିସନ ଦାଖଲ କରିଛ, ଜଣେ ହିନ୍ଦୁ ନାରୀ,  ନିଜ ସ୍ୱାମୀକୁ ବହୁତ ଭଲ ପାଅ, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଶ୍ୱଶୁର ଘର ଛାଡ଼ିବନି, ସ୍ୱାମୀକୁ ଠିକ୍‌ ବାଟକୁ ଆଣିବ ବୋଲି ଉଲ୍ଲେଖ କରିଛ। ତା’ ହେଲେ ଗତ ୨ ବର୍ଷ ହେଲା ସ୍ୱାମୀ ବିରୋଧରେ ଶ୍ୱଶୁର ଘର ନାଁରେ ବହୁତ ଅପପ୍ରଚାର ହେଲାଣି, ହେଲେ ଦିନେ ତ ମୁହଁ ଖୋଲି ଏହାକୁ ବନ୍ଦ କରିବାକୁ କହିନ । ତୁମ ସ୍ୱାମୀଙ୍କ ନାମରେ କାହିଁକି ଅପପ୍ରଚାର କରାଯାଉଛି ତ କହିନ ।  ମୁଁ ଏବେ ମୁହଁ ଖୋଲିବା ଆରମ୍ଭ କରିଥିବା ବେଳେ ତୁମେ ଏହାକୁ ସହ୍ୟ କରିପାରୁନ । ସତ ଶୁଣିବାକୁ ସାହସ କର । ଜଣଙ୍କ ବିରୋଧରେ ମିଛ କହି କହି ଥକିଲନି। ଏବେ ନିଜ ବିଷୟରେ ସତ ଶୁଣ ।

ଗତ ବର୍ଷ ବର୍ଷା ପୁରୀଘାଟ ଥାନାରେ ବର୍ଷା କରିଥିବା ଅଭିଯୋଗରେ ଦର୍ଶାଇଥିଲେ, ସୋଶାଲ ମିଡିଆର ସାହାରା ନେଇ, ମୁଁ ତାଙ୍କ  ବିରୋଧରେ ଅପ୍ରପଚାର କରୁଛି, ତାଙ୍କ ନାରିତ୍ୱକୁ ଅପମାନିତ କରିଛି, ତାଙ୍କ  ପ୍ରତିଷ୍ଠା ନଷ୍ଟ କରିବାକୁ ଚେଷ୍ଟା କରୁଛି । ଏପରିକି ମୁଁ ତାଙ୍କୁ ବାଟଘାଟ ଚଲାଇ ଦେଉନି, ଧମକ ଦେଇଥିଲି । ୮ ବର୍ଷ ହେଲା ଯଦି ସେ ଏତେ ନିର୍ଯାତିତା ହେଉଥିଲେ, କାହିଁକି କେଉଁ ଥାନାରେ ଅଭିଯୋଗ କରି ନ ଥିଲେ। ମୁଁ ଡିଭୋର୍ସ ଫାଇଲ କରିବା ପରେ ସବୁ ନିର୍ଯାତନା କଥା ମନେ ପଡ଼ିଲା, ଆଉ ଥାନାକୁ ଦୌଡ଼ିଲେ।

ମୁଁ ଓ ମୋ ପରିବାର ମାନସିକ, ଶାରୀରିକ ଯନ୍ତ୍ରଣା ଭିତରେ ବଞ୍ଚିଛୁ। ମୁଁ ଆମ ସମ୍ପର୍କକୁ ନେଇ କେବେ ମିଡିଆକୁ  ଆସି ନ ଥାନ୍ତି । ମୁଁ ଜଣେ ଲ’ ମେକର । ନାରୀଙ୍କର ସମ୍ମାନ କରିବା ଶିଖିଛି।  ହେଲେ ଗଣମାଧ୍ୟମର ସାହାରା ନେବାକୁ  ବର୍ଷା ମୋତେ ବାଧ୍ୟ କଲେ । ସବୁ କଷ୍ଟ ସୀମା ପାର କରିବା ସହ  ଅସହନୀୟ ହେବାରୁ ସୋଶାଲ ମିଡିଆକୁ ଆସିବାକୁ ବାଧ୍ୟ ହେଲି।

ଏହାବାଦ ଅନୁଭବ କହିଛନ୍ତି, କଥା କହିବାର ସ୍ୱାଧୀନତା ସମସ୍ତଙ୍କର ଅଛି । କେବଳ ଯେ ନାରୀର ଅଛି, ପୁରୁଷର ନାହିଁ ତାହା ନୁହେଁ। ବର୍ଷାଙ୍କର ଯେତିକି ଅଧିକାର, ମୋର ବି ସେତିକି ଅଛି। ମୁଁ ମୋ ପରିବାରକୁ ଛାଡ଼ିବିନି । ତାଙ୍କୁ ଏକା କରି ଯାଇପାରିବିନି । ତାଙ୍କୁ କଷ୍ଟ ଦେଇପାରିବିନି।  ଘରେ ଥିବା ମାତାପିତାଙ୍କ ସେବା କରିପାରିବା ନାହିଁ, ମେଡିକାଲ ଯାଇପାରିବିନି । କିନ୍ତୁ  ଶଙ୍ଖା, ଚୁଡ଼ି, ଶାଢୀ ପିନ୍ଧି ମେକଅପ୍‌ କରି ମନ୍ଦିରରେ ପୂଜା କଲେ ଲାଭ କ’ଣ । ସେ ମା’, ମହାପ୍ରଭୁ ବି ଶୁଣିବେନି । ଭୁଲ ବାଟରେ ଛିଡ଼ା ହୋଇ ନିଜ ଆଡ଼କୁ ଅନ୍ୟକୁ ଟାଣିଲେ ସାମନା ଲୋକ ବି ଭୁଲ ବାଟକୁ ଚାଲିଯିବ । ହେଲେ ମୁଁ ଯାଇପାରିବିନି ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ଅନୁଭବ ।

ବର୍ଷାଙ୍କୁ ୩ଟି ଚ୍ୟାଲେଞ୍ଜ ଦେଇ ସତସାହସ ଅଛି ଯଦି ଏହାକୁ ଗ୍ରହଣ କର ବୋଲି କହିଛନ୍ତି ଅନୁଭବ ମହାନ୍ତି ।  ଏହି ତିନୋଟି ଚ୍ୟାଲେଞ୍ଜ ହେଲା ମେଡିକାଲ ଟେଷ୍ଟ, ଫରେନ୍ସିକ୍ ଲ୍ୟାବରେ ବର୍ଷାଙ୍କ ଅଡିଓ ଟେଷ୍ଟ ଏବଂ ଶେଷରେ ଲାଏ ଡିଟେକ୍ସ‌ନ୍ ଟେଷ୍ଟ । ଅନୁଭବ ମନଗଢ଼ା ଭିଡିଓ କରି ସୋଶାଲ ମିଡିଆରେ ପୋଷ୍ଟ କରୁଥିବା ରବିବାର ରାତିରେ ବର୍ଷା ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ । ହେଲେ  ସତ ଧୀରେ ଧୀରେ ସାମ୍ନାକୁ ଆସିବ । ପୁଲିସ ଏବଂ ପ୍ରଶାସନ ଉପରେ ତାଙ୍କର ଭରସା ରହିଛି ବୋଲି ସାଂସଦ କହିଛନ୍ତି ।

ଏହାପୂର୍ବରୁ ବି ଦୁଇଟି ଭିଡିଓ କରି ଅନୁଭବ ବର୍ଷାଙ୍କ ଉପରେ ବର୍ଷିଛନ୍ତି । ଏହି ଘଟଣାକୁ ନେଇ ପୁରୀ ଘାଟ ଥାନାରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସେପଟେ ଅନୁଭବଙ୍କ ତୃତୀୟ ଭିଡିଓ ନେଇ ବର୍ଷାଙ୍କ ପ୍ରତିକ୍ରିୟା ମିଳିପାରିନି।

The post ଅନୁଭବଙ୍କର ପୁଣି ଏକ ଭିଡିଓ ବାର୍ତ୍ତା: ଆମେ କେବେ ଏକାଠି ରହିପାରିବାନି ବର୍ଷା appeared first on Odisha Reporter.



from Odisha Reporter https://ift.tt/hZVOwNv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages